ବନ୍ଦିତା ଦାଶ
ତୁମେ କେବେ ଆସ
ଶ୍ୱେତ ସମ୍ଭାବନା ହୋଇ
କେବେ ପୁଣି କୁହୁଡି ଚାଦର ଘୋଡି
କାକରରେ ଗୋଟାପଣେ ଭିଜି
ପାଚିଲା ଧାନ କିଆରୀ ଦେଇ
ଆମ ଗାଁ ଆଡେ।
ସୂର୍ଯ୍ୟ ଯେବେ ଲମ୍ବା ଲମ୍ବା ପାହୁଣ୍ଡ ପକାଏ
ଭାରି ତରତର ହୋଇ ପଶ୍ଚିମର ମୁଣ୍ଡିଆକୁ
ଛୁଇଁବାକୁ ଧାଏଁ ,
ପବନଟା ଭେଦୁଥାଏ ତାଳୁରୁ ତଳିପା’
ସେ ବେଳରେ ‘ଘୋଡଲାଗି’ ହୁଏ ,
ଉହ୍ମେଇରେ ସେକିହୁଏ
ଶୁକୁରା କି ମଙ୍ଗଳିର ଜୀବନ,
ଦଦରା କନ୍ଥାତଳେ
ଲୁଚି ଦୋଳି ଖେଳୁଥାଏ ସ୍ୱପ୍ନ,
ମକର ଆସିବା ଆଗରୁ
ନିକାଶ କରିବାକୁ ହେବ ପୁରୁଣା ହିସାବ;
ସଜାଡି ସାଇତିବାକୁ ହେବ
ଥାକ ଥାକ ଇଚ୍ଛା ଓ ଆଶାକୁ ।
ଏଥର ନୁହେଁ, ଆସନ୍ତା ଥରକୁ,
ବହୁବର୍ଣ୍ଣା ହୋଇ ମହକିବ —
ଏ କଥାକୁ ବାରବାର
ପଢିବାକୁ ହେବ,
ସବୁଥର ତୁମେ ଆସ
ତୁମର ସେ ଚିହ୍ନା ଚିହ୍ନା
ରଙ୍ଗ ଢଙ୍ଗ ନେଇ
ସପନର ରଙ୍ଗକୁ ଢାଙ୍କିଦେଇ
ଧଳା ଚାଦରରେ….
କେବେ ସହିଷ୍ଣୁତାର ପରୀକ୍ଷକ ସାଜି
ଧିରେ ନୀରବରେ ।।
ତୁମେ କେବେ ଆସ
ଧୂଆଁଳିଆ ଉଦାସ ଜାବୋତି,
ବାଡିପଟ ଖଳାରେ
କେବେ ଆସ ମନଖୋଲା ହସ ହସି
ଗେଣ୍ଡୁ , ସେବତୀରେ ..।
ଏଇ ତୁମ ପରିଚୟ
ବାରବାର ଆସୁଥାଅ
ଏ ଜୀବନରେ ,
ସୀମାହୀନ ଶ୍ୱେତ ସମ୍ଭାବନା ନେଇ
ତନୁରେ ମନରେ ।।