ଭୁବନେଶ୍ୱର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତାକାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ। ୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ । ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ପୁଣ୍ୟ ଭୂମି। ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି। ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ, ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର। କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.