Latest Odisha News

BREAKING NEWS

ତିର୍ତ୍ତୋଲ ବିଧାୟକଙ୍କ ବିବାହ ଆବେଦନ, ହାଇକୋର୍ଟରେ ସୋମାଲିକାଙ୍କ ମିସ୍ କେଶ୍ ଫାଇଲ

କଟକ: ବଢ଼ିଲା ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ। ହାଇକୋର୍ଟରେ ମିସ୍ କେଶ୍ ଫାଇଲ କରିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ୍ ଲଗାଇବାକୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇ ନିବେଦନ କରିଛନ୍ତି।

ସୋମାଲିକାଙ୍କ ବାଦ୍ ଆଉ ଜଣେ ଯୁବତୀଙ୍କ ସହ ବିଜୟ ଶଙ୍କର ବିବାହ ପାଇଁ କୋର୍ଟରେ ଆବେଦନ କରିବା ପରେ ସୋମାଲିକା ଏପରି ଏକ ପଦକ୍ଷେପ ନେଇଛନ୍ତି। ବିଜୟ ଶଙ୍କରଙ୍କ ନାଁ ରେ ତିର୍ତ୍ତୋଲ ଥାନାରେ ମଧ୍ୟ ଏତଲା ଦେଇଛନ୍ତି ସୋମାଲିକା।

ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଗତ ମାସ ୨୧ ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଏହାକୁ ନେଇ ସୋମାଲିକା ସବ୍ ରେଜିଷ୍ଟାର ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ସୋମାଲିକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଯେଉଁ ମାମଲା ଆସିଥିଲା, ତାହା ଏବେ ବି ବିଚାରାଧୀନ ରହିଛି। ବିଧାୟକ ବିବାହ ପାଇଁ ନ ଆସିବା ପରେ ସୋମାଲିକା ତାଙ୍କ ବିରୋଧରେ ଦୁଷ୍କର୍ମ ସମେତ ଏକାଧିକ ଅଭିଯୋଗ ଆଣିଥିଲେ। ତେବେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିବା ସୋମାଲିକା ବିଧାୟକଙ୍କ ପତ୍ନୀ ବୋଲି ଦାବି କରିନଥିବାରୁ ସେ ବିବାହ କରିପାରନ୍ତି ବୋଲି ଆଇନ କହୁଛି। ବିଧାୟକ ଏବେ ବି ଅବିବାହିତ ଥିବାରୁ କାହାକୁ ବିବାହ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହିଁ।

ବିଧାୟକ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ କଟକରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ କରିଛନ୍ତି। ଏହାର କାରଣ ହେଉଛି, ଦମ୍ପତି ଯେଉଁ ସ୍ଥାନରେ ରହୁଛନ୍ତି, ସେଠି ବିବାହ ପାଇଁ ଆବେଦନ କରିପାରିବେ। ସେ ଜଗତସିଂହପୁର ବଦଳରେ କଟକରେ ବିବାହ ପାଇଁ ଆବେଦନ କରିପାରିବେ, କାରଣ ତାଙ୍କ ଭାବି ପତ୍ନୀ କଟକ ଜିଲ୍ଲାର ବୋଲି ଜଣାପଡିଛି।

ସୋମାଲିକା ତିର୍ତ୍ତୋଲ ବିଧାୟକଙ୍କ ଏଭଳି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଥିଲେ। ଆମ ମାମଲା ବିଚାରଧୀନ ଥିବାବେଳେ ମଧ୍ୟ ସେ ଏଭଳି ପଦକ୍ଷେପ ନେବା ମୋତେ ଆଶ୍ଚର୍ୟ୍ୟ କରିଛି ବୋଲି କହିଥିଲେ। ସେ କହିଥିଲେ, ଶାସକ ଦଳ ଏବଂ ପୋଲିସ ତାଙ୍କୁ ସୁରକ୍ଷା ଦେଉଛି। ଜଗତସିଂହପୁରରେ ପୁଲିସ ମୋତେ ଓ ମୋ ପରିବାର ଲୋକଙ୍କୁ ଡକାଇ ବୟାନ ରେକର୍ଡ କରିଥିଲା। ଅପରପକ୍ଷରେ ତାଙ୍କୁ ଗୋଟିଏ ଥର ପାଇଁ ମଧ୍ୟ ଡକାଇନାହିଁ। ଦଳୀୟ କ୍ଷମତା ଯୋଗୁଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସୋମାଲିକା କହିଥିଲେ।

Comments are closed.