Latest Odisha News

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ମ୍ୟାଚରେ ବିଜୟ ସତ୍ୱେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫିର ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଓଡିଶା ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୧୭ ରନରେ ଚଣ୍ଡୀଗଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୭ ୱିକେଟ ବିନିମୟରେ ୧୫୪ ରନ ସଂଗ୍ରହ କରିଥିଲା । ଶାନ୍ତନୁ ମିଶ୍ର ୫୯( ୫୦ ବଲ, ୬ ଚୌକା) ଓ ଶୁଭ୍ରାଂଶୁ ସେନାପତି ୩୧( ୨୧ ବଲ, ୩ ଛକା) ରନ କରିଥିଲେ । ରାଜ ବାୱା ଓ ସନ୍ଦୀପ ଶର୍ମା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଚଣ୍ଡୀଗଡ ୧୯.୪ ଓଭରରେ ୧୩୭ ରନ କରି ଅଲଆଉଟ ହୋଇ ଯାଇଥିଲେ । ଗୌରବ ପୁରୀ ୫୫ ରନ କରିଥିଲେ ।

ଓଡିଶାର ହର୍ଷିତ ରାଠୋର ସର୍ବାଧିକ ୩ଟି ୱିକେଟ ନେଇଥଲେ । ଗୋବିନ୍ଦ ପୋଦ୍ଦାର, ଅଭିଷେକ ଯାଦବ ଓ ଦେବବ୍ରତ ପ୍ରଧାନ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଗ୍ରୁପ ବିରେ କେରଳ ୨୪ ପଂଏଟ ସହ ଶୀର୍ଷ ସ୍ଥାନରେ ରହିଛି । ଆସାମ, ହିମାଚଳ ପ୍ରଦେଶ ୨୦ ପଂଏଟ ଲେଖାଁଏ ହାସଲ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଏବଂ ଓଡିଶା ୧୬ ପଂଏଟ ସହ ୪ର୍ଥ ସ୍ଥାନରେ ରହିଥିଲେ । ଚଣ୍ଡୀଗଡ, ବିହାର ଓ ସିକ୍କିମ ୫ମରୁ ୮ମ ସ୍ଥାନ ମଧ୍ୟରେ ରହିଥିଲେ ।

Comments are closed.