ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଘମାଘୋଟ ଲଢେଇ ଚାଲିଥିବା ବେଳେ କର୍ଣ୍ଣାଟକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଜେପିର ଅନ୍ତଃକନ୍ଦଳ ତୀଵ୍ର ହେବାରେ ଲାଗିଛି।
ସେପଟେ କେତେବେଳେ କଂଗ୍ରେସ ସରକାରକୁ ବିଜେପି ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି ତ କେତେବେଳେ ବିଜେପିକୁ ଆହୁରି ଦୁର୍ବଳ କରିବାକୁ କଂଗ୍ରେସ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ସେ ଭିତରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଡି କେ ଶିବକୁମାର ପୁଣିଥରେ ଭିତିରିଆ ଉଦ୍ୟମ କରୁଥିବା ଚର୍ଚ୍ଚା ମଧ୍ୟ ହେଉଛି।
ଏଭଳି ସ୍ଥିତିରେ ଡି କେ ଶିବକୁମାରଙ୍କ ଅପରେସନ ହସ୍ତ ମନ୍ତବ୍ୟ ପୁଣିଥରେ କର୍ଣ୍ଣାଟକ ସମେତ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଦଳ ବିଜେପି ଓ ଜେଡିଏସ କର୍ଣ୍ଣାଟକରେ ହାତ ମିଶାଇ ସାରିଛନ୍ତି।
ସେପଟେ ଶିବକୁମାର କହିଛନ୍ତି କି ଚଳିତ ମାସ ୧୫ ତାରିଖରେ ବିପକ୍ଷ ଦଳର ନେତାଙ୍କୁ କଂଗ୍ରେସରେ ସାମିଲ କରାଯିବ। ଗଣମାଧ୍ୟମ ସହ ଆଲୋଚନା ବେଳେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କେପିସିସି ସଭାପତି ଶିବକୁମାର କହିଛନ୍ତି କି ଅନ୍ୟ ଦଳର ଲୋକ କଂଗ୍ରେସରେ ସାମିଲ ହେବା କଥା କୁହାଯାଉଛି।
ତାଙ୍କ ପାଖରେ ଏକ ଆପଏଣ୍ଟମେଣ୍ଟ କାର୍ଡ ଅଛି ଯେଉଁଥିରେ ତାଙ୍କ ଦଳରେ ସାମିଲ ହେବାର ତାରିଖ ନଭେମ୍ବର ୧୫ ହେବ ବୋଲି ସେ କହିଛନ୍ତି। ଏସବୁ ନେତାଙ୍କ ନାଁ ନଭେମ୍ବର ୧୪ ତାରିଖରେ ଖୁଲାସା କରାଯିବ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିଜେପି ଓ ଜେଡିଏସ ନେତାମାନେ କଂଗ୍ରେସରେ ସାମିଲ ହେବା କଥା କହିଥିଲେ। ଏବେ ଶିବକୁମାର ଏ କଥା କହିବା ପରେ ଚର୍ଚ୍ଚା ଆହୁରି ବଢିଯାଇଛି। ଜେଡିଏସ ବିଜେପି ସହ ହାତ ମିଶାଇବା ପରେ ଜେଡିଏସରେ ବିଦ୍ରୋହ ତୀଵ୍ର ରୂପ ନେଇଛି।
ଏପରିକି କିଛି ଦିନ ତଳେ ଖୋଦ ନିଜ ଦଳର ରାଜ୍ୟ ସଭାପତିଙ୍କୁ ଦଳ ବାହାର କରିଦେଇଛି। ହାସନରେ ଜେଡିଏସ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶିବକୁମାର ଏ କଥା କହିଛନ୍ତି। ଏହି ବୈଠକରେ ଜେଡିଏସର ୧୮ ବିଧାୟକ ଦଳ ଛାଡିବେନି ବୋଲି ଶପଥ ନେଇଛନ୍ତି।
ଏହାକୁ ନେଇ ଶିବକୁମାର କହିଛନ୍ତି କି ଜେଡିଏସ ନେତାଙ୍କୁ ଏକଜୁଟ ରହିବାକୁ ଶପଥ କାହିଁକି ନେବାକୁ ପଡୁଛି। ଏଭଳି ସ୍ଥିତିକୁ ସେମାନେ କାହିଁକି ଆସୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ବିଜେପିକୁ ମଧ୍ୟ କଟାକ୍ଷ କରିଛନ୍ତି ଶିବକୁମାର।
କଂଗ୍ରେସର କିଛି ନେତା ଦଳ ଛାଡିପାରନ୍ତି ଓ କଂଗ୍ରେସର ବହୁ ବିଧାୟକ ମହାରାଷ୍ଟ୍ର ସହିତ କିଛି ଅନ୍ୟ ରାଜ୍ୟର ବିଜେପି ନେତାଙ୍କ ସହ ଆଲୋଚନା କରିଥିବା ବିଜେପି ପକ୍ଷରୁ କରାଯାଇଥିବା ଦାବିକୁ ଖାରଜ କରିଛନ୍ତି ଶିବକୁମାର। ବିଜେପି ବଡ଼ ଭ୍ରମରେ ଅଛି ଓ ଦଳକୁ ଜଣାନାହିଁ ତାଙ୍କ ଦଳରେ କଣ ସବୁ ହେଉଛି ବୋଲି ଶିବକୁମାର କହିଛନ୍ତି।
ସେପଟେ ଏଭଳି ସମୟରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଶିବକୁମାରଙ୍କୁ ଦେଖା କରିବା ପରେ ଏ ପ୍ରସଙ୍ଗରେ ଚର୍ଚ୍ଚା ଆହୁରି ତୀଵ୍ର ହୋଇଛି। ସେପଟେ ଏସବୁକୁ ନେଇ ଜେଡିଏସ ନେତା କୁମାରସ୍ୱାମୀ ଶିବକୁମାରଙ୍କୁ ଟାର୍ଗେଟ କରିଛନ୍ତି।
୧୫ ନଭେମ୍ବରରେ କଣ ହେବ ଦେଖିବା ବୋଲି ବୋଲି ସେ କହିଛନ୍ତି। ତାଙ୍କ ଦଳର ବିଧାୟକ କଂଗ୍ରେସକୁ ଯାଉଛନ୍ତି କିମ୍ବା କଂଗ୍ରେସ ବିଧାୟକ ଦଳ ଛାଡ଼ୁଛନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି। ତେଣୁ ନିର୍ବାଚନ ବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା କର୍ଣ୍ଣାଟକ ଏବେ ଅନ୍ୟ ପ୍ରମୁଖ ରାଜ୍ୟର ନିର୍ବାଚନ ବେଳେ ମଧ୍ୟ ଚର୍ଚ୍ଚାରେ ରହିଛି।
ତେଣୁ ଅନ୍ୟ ରାଜ୍ୟର ନିର୍ବାଚନ ବେଳେ ଏ ପ୍ରସଙ୍ଗ ଉଠାଯିବ କୌଣସି ରାଜନୈତିକ ଗୋଟି ଚାଳନାର ଅଂଶ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି।