ରାଜଗାଙ୍ଗପୁର: ପୂରଣ ହେଉନି ଡାକ୍ତରୀ ପଦବୀ । ରାଜ୍ୟରେ ଏମିତି ଅନେକ ମେଡିକାଲ ରହିଛି । ଯେଉଁଠି ଉପଯୁକ୍ତ ଡାକ୍ତର ନଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଡାକ୍ତର ନଥିବାରୁ ବିଧାୟକ ନିଜେ ଡାକ୍ତରଖାନାରେ ପହଞ୍ଚି ରୋଗୀ ଦେଖିଛନ୍ତି ।ଗତକାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା।
ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହା ଜାଣିବା ପରେ ଆଜି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡିରେ ବସି ରୋଗୀ ଚିକିତ୍ସା କରିଥିଲେ। ରାଜଗାଙ୍ଗପୁର ଡାକ୍ତରଖାନାରେ ୧୪ଟି ଡାକ୍ତର ପଦ ଥିବାବେଳେ ୯ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି। କିନ୍ତୁ ଗତ ୧୯ ତାରିଖରୁ ଡାକ୍ତରଖାନା ଅଧୀକ୍ଷକ ଡ. ଜଗଦୀଶ ଟପ୍ପୋଙ୍କ ସହ ଡ. ଅବିନାଶ ପ୍ରଧାନ, ଡ. ରଶ୍ମୀକାନ୍ତ ଦାଶ, ଡ.ବିଜୟଶଙ୍କର ବେହେରା ଛୁଟିରେ ଚାଲି ଯାଇଥିବାବେଳେ ଜଣେ ନିୟମିତ ଡାକ୍ତର ମହେନ୍ଦ୍ର ତନ୍ତୀ ଦିନରାତି ଜରୁରୀ ସେବା ସହ ରୋଗୀ ଦେଖୁଥିଲେ।
ଏପରି ସ୍ଥିତିରେ ଗତକାଲିଠାରୁ ଡାକ୍ତରଖାନା ଏକ ପ୍ରକାର ଡାକ୍ତରଶୂନ୍ୟ ହୋଇପଡିଥିଲା। ଶେଷକୁ ବିଧାୟକ ଡ. ରାଜନ ଏକ୍କା ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଆଉଟଡୋରରେ ରୋଗୀ ଦେଖିଥିଲେ । ସକାଳ ୮ଟାରୁ ଡାକ୍ତର ଏକ୍କା ଜଣ ଜଣ କରି ପ୍ରାୟ ଶହେ ରୋଗୀଙ୍କୁ ଦେଖି ଚିକିତ୍ସା ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି। ଜଣେ ବିଧାୟକ ରୋଗୀ ଦେଖିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।