Latest Odisha News

BREAKING NEWS

କଡ଼ା ନିରାପତ୍ତା ବଳୟରେ ଅନୁଷ୍ଠିତ ହେବ ବିଶ୍ୱକପ ହକି, ସୁରକ୍ଷା ଦାୟିତ୍ୱ ନେବେ ଏନ.ଏସ.ଜି କମାଣ୍ଡୋ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଫଳତା ଏବେ ଶୀର୍ଷରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ବିଶ୍ୱକପ ହକିର ପ୍ରସ୍ତୁତି । ଆସନ୍ତା ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରତିଯୋଗିତାର ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ । ସମସ୍ତ ଦାୟିତ୍ୱ ଓଡ଼ିଶା ସରକାରଙ୍କ ହାତରେ । ଭାରତୀୟ ହକି ଦଳର ସ୍ପନସରସିପ ହାତକୁ ନେଇଥିବା ଓଡ଼ିଶା ରାଜ୍ୟ ସରକାର ଏହି ବିରାଟ ଆନ୍ତର୍ଜାତିକ ପ୍ରତିଯୋଗିତାର ଆୟୋଜନ ଲାଗି ବେଶ୍ ତତ୍ପର । ତେବେ ଏହି ବିଶ୍ୱକପ ପ୍ରତିଯୋଗିତାର ସୁରକ୍ଷା ଦାୟିତ୍ୱ ହାତକୁ ନେବେ ଶକ୍ତିଶାଳୀ ଏନ.ଏସ.ଜି କମାଣ୍ଡୋ ।

ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ପର୍ଯ୍ୟନ୍ତ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିରାଟ ହକି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ‘ବିଶ୍ୱକପ ହକି’ । ଏଥିରେ ପାକିସ୍ତାନ ମମେତ ୧୬ଟି ରାଷ୍ଟ୍ର ଅଂଶଗ୍ରହଣ କରୁଛି । ଭାରତୀୟ ହକି ଦଳକୁ ଓଡ଼ିଶା ରାଜ୍ୟ ସରକାର ସ୍ପନସର କରିବା ଓଡ଼ିଆ ମାନଙ୍କ ଲାଗି ଗୌରବର କଥା ।

ତେବେ ପ୍ରତ୍ୟେକ ମ୍ୟାଚରେ ୧୦୦ ଜଣରୁ ଅଧିକ ବିଦେଶୀ ଦର୍ଶକ ମ୍ୟାଚ ଉପଭୋଗ କରିବା ସହିତ ବିଭିନ୍ନ ରାଷ୍ଟ୍ରର କ୍ରୀଡ଼ା କାର୍ଯ୍ୟକର୍ତ୍ତା ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ । ଏତେବଡ଼ ଆନ୍ତର୍ଜାତିକ ଆୟୋଜନରେ ସୁରକ୍ଷା ଭାର ଏନଏସଜି କମାଣ୍ଡୋ କରିବେ । ତେବେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଏନଏସଜି କମାଣ୍ଡୋଙ୍କ ପକ୍ଷରୁ ଏକ ମକ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି ।

ସୂତ୍ରରୁ ଜଣାପଡ଼ିଛି, ଏହି ଏନଏସଜି କମାଣ୍ଡୋ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର, ରେଲୱେ ପ୍ଲାଟଫର୍ମ, ବିଭିନ୍ନ ତାରକା ହୋଟେଲ, ରାଜ୍ୟ ସଚିବାଳୟରେ ମୂତୟନ ହେବେ । ଏପରିକି ଏନଏସଜି କମାଣ୍ଡୋ ରାଜ୍ୟ ପୋଲିସକୁ ଦେବେ ସୁରକ୍ଷା ସମ୍ପର୍କରେ ଟ୍ରେନିଂ ।

ଇତିମଧ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ପରିସରକୁ ଭଲଭାବେ ଯାଞ୍ଚ କରିଥିଲା ଏନଏସଜି କମାଣ୍ଡୋର ଏକ ଦଳ । ଷ୍ଟାଡ଼ିୟମ ପରିସରରେ ବିଭିନ୍ନ ଗେଟ, ଗ୍ୟାଲେରୀ ଏବଂ ବିଭିନ୍ନ ଟିକଟ କାଉଣ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟିପାତ କରିଥିଲେ ଏନଏସଜି କମାଣ୍ଡୋର ଏକ ବିଶେଷଜ୍ଞ ଟିମ ।

ତେବେ ଯାହାବି ହେଉ ଏହି ହକି ମହାକୁମ୍ଭର ଆୟୋଜକ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ବିଭିନ୍ନ ପ୍ରଶାସନିକ ବିଭାଗର ସହଯୋଗରେ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛି ।

ଅବଶ୍ୟ ପୂର୍ବରୁ ଓଡ଼ିଶା ରାଜ୍ୟ ସରକାର ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ମାତ୍ର ୯୦ ଦିନ ମଧ୍ୟରେ ସଫଳତାର ସହିତ ପ୍ରସ୍ତୁତି ସମାପ୍ତ କରି ଆନ୍ତର୍ଜାତୀୟ କ୍ରୀଡ଼ାଜଗତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏହି ସଫଳ ଆୟୋଜନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମହଲରେ ବହୁ ପ୍ରଶଂସିତ ହୋଇଛନ୍ତି ।

Leave A Reply

Your email address will not be published.