ଅହମ୍ମଦାବାଦ: ଆଇପିଏଲ୨୦୨୬ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଶଂସକ ଉତ୍କଣ୍ଠା ଏବଂ ଗହଳି ଯୋଗୁ ଅହମ୍ମଦାବାଦରେ ହୋଟେଲ ରୁମରୁ ଆରମ୍ଭ କରି ସବୁ କିଛିର ଦର ଆକାଶ ଛୁଆଁ ହୋଇଛି । ଅଫ ସିଜନରେ ମଧ୍ୟ ହୋଟେଲ ଇଣ୍ଡଷ୍ଟ୍ରି ମୋଟା ଅଙ୍କର ଲାଭ କମାଇବାକୁ ଯାଉଛନ୍ତି । ଅଧିକାଂଶ ହୋଟେଲର ରୁମ ମେ ୩୦ ଓ ୩୧ ପାଇଁ ବୁକ ହୋଇଯାଇଛି ।
ଥ୍ରୀ ଷ୍ଟାର ଓ ୫ ଷ୍ଟାର ହୋଟେଲରେ ଦିନକୁ ଭଡା ପ୍ରାୟ ୮ରୁ ୧୦ ହଜାର ରହୁଥିବା ବେଳେ ଏବେ ଏହା ୨୫ ହଜାରକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଖାଦ୍ୟ, ପ୍ରସାଧାନ ସାମଗ୍ରୀ ଏବଂ ଗାଡି ଭଡା ମଧ୍ୟ ବୃଦ୍ଧି ପାଇଛି । କେବଳ ହୋଟେଲ ଇଣ୍ଡଷ୍ଟ୍ରି ୨୦୦ କୋଟିର ଊର୍ଦ୍ଧ୍ୱ ଲାଭ ପାଇବେ ବୋଲି ଆକଳନ କରାଯାଉଛି । ଉଭୟ ଟିମ ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି । ଏଠାରେ ଆଗକୁ ଅଲିମ୍ପିକ ଓ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳାଯିବାକୁ ଅଛି । ଦର୍ଶକଙ୍କ ଚାହିଦା ଅନୁସାରେ ସରକାର ଆବଶ୍ୟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସମୀକ୍ଷକମାନେ କହିଛନ୍ତି ।