ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜଣେ ଶିଖିଲେ ଗୋଟେ ଭାଷା
ତା’ର ସ୍ମୃତିରେ ବାଂଧେ ବସା
ଭାଷା ହୁଏନି ମନୁ ଖେଦି
ମର୍ମକୁ ଯାଇଥାଏ ଭେଦି
ସ୍ମୃତିରୁ ଭାଷା ଉନ୍ମୂଳନ
ପ୍ରୟାସ ହୁଏ ଅକାରଣ
କରୁଁ ନ କରୁଁ ବ୍ୟବହାର
ସ୍ମୃତିରେ ରହେ ନିରଂତର
କଥା କହୁଁ କି ଲେଖି ରଖୁଁ
ଭାଷା ଶୁଣୁ ଅଥବା ଦେଖୁଁ
ତାହା ଆଂଶିକ ପରିଚୟ
ମନରୁ ନିଏନି ବିଦାୟ
ମନରେ ଜିଇଁଥିଲେ ଭାଷା
ମଣିଷ କରୁଥାଏ ଆଶା
ଆସିବ ନିଶ୍ଚେ ଗୋଟେ ଦିନ
ମିଳିବ ସ୍ବୀକୃତି, ସମ୍ମାନ
ଏପରି ଆଶାଧାରୀ ସୁଦ୍ଧା
ନ ହେଲେ ସତ ଭାଷା-ଯୋଦ୍ଧା
କାହାକୁ ମିଳେନି ସୁବିଧା
ଦିଶଇ ବହୁବିଧ ବାଧା
ଭାଷା ହୋଇଲେ ମାନସିକ
କେବେ ହୁଏନି ସାମାଜିକ
କେଉଁଠି ନ କଲେ ପ୍ରୟୋଗ
ଆକାଶୁଁ ବର୍ଷେନି ସୁଯୋଗ
ସବୁ ଭାବ ହୁଏନି ଲେଖି
ଲେଖିଲେ ପାଖେ ଦେଉଁ ରଖି
ସବୁ ଲେଖା ହୁଏନି ବହି
ଯିବା ଯାଏଁ ତ ଥାଏ ରହି
ସବୁ ଥର ଗଲେ ହେଁ ହାରି
ମନରୁ ଯାଏନି ବାହାରି
କିଏ ବା ଶୁଣିବ ଗୁହାରି
କେହି ତ ନୁହଂତି କାହାରି
ସଖାଗଣ ଗଲେଣି ଖସି
ହୋଇଛଂତି ସ୍ମୃତି-ନିବାସୀ
ସ୍ମୃତି-ପୋଷକ ହୋଇ ଆମେ
ଲାଗିପାରୁନୁ କେଉଁ କାମେ
Comments are closed.