ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦଘାଟିତ ହେବ । ଏଥିପାଇଁ ଏହି ସବୁ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକାରେ ଓ ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୫ରୁ କୋଣାର୍କ ଇକୋ-ରିଟ୍ରିଟ୍ ଆରମ୍ଭ ହେବ।
ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ । ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍, ଓ୍ବାଟର ରାଇଡସ୍, ଜେଟ୍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍ କରିବାର ସୁଯୋଗ ମଧ୍ୟ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପଓ୍ବେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। କେବଳ ସେତିକି ନୁହେଁ, ଗାଇଡେଡ୍ ଟୁର୍ ସହ ଫରେଷ୍ଟ ଓ ନେଚର ଟ୍ରେଲ୍, ଭିଲେଜ୍ ୱାକ୍, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ।
ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ । ଇକୋ ରିଟ୍ରିଟକୁ ଲୋକେ ଧୀରେ ଧୀରେ ପସନ୍ଦ କରୁଥିବା ବେଳେ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଯେଉଁଥିପାଇଁ ଇକୋ ରିଟ୍ରିଟକୁ ଆହୁରି ସରସ ସୁନ୍ଦର କରିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ର ୱେବସାଇଟ୍ bookodisha.com ଓ odishaecoretrets.com ବୁକିଂ ଜାରି ରହିଛି । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି।
Comments are closed.