ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଦକ୍ଷିଣ ଆଫ୍ରିକା ୨୨୯ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ହେନରିକ କ୍ଲାସେନଙ୍କ ଶତକ ବଳରେ ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୨ ଓଭରରେ ୧୭୦ ରନ କରି ଅଲଆଉଟ ହୋଇ ଯାଇଥିଲା । ମାର୍କ ଉଡ ୪୩ ଓ ଗସ ଆଟିକସନ ୩୫ ରନ କରିଥିଲେ । ଗେରାଲ୍ଡ କୋଏଟିଜି ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଏହା ସର୍ବାଧିକ ସ୍କୋର । ପାକିସ୍ତାନ ୨୦୧୯ରେ ଇଂଲଣ୍ଡ ବିପକ୍ଷରେ ୩୪୯ ରନର ଲକ୍ଷ୍ୟ ରଖିଥିଲା । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । କ୍ଲାସେନ ୧୦୯ ରନର ଇନିଂସ ଖେଳିଥିଲେ । ସେ ମାତ୍ର ୬୭ ବଲରେ ୧୨ ଚୌକା ଓ ୪ ଛକା ସହାୟତାରେ ଏହି ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୀଜା ହେନଣ୍ଡ୍ରିକ୍ସ ୮୫, ରୋସି ଭେନ ଡେର ଡୁସେନ ୬୦, ଆଇଡେନ ମାର୍କରାମ ୪୨ ରନ କରିଥିଲେ । ଶେଷ ଭାଗରେ ମାର୍କୋ ଜାନେସନ ବିସ୍ଫୋରକ ୪୨ ବଲରେ ୭୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।
ରୀସେ ଟୋପଲେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗସ ଆଟିକସନ ଓ ଅଡିଲ ରଶିଦ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକା ୪ ମ୍ୟାଚରୁ ୬ ପଂଏଟ ହାସଲ କରି ପଂଏଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ୪ ମ୍ୟାଚରେ ୨ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି ।
Comments are closed.