Latest Odisha News

ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟଣା: ଦେବଦୂତ ସାଜି ୧୫୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଗେଟମ୍ୟାନ

ଆଗ୍ରା:ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ।  ପାତାଳକୋଟ ଏକ୍ସପ୍ରେସ ଟ୍ରେନ ପଞ୍ଜାବର ଫରିଦାବାଦରୁ ମଧ୍ୟପ୍ରଦେଶ ଯାଉଥିବାବେଳେ ଗତକାଲି ନିଆଁ ଲାଗି ଯାଇଥିଲା । ଆଗ୍ରାଠାରୁ ୧୦ କିମି ଦୂର ଭାଣ୍ଡାଇ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଲୋକମାନେ ଜୀବନ ବିକଳରେ ଟ୍ରେନରୁ ଡେଇଁ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି ।

ଚଳନ୍ତା ଟ୍ରେନରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ ନାହିଁ । ତେବେ ୨ଟି ବଗିରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଘଟଣା ଜଣାପଡିବା ପରେ ତୁରନ୍ତ ଟ୍ରେନକୁ ଅଟକା ଯାଇଥିଲା ଏବଂ ଯାତ୍ରୀଙ୍କୁ ତୁରନ୍ତ ବାହାର କରାଯାଇଥିଲା । କିଛି ଯାତ୍ରୀ ଟ୍ରେନରୁ ଡେଇଁ ଜୀବନ ବଞ୍ଚାଇଥିଲେ ।

ଦୁର୍ଘଟଣାରେ ୧୧ ଜଣ ଯାତ୍ରୀ ନିଆଁ ଭିତରେ ଫଶି ଯାଇଥିଲେ । କିନ୍ତୁ ସେମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଠିକ ସମୟରେ ରେଲୱେ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଯାହାଫଳରେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ତିନି ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ତେବେ ଏହି ଦୁର୍ଘଟଣା ଏକ ଭୟଙ୍କର ରୂପ ନେଇଥାନ୍ତା । ସାମାନ୍ୟ ସତର୍କତା ଏବଂ ଆଗୁଆ ପଦକ୍ଷେପ ଯୋଗୁ ଦୁଇଟି ବଗିରେ ଥିବା ୧୫୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି । ରେଲୱେ ଗେଟମ୍ୟାନ ଯଶପାଲ ସିଂହ ଦେବଦୂତ ଭାବେ ଯେମିତି ଯାତ୍ରୀଙ୍କୁ ବଞ୍ଚାଇଥିଲେ । ଫାଟକ ନଂ ୪୮୭ରେ ମୁତୟନ ଥିଲେ ଯଶପାଲ ସିଂହ । ସେ ଟ୍ରେନ ବଗିରୁ ଧୁଆଁ ବାହାରୁଥିବା ଦେଖି ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ଷ୍ଟେସନ ମାଷ୍ଟର ତୁରନ୍ତ ଏହି ଦୁଇ ବଗିରୁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ ଏବଂ କୋଚ ଦୁଇଟିକୁ ଟ୍ରେନରୁ ଅଲଗା କରି ଦେଇଥିଲେ । ଠିକ ସମୟରେ ଯଦି ଯଶପାଲ ସିଂହ ଏହି ଖବର ନ ଦେଇଥାନ୍ତେ ତେବେ ଆଜି କେତେବଡ ଦୁର୍ଘଟଣା ଯେ ଘଟିଥାନ୍ତା କଳନା କରି ହୋଇ ନ ଥାନ୍ତା ।

ଯାହା ବି ହେଉ, ଆଗ୍ରାର ଡେପୁଟି କମିଶନର ଅଫ ପୋଲିସ  ସୋନମ କୁମାରଙ୍କ କହିବା ଅନୁଯାୟୀ, ୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଏସଏନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ୬ ଜଣ ଯାତ୍ରୀ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି । ଆଗ୍ରା ଜୋନ ଡିଭିଜନାଲ ରେଲୱେ ମ୍ୟାନେଜର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି  ।

Comments are closed.