ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବିଭିନ୍ନ ଓପିନିଅନ ପୋଲରେ କୁହାଯାଇଛି। ଏପରିକି ବିଆରଏସକୁ ମାତ ଦେଇ କଂଗ୍ରେସ ଏଥର କ୍ଷମତା ଦଖଲ କରିପାରେ ବୋଲି କୁହାଯାଉଛି। କିନ୍ତୁ ଅନ୍ୟତମ ପ୍ରମୁଖ ଦଳ ବିଜେପି ସେଠାରେ ଧିମା ପଡିଯାଇଥିବା ଆଲୋଚନା ହେଉଛି।
କର୍ଣ୍ଣାଟକରେ ହାରିବା ପରେ କୌଣସି ଦକ୍ଷିଣୀ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ କିମ୍ବା ଦଳର ସ୍ଥିତି ମଧ୍ୟ ଦକ୍ଷିଣରେ ଭଲ ନାହିଁ। ତେଣୁ ତେଲେଙ୍ଗାନାରେ ଭଲ ପ୍ରଦର୍ଶନ ପାଇଁ ଦଳ ଆଶା କରିଥିଲେ ମଧ୍ୟ ଏ ଯାଏ ଦଳ ସପକ୍ଷରେ ମାହୋଲ ବନାଇବାରେ ନେତୃତ୍ୱ ସକ୍ଷମ ହୋଇନାହିଁ।
ସେପଟେ କଂଗ୍ରେସର ବିଜୟଭେରୀ ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀ ଲଗାତର ତିନି ଦିନ ବ୍ୟାପକ ଭାବେ ତେଲେଙ୍ଗାନାରେ ପ୍ରଚାର କରିଛନ୍ତି। ଏପରିକି ମାର୍କେଟରେ ଦୋସା ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେଇ ତେଲେଙ୍ଗାନାରେ ମାହୋଲ ତିଆରି କରିଛନ୍ତି ରାହୁଲ।
ତେଣୁ ଏ ସବୁକୁ କାଉଣ୍ଟର କରି ତେଲେଙ୍ଗାନାରେ ଦମଦାର ପ୍ରଦର୍ଶନ ପାଇଁ ବିଜେପି ଅଣ୍ଟା ଭିଡ଼ିଛି। ସେଥିପାଇଁ ଦଳ ନିଜର ତିନି ପ୍ରମୁଖ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ବଡ଼ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।
ଏହି ତିନି ଜଣ ନେତା ତେଲେଙ୍ଗାନାରେ ୨୫ ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦି ୫ ଟି ସାଧାରଣ ସଭାରେ ଯୋଗ ଦେବାକୁ ଥିବାବେଳେ ଶାହା ୮ ରୁ ୧୦ ଟି ସଭାରେ ଯୋଗ ଦେବେ।
ସେହିପରି ଜେପି ନଡ୍ଡା ୧୦ ରୁ ଅଧିକ ସଭା କରିବେ। ନଭେମ୍ବର ପ୍ରଥମ ସପ୍ତାହରୁ ମୋଦି ଓ ନଡ୍ଡା ପ୍ରଚାରର ଶୁଭାରମ୍ଭ କରିବେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ବିଆରଏସକୁ ଟାର୍ଗେଟ କରି ବ୍ୟାପକ କାର୍ଯ୍ୟକ୍ରମ କରିବେ।
ଗୃହମନ୍ତ୍ରୀ ଅମିତ ଶାହା ସୂର୍ଯ୍ୟପେଟରେ ଆସନ୍ତାକାଲି ବିଶାଳ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଯୋଗୀ ଆଦିତ୍ୟନାଥ ଆସନ୍ତା ୩୧ ତାରିଖରେ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଜେପିର ପ୍ଲାନ ଅନୁଯାୟୀ ଏହି ତିନି ପ୍ରମୁଖ ନେତା ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଅନ୍ତତଃ ପକ୍ଷେ ଗୋଟିଏ ବୈଠକ କରିବେ।
ଏପରିକି ଦଳ ପକ୍ଷରୁ ଏକ ବିଶାଳ ପଛୁଆ ବର୍ଗ ଗର୍ଜନ ସଭା କରିବାକୁ ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀ କେସିଆରଙ୍କ ନିର୍ବାଚନ ମଣ୍ଡଳୀ ପାଖାପାଖି ଅଞ୍ଚଳ ତଥା ସିକନ୍ଦରାବାଦ ସଂସଦୀୟ କ୍ଷେତ୍ରରେ ଏହି ସଭା କରାଯିବ।
ଏହି ସଭାରେ ୬ ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ ପାଇଁ ଯୋଜନା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଏହି ସଭାରେ ଦଳର ଜଣେ ପଛୁଆ ବର୍ଗ ନେତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ଯୋଜନା ରହିଥିବା ସୂଚନା ମିଳୁଛି।
ପ୍ରଚାର ପାଇଁ ବିଜେପି ତେଲେଙ୍ଗାନାକୁ ୬ ଟି ଜୋନରେ ଭାଗ କରିଥିବା ବେଳେ ଗ୍ରେଟର ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଜୋନ ଭାବେ ନିଆଯାଇଛି। ତେଣୁ ତେଲେଙ୍ଗାନାରେ ବିଜେପି ସବୁ ଶକ୍ତି ଖଟାଇ ନିର୍ବାଚନ ଲଢ଼ିବାକୁ ଯାଉଛି।
ପଛୁଆ ବର୍ଗଙ୍କୁ ଦଳ ମୁଖ୍ୟ ଅସ୍ତ୍ର କରିବାକୁ ନିଷ୍ପତ୍ତି ନେଇଛି। ଗୋଟିଏ ପଟେ ଶକ୍ତିଶାଳୀ ତଥା ଦୁଇ ଥର ଶାସନରେ ରହିଥିବା ଶାସକ ବିଆରଏସ ଅନ୍ୟପଟେ କଂଗ୍ରେସ ବିରୋଧରେ ବିଜେପି ବଡ଼ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରିଛି। ତେଣୁ ବିଜେପିର ଏହି ଅଭିଯାନ ପରେ ତେଲେଙ୍ଗାନା ରାଜନୀତି ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି।
Comments are closed.