Latest Odisha News

BREAKING NEWS

ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ କାହିଁକି ବିବାଦ ହେଲା?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟପାଳ ରଘୁବର ଦାସଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି।

ବଡ଼ୁ ନିଯୋଗ ରାଜ୍ୟପାଳ ରଘୁବର ଦାସ ଓ ତାଙ୍କ ପରିବାରକୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ପରିଭ୍ରମଣ କରାଇବା ସହ ସେମାନଙ୍କ ପାଇଁ ପୂଜାର୍ଚ୍ଚନା କରିଥିଲେ। ତେବେ ମନ୍ଦିରରେ ବଡୁ ନିଯୋଗର ପୂଜାର୍ଚ୍ଚନା କରିବାର ଅଧିକାର ନାହିଁ ବୋଲି ବ୍ରାହ୍ମଣ ନିଯୋଗ ଅଭିଯୋଗ କରିବା ସହ ରାଜ୍ୟପାଳଙ୍କୁ ବିଭ୍ରାନ୍ତ କରାଯାଇଛି ବୋଲି କହିଛନ୍ତି।

ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବାର ଅଧିକାର କେବଳ ବ୍ରାହ୍ମଣ ନିଯୋଗ ସେବକମାନଙ୍କର ରହିଛି। ଅନ୍ୟମାନେ ମହାପ୍ରଭୁଙ୍କୁ ଫୁଲ ଓ ଜଳ ଅର୍ପଣ କରିପାରନ୍ତି କିନ୍ତୁ ଏହାକୁ ପୂଜା ବୋଲି ବିବେଚନା କରାଯାଇପାରିବ ନାହିଁ। ରାଜ୍ୟପାଳ ଲିଙ୍ଗରାଜ ମନ୍ଦିରର ରୀତିନୀତି ଓ ନୀତିକାନ୍ତି ଜାଣନ୍ତି ନାହିଁ। ତେଣୁ ପ୍ରକୃତରେ ସେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ବୋଲି ବିଶ୍ୱାସ କରି ବଡୁ ନିଯୋଗର ସେବକମାନେ ତାଙ୍କୁ ବିଭ୍ରାନ୍ତ କରିଥିଲେ। କିନ୍ତୁ ତାହା ସତ ନୁହେଁ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି।

ସେବକଙ୍କ ଅନ୍ୟ ଏକ ଗୋଷ୍ଠୀ ପୂଜାପଣ୍ଡା ନିଯୋଗ ମଧ୍ୟ ବ୍ରାହ୍ମଣ ନିଯୋଗଙ୍କ ଦାବିକୁ ସମର୍ଥନ କରିଛନ୍ତି।

ବଡୁ ନିଯୋଗର ସେବକମାନେ ଅଣ ବ୍ରାହ୍ମଣ। ତେଣୁ ସେମାନଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା କରିବାର କୌଣସି ଅଧିକାର ନାହିଁ। ମନ୍ଦିରରେ କେବଳ ଗାଇଡ୍ ଭାବେ କାମ କରିବା ସହ ଭକ୍ତଙ୍କୁ ଦର୍ଶନରେ ସହାୟତା କରିବାକୁ ପ୍ରଶାସନ ଅନୁମତି ଦେଇଛି।

୧୯୧୦ରେ ହୋଇଥିବା ଏକ ରାୟ ଅନୁସାରେ କେବଳ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିପାରିବେ। ଯଦି ଆଜି ବଡୁ ନିଯୋଗର ସେବକମାନେ ଭୋଗ ଲାଗି କରିଛନ୍ତି ତେବେ ଏହା ବାସ୍ତବରେ ଦୁର୍ଭାଗ୍ୟଜନକ ବୋଲି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା କହିଛନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଡୁ ନିଯୋଗ।

ମନ୍ଦିରରେ ଆମର କର୍ତ୍ତବ୍ୟ ହେଉଛି ଭକ୍ତଙ୍କ ତରଫରୁ ମହାପ୍ରଭୁଙ୍କୁ ଫୁଲ ଅର୍ପଣ କରିବା। ମହାସୁଆର ସେବକମାନେ ପ୍ରସାଦ ପ୍ରସ୍ତୁତ କରି ଶ୍ରୀମନ୍ଦିର ଭିତରେ ରଖିଥାନ୍ତି। ପୂଜାପଣ୍ଡା ନିଯୋଗ ପକ୍ଷରୁ ମନ୍ଦିରରେ ପ୍ରସାଦ ବେଳେ ପୂଜାର୍ଚ୍ଚନା କରାଯାଇଥାଏ ବୋଲି ବଡୁ ନିଯୋଗର ସେବକ କୃଷ୍ଣଚନ୍ଦ୍ର ବଡୁ କହିଛନ୍ତି।

ଆମେ ରାଜ୍ୟପାଳଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନରେ ସହାୟତା କରିଥିଲୁ। ଆମେ ରାଜ୍ୟପାଳଙ୍କ ତରଫରୁ ମହାପ୍ରଭୁଙ୍କୁ ନଡ଼ିଆ ଭୋଗ ସମେତ ଫୁଲ ଓ ଶୁଖିଲା ଭୋଗ ଅର୍ପଣ କଲୁ। ସେ ଦର୍ଶନରେ ପ୍ରସନ୍ନ ହୋଇ ଖୁସିରେ ବିଦାୟ ନେଲେ ବୋଲି ବଡୁ ସେବାୟତ କହିଛନ୍ତି।

ସୂଚନାଯୋଗ୍ୟ, ମନ୍ଦିର ଅଞ୍ଚଳରେ ପ୍ରଭୁ ଲିଙ୍ଗରାଜଙ୍କ ଜମି ଜବରଦଖଲକୁ ନେଇ ତିନି ସେବାୟତ ଗୋଷ୍ଠୀ ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଫଳରେ ଏକାଦଶ ଶତାବ୍ଦୀର ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ବାଧାପ୍ରାପ୍ତ ହେଉଛି।

ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପରେ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ।

Comments are closed.