ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ଦୂଷିତ ପାଣି ପିଇ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ଏହି ଘଟଣାର ପ୍ରକୃତ କାରଣ ଏବଂ କେଉଁ ପରିସ୍ଥିତିରେ ଏହି ଲୋକମାନେ ଦୂଷିତ ପାଣି ବ୍ୟବହାର କରୁଛନ୍ତି ସେ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି।
ଏହି କମିଟିରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଅଧ୍ୟକ୍ଷା ଥିବା ବେଳେ ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ପିସିସି ସଭ୍ୟ ଭୁବନ ବିହାରୀ ସାହୁ, ପିସିସି ସମ୍ପାଦକ ଅଜିତ ଜେନା ସଭ୍ୟ ଭାବରେ ରହିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି କମିଟି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଗୋନାସିକ ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମକୁ ଗସ୍ତ କରିବ। ପ୍ରଦେଶ କଂଗ୍ରେସର ଏହି କମିଟି ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଏବଂ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କ ସହ ଯୋଗାଯୋଗ କରି ଜନ୍ତାରୀକୁ ଗ୍ରସ୍ତ କରିବେ।
ଜନ୍ତରା ଗ୍ରସ୍ତର ୨୪ ଘଣ୍ଟା ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଏହି କମିଟି ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ଉକ୍ତ ଘଟଣାକୁ ନେଇ ପିସିସି ସଭାପତି ମର୍ମାହତ ହୋଇ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲା ରାଜ୍ୟର ସ୍ୱର୍ଣ୍ଣଗର୍ଭା ଜିଲ୍ଲା। ରାଜ୍ୟ ରାଜକୋଷକୁ ଏହି ଜିଲ୍ଲା ହଜାର ହଜାର କୋଟି ଟଙ୍କା ଦେଉଥିଲା ବେଳେ ଜିଲ୍ଲାର ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଏହି ୨୩ ବର୍ଷର ସରକାର ଯୋଗାଇ ଦେଇ ପାରିଲେ ନାହିଁ। ଲୋକମାନେ ବିଷାକ୍ତ ପାଣିକୁ ପିଉଛନ୍ତି। ରୋଷେଇଠାରୁ ଆରମ୍ଭ କରି ସମସ୍ତ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହା ସରକାରଙ୍କର ଓଡ଼ିଶା ପ୍ରୀତିର ଆଉ ଏକ ଉଦାହରଣ।
Comments are closed.