Latest Odisha News

BREAKING NEWS

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ପରୀକ୍ଷା ସମୟରେ ମୁସଲମାନ ଛାତ୍ରୀ ପିନ୍ଧି ପାରିବେ ହିଜାବ

ବେଙ୍ଗାଲୁରୁ: ହିଜାବକୁ ନେଇ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ସରକାର ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରୀମାନେ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ଏମସି ସୁଧାକର ହିଜାବ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ। ସମସ୍ତ ପକ୍ଷକୁ ଧ୍ୟାନରେ ରଖି ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଆଯିବା ନେଇ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରସଙ୍ଗରେ ଶିକ୍ଷା ମନ୍ତ୍ରୀ ଏମ.ସି ସୁଧାକର କହିଛନ୍ତି ଯେ କିଛି ଲୋକ ହିଜାବକୁ ନେଇ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ଏହି ଲୋକମାନେ ପରୀକ୍ଷାରେ ହିଜାବ ପିନ୍ଧିବା ଉପରେ ଆପତ୍ତି ଉଠାଇ ପରିବେଶକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଏଥିସହ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଲୋକଙ୍କ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିଟ୍ (NEET) ପରୀକ୍ଷାରେ ମଧ୍ୟ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି। ଯେକୌଣସି ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ ପୋଷାକ ପିନ୍ଧି ପରୀକ୍ଷା ଦେଇପାରିବେ। ଏଥିରେ କୌଣସି ପ୍ରକାରର ପ୍ରତିବନ୍ଧକ ରହିବ ନାହିଁ।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ଅନେକ ବିବାଦ ଉପୁଯିଥିଲା। ୨୦୨୨ ମସିହାରେ ପ୍ରଶାସନ ଉଡୁପି ଜିଲ୍ଲାର ପିୟୁ ସରକାରୀ କଲେଜରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିଲା। ତାଙ୍କୁ କଲେଜରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ଏହି ପ୍ରସଙ୍ଗରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଛାତ୍ରୀମାନେ କଲେଜ ନିଷ୍ପତ୍ତି ବିରୋଧରେ ତୀବ୍ର ବିରୋଧ କରିଥିଲେ। ଏହି ଘଟଣାରେ କର୍ଣ୍ଣାଟକର ରାଜନୀତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

Comments are closed.