Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୩)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ପ୍ରଚଳିତ ଗ୍ରନ୍ଥ ନୀଳାଦ୍ରି ମହୋଦୟ ରେ ବର୍ଣ୍ଣିତ ଶ୍ରୀଜୀଉ ମାନଙ୍କ ସେଵା ପୂଜା ନୀତି ବିଷୟରେ ଆମେ ଆଲୋଚନା ଜାରି ରଖିଛେ। ସେହି କ୍ରମରେ ଆମେ ଏବେ ଆଲୋଚନା କରିବା ନୀଳାଦ୍ରି ମହୋଦୟ ଗ୍ରନ୍ଥର ସପ୍ତମ ଅଧ୍ୟାୟରେ ବର୍ଣ୍ଣିତ ଶ୍ଳୋକ ସଂଖ୍ୟା ୮ ରୁ ୨୭।

ସପ୍ତମ ଅଧ୍ୟାୟ ଶ୍ଳୋକ ୮ ରୁ ୨୦ :- ଏହି ଶ୍ଳୋକମାନଙ୍କରେ ଶ୍ରୀଜୀଉମାନଙ୍କ ସ୍ନାନ ପରେ ହେଉଥିବା ନୀତି କାନ୍ତି ବିଷୟରେ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ସ୍ନାନ ପରେ ଶତ ଉପଚାରରେ ତ୍ରିକାଳ ପୂଜା ଆରମ୍ଭ ହୋଇଥାଏ। ପ୍ରଥମେ ବାଳଭୋଗ ମନ୍ତ୍ର ରାଜ ଦ୍ୱାରା ପୂଜା ହୋଇଥାଏ। ବତିଶ ଅକ୍ଷର ବିଶିଷ୍ଟ ମନ୍ତ୍ରରେ ଶ୍ରୀଜଗନ୍ନାଥଙ୍କୁ ଯଥା -କ୍ଲୀଂ ନମୋ ଭଗବତେ ନନ୍ଦ ପୁତ୍ରାୟ ବଳାଦିବପୁଷେ ଶ୍ୟାମଳାୟ ଗୋପୀଜନ ବଲ୍ଲଭାୟ ସ୍ୱାହା। ”

ସେହିପରି ଦ୍ୱାଦଶ ଅକ୍ଷର ବାସୁଦେବ ମନ୍ତ୍ରରେ ଶ୍ରୀବଳଭଦ୍ରଙ୍କୁ, ସେହିପରି ଦ୍ୱାଦଶଅକ୍ଷର ଭୁବନେଶ୍ୱରୀ ମନ୍ତ୍ରରେ ମା ସୁଭଦ୍ରାଙ୍କର ଓ ଶ୍ରୀ ସୁଦର୍ଶନଙ୍କ ତ୍ରୟୋଦଶଅକ୍ଷର ମନ୍ତ୍ରରେ ଯଥା
“ନମୋ ଭଗବତେ ମହାସୁଦର୍ଶନାୟ ” ପୂଜା କରିବେ। ଏ ଗୁଡିକ ମୂଳ ମନ୍ତ୍ର ଭାବେ ବିଦିତ। କିନ୍ତୁ ସମ୍ପୂର୍ଣ୍ଣ ପୂଜା ବିଧି ପାଇଁ ଆବଶ୍ୟକ ଅନୁଯାୟୀ ଅନ୍ୟାନ୍ୟ ମନ୍ତ୍ର ମଧ୍ୟ ବ୍ୟବହାର ହୋଇଥାଏ।

ସପ୍ତମ ଅଧ୍ୟାୟ ଶ୍ଳୋକ ୨୧ ରୁ ୨୭ :- ଏହି ଶ୍ଳୋକଗୁଡ଼ିକରେ ଶ୍ରୀମନ୍ଦିର ପାକଶାଳା ନୀତି ବିଷୟରେ ଆଲୋଚିତ ହୋଇଛି। ଯଥା :- ପୂଜକ /ଅର୍ଚ୍ଚକ ମହାପ୍ରଭୁଙ୍କ ଉପର ବର୍ଣ୍ଣିତ ସମସ୍ତ ନୀତି ସାରିବା ପରେ ପାକଶାଳାର ସଂସ୍କାର କରି ବୈଷ୍ଣବାଗ୍ନି ସ୍ଥାପନା କରିବେ ଓ ପାକ ହୋମ କାର୍ଯ୍ୟ ନିର୍ବାହ କରିବେ। ହୋମ ଶେଷ ପରେ ପାକ କାର୍ଯ୍ୟ ଆରମ୍ଭ ହୋଇଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ମହାପ୍ରଭୁଙ୍କର ପାକଶାଳରେ କିଏ କିଏ ପ୍ରବେଶ କରିବେ ଓ କାହାର କାହାର ପ୍ରବେଶ ଅଧିକାର ନାହିଁ। ତାସହିତ ସପ୍ତମ ଅଧ୍ୟାୟ ଶ୍ଳୋକ ୫୩ ରୁ ୭୦ପର୍ଯ୍ୟନ୍ତ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଯେବେ କରିବ ସ୍ନେହ ଆଶ
କପୋତ ପ୍ରାୟ ଯିବ ନାଶ।
ଆହାରେ ଭଲ ମନ୍ଦ ନାହିଁ
ଯେ ସ୍ଥାନେ ଯେମନ୍ତ ମିଳଇ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.