Latest Odisha News

ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ଆନୁକୂଲ୍ୟରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ଚେତନା ସମାରୋହରେ ଉତ୍କଳ ମଣ୍ଡପରେ ପରିଷଦର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ସଂକୀର୍ତ୍ତନ କଳାକାର ଯୋଗଦେଇଥିଲେ ।

ଏହି ସମାରୋହର ଅଂଶ ସ୍ୱରୂପ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଭୁବନେଶ୍ୱର, ବାଲିପାଟଣା, ଟାଙ୍ଗୀ, ଖୋର୍ଦ୍ଧା ସହରରେ ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟଙ୍କ ଯୋଗଦାନ ସହିତ ସ୍ଥାନୀୟ ବିଧାୟକ ଓ ଜନପ୍ରତିନିଧିଙ୍କ ଉପସ୍ଥିତିରେ ସଂକୀର୍ତ୍ତନ ସମାରୋହ ଏବଂ ଭାଗବତ ଗୀତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଗାଁ ଗହଳି, ସ୍କୁଲ କଲେଜ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତିକୁ ପ୍ରବଚକ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଆର ସି ଏମ କଲେଜଠାରେ ଗଜପତି ମହାରାଜl ଓ ବିଶିଷ୍ଟ ପ୍ରବାଚକମାନଙ୍କ ଉପସ୍ଥିତିରେ ତିନିଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିରରେ ପ୍ରାୟ ପାଞ୍ଚ ଶହ ସଂକୀର୍ତ୍ତନ କଳାକାର ପ୍ରଶିକ୍ଷଣ ନେଇଥିଲେ । ସେହି କଳାକାରଙ୍କ ପଞ୍ଜୀକରଣ କରି ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ସହ ସରକାର ସେମାନଙ୍କୁ କଳାକାର ତାଲିକା ଭୁକ୍ତ କରିବାକୁ ଦାବୀ କରାଯାଇଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ପରିଷଦ ପକ୍ଷରୁ ଦୁଇଶହ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା କରୁଣାକର ପ୍ରଧାନ, ମନୋଜ ଜେନା,ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ସୁଦର୍ଶନ ଚମ୍ପତି,କୋଷାଧ୍ୟକ୍ଷ୍ୟ ପ୍ରସନ୍ନ ବଡ଼ଜେନା ମଞ୍ଚରେ ଉପସ୍ଥିତ ରହି ପରିଷଦର ବ୍ରୋଚର ଉନ୍ମୋଚନ କରି ଥିଲେ । ସଙ୍କୀର୍ତ୍ତନ  କଳାକାରଙ୍କୁ ତାଲିକା ଭୁକ୍ତ କରି ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପରିଚୟ ପତ୍ର ପ୍ରଦାନ, ସବୁ ବୟସର ସଂକୀର୍ତ୍ତନ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ, ତାଙ୍କ ପରିବାରର ପିଲାମାନଙ୍କୁ ମାଗଣାରେ ପ୍ରଥମରୁ ଉଚ୍ଚ ଶିକ୍ଷା ଓ କାରିଗରୀ ଶିକ୍ଷା ପ୍ରଦାନ, ବୀମାକରଣ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ପ୍ରମୁଖ ଦାବୀ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହା ସହିତ ରାଜ୍ୟରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରେ ପରିଷଦର ଚାରିଜଣ କାର୍ଯ୍ୟକାରୀ ସଭାପତି,ଯୁଗ୍ମ ସମ୍ପାଦକ ଓ ସଂଯୋଜକ ଚୟନ କରିବା ପାଇଁ ୧୯ ଜଣିଆ କମିଟି ଗଠନ କରାଯାଇଥିଲା । ଆଗାମୀ ଦିନରେ ଦାବୀ ପୂରଣ ପାଇଁ ରାଜଧାନୀରେ ଏକ ବିଶାଳ ସମାରୋହ ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି ।

Comments are closed.