Latest Odisha News

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୩୧୧ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୮୬ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା- ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା। ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ। ସେହିପରି କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା- ମହାକାଳପଡା, କେନ୍ଦ୍ରାପଡା, ପାଟକୁରା, ରାଜନଗର ଓ ଆଳି। ଏଥିରେ ୨୪୯ଟି ଗ୍ରାମପଞ୍ଚାୟତରେ ୩୩୫୩ ଟି ପ୍ରକଳ୍ପ କରାଯିବ।

ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୫୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୬ କୋଟି ମଞ୍ଜୁର କରିଛନ୍ତି। ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ସାମିଲ ହୋଇଥିବା କହିଛନ୍ତି ଭି.କେ ପାଣ୍ଡିଆନ୍। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବା ସହ ଦକ୍ଷତା ବିକାଶ କେନ୍ଦ୍ର ହେବ। ୱାର୍କସ୍ ହବ ହେବ। ବ୍ୟାଙ୍କିଂ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ। ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

Comments are closed.