ସିଗାରେଟ୍ କିମ୍ବା ତମାଖୁ ସେବନ କେବଳ ଫୁସଫୁସ୍ ଏବଂ ହୃତପିଣ୍ଡ ପାଇଁ କ୍ଷତିକାରକ ନୁହେଁ। ଏହା ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇଥାଏ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି। ସିଗାରେଟରେ ଥିବା ନିକୋଟିନ୍ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥାଏ ଯାହାର ସିଧାସଳଖ ନକାରାତ୍ମକ ପ୍ରଭାବ ବ୍ୟକ୍ତିର ଯୌନ ଜୀବନ ଉପରେ ପଡ଼ିଥାଏ।
ନିକୋଟିନ୍ ଏକ ଏପରି ରାସାୟନିକ ପଦାର୍ଥ ଯାହା ରକ୍ତନଳୀଗୁଡ଼ିକୁ ସଙ୍କୁଚିତ କରିଦିଏ। ଏହାର ପ୍ରଭାବ ପୁରୁଷ ଓ ମହିଳା ଉଭୟଙ୍କ ଉପରେ ଦେଖିବାକୁ ମିଳେ। ପୁରୁଷମାନଙ୍କ କ୍ଷେତ୍ରରେ ରକ୍ତ ପ୍ରବାହ କମିବା କାରଣରୁ ଇରେକ୍ଟାଇଲ୍ ଡିସଫଙ୍କସନ୍ ବା ଲିଙ୍ଗଗତ ସମସ୍ୟା ଦେଖାଦିଏ। ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଯୌନାଙ୍ଗକୁ ରକ୍ତ ସଞ୍ଚାଳନ କମିଯିବା ଯୋଗୁଁ ଯୌନ ଇଚ୍ଛା କମିବା ସହିତ ଶୁଷ୍କତା ଭଳି ଗୁରୁତର ସମସ୍ୟା ଉପୁଜିଥାଏ।
କେବଳ ସେତିକି ନୁହେଁ ଲଗାତାର ସିଗାରେଟ୍ ଟାଣିବା ଦ୍ୱାରା ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଇଥାଏ। ଧୂମପାନ କରୁଥିବା ପୁରୁଷମାନଙ୍କର ଶୁକ୍ରାଣୁ ସଂଖ୍ୟା କମିବା ସହ ଏହାର ଗୁଣବତ୍ତା ନଷ୍ଟ ହୋଇଥାଏ। ଅନ୍ୟପଟେ ମହିଳାମାନଙ୍କ କ୍ଷେତ୍ରରେ ଗର୍ଭଧାରଣରେ ଜଟିଳତା ଏବଂ ବନ୍ଧ୍ୟାଦୋଷ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ। ନିକୋଟିନ୍ ହର୍ମୋନ୍ ସନ୍ତୁଳନକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବିଗାଡ଼ି ଦିଏ।
ଅନେକ ଲୋକ ଭାବନ୍ତି ଯେ ଇ ସିଗାରେଟ୍ କିମ୍ବା ଭେପିଂ ସୁରକ୍ଷିତ । କିନ୍ତୁ ବିଶେଷଜ୍ଞଙ୍କ ମତରେ ଏଥିରେ ମଧ୍ୟ ବହୁ ମାତ୍ରାରେ ନିକୋଟିନ୍ ଥାଏ ଯାହା ସମାନ ଧରଣର କ୍ଷତି ପହଞ୍ଚାଇଥାଏ। ତେଣୁ ନିଜର ବୈବାହିକ ତଥା ଯୌନ ଜୀବନକୁ ସୁସ୍ଥ ରଖିବା ପାଇଁ ଆଜି ହିଁ ଧୂମପାନ ଛାଡ଼ିବା ନିହାତି ଆବଶ୍ୟକ। ସିଗାରେଟ୍ ଛାଡ଼ିବାର କିଛି ମାସ ମଧ୍ୟରେ ଶରୀରରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ହେବା ସହ ଯୌନ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Comments are closed.