ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବର୍ତ୍ତମାନ ସମୟରେ ଏକମାତ୍ର ଜଗତ ଉଦ୍ଧାରକାରୀ ଦେବତା ହିସାବରେ ସ୍ୱୀକାର କରାଯାଇଛି। ସାରା ଜଗତରେ ଶ୍ରୀଜଗନ୍ନାଥ ସଂସ୍କୃତି ଯେପରି ଆଦୃତ ହେଉଛି, ସେ ସମୟରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗ ସୂତ୍ର ରକ୍ଷାକାରୀ ପୂଜକଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। କୁହାଯାଏ ଭକ୍ତ ତାର ମନ କଥା ଭଗବାନଙ୍କ ସମ୍ମୁଖରେ ପ୍ରକାଶ କରେ ପୂଜା ଅର୍ଚ୍ଚନା ମାଧ୍ୟମରେ। ଆଉ ସଠିକ ପୂଜା ଅର୍ଚ୍ଚନାର ଦାୟିତ୍ଵ ରହେ ପୂଜକଙ୍କ ଉପରେ। ତେଣୁ ସମ୍ପୂର୍ଣ୍ଣ ବିଧି ପୂର୍ବକ ଦେବାରାଧନା ହେବା ନିହାତି ବାଞ୍ଛନୀୟ। ବୈଦିକ, ସନାତନ ଧର୍ମ ଶାସ୍ତ୍ର ସମ୍ମତ ସ୍ୱଧର୍ମାନୁଷ୍ଠାନ ହିଁ ଭଗବତ କୃପା ପ୍ରାପ୍ତିର ଏକ ମାତ୍ର ପଥ। ଶାସ୍ତ୍ର କହେ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠା ପୂର୍ବକ ଭଗବାନଙ୍କ ସେବା ପୂଜା କଲେ ପରମ ଆନନ୍ଦ ପ୍ରାପ୍ତ ହୋଇଥାଏ। ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି “ସ୍ଵକର୍ମଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବ। ” ଏହା ପରିଷ୍କାର ଇଙ୍ଗିତ କରୁଛି ଯେ ପୂଜକ /ଅର୍ଚ୍ଚକମାନେ ସ୍ଵକର୍ମ ଅର୍ଥାତ ପ୍ରଭୁଙ୍କ ସେବା ପୂଜା ଅର୍ଚ୍ଚନା ଅତ୍ୟନ୍ତ ଶୁଦ୍ଧ, ସଠିକ ଓ ବିଧି ମୁତାବକ କଲେ ନିଜେ ସିଦ୍ଧି ଲାଭ କରିବା ସହ ନିଜ ଯଜମାନଙ୍କ କଲ୍ୟାଣ ବିଧାନ କରିଥାନ୍ତି। ଏଣୁ ପ୍ରତ୍ୟେକ ପୂଜକ ଓ ସେବକ ଏଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ। ପ୍ରଭୁଙ୍କର ସେବା ବା ପୂଜାରେ ନିୟୋଜିତ ହେବା ପୂର୍ବରୁ ପ୍ରତ୍ୟେକ ପୂଜକ ଓ ସେବକ ନିଜକୁ ଜଣେ ଜଣେ ଉତ୍କୃଷ୍ଟ ଭକ୍ତ ଭାବରେ ଗଢି ତୋଳିବା ନିହାତି ଆବଶ୍ୟକ। ଶ୍ରୀମଦ ଭାଗବତ ଅନୁସାରେ ବର୍ଣ୍ଣିତ ନବଧା ଭକ୍ତି ଅନ୍ତର୍ଗତ ସେବା ପୂଜା ଯେ ସବୁଠାରୁ ଶ୍ରେଷ୍ଠ ଭକ୍ତି ତାହା ଏହି ପୂଜକ ବା ସେବକମାନଙ୍କ ଭକ୍ତି ଦେଖିଲେ ପ୍ରମାଣିତ ହୋଇଥାଏ। ସେହି ପରିପ୍ରେକ୍ଷୀରେ ଏହି ଅଭିନବ ଚେଷ୍ଟା ଦ୍ୱାରା ଆମେ ଜାଣିବା ଶ୍ରୀମନ୍ଦିର ପୂଜକ ବା ସେବକମାନଙ୍କ ପ୍ରକୃତି ବା ଲକ୍ଷଣ କଣ ହେବା ଉଚିତ। ଏହା କୌଣସି ବ୍ୟକ୍ତି ବିଶେଷଙ୍କ ଅନୁଶୀଳନ ନୁହେଁ ଏକ ସାଧାରଣ ତଥା ବ୍ୟାପକ ଅନୁଶୀଳନ ହେବ । ତେବେ ଅପେକ୍ଷା କରିବା ଆଗାମୀ ଅଧ୍ୟାୟମାନଙ୍କୁ, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ଦେହର ସଙ୍ଗେ ଏ ରହନ୍ତି
ମରଣେ କେହି ନ ଯାଆନ୍ତି।
ମନ୍ୟୁଷ ଦେହେ ଦିବ୍ୟ ଜ୍ଞାନ
ଦେଖି ସନ୍ତୋଷ ଭଗବାନ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.