Latest Odisha News

BREAKING NEWS

କ୍ରିପ୍ଟୋ ପୁଞ୍ଜି ନିବେଶ ଠକେଇ ମାମଲାରେ ଏସଟିଏ ଇଣ୍ଡିଆର ଝାଡ଼ଖଣ୍ଡ ମୁଖ୍ୟ ଗିରଫ

ଭୁବନେଶ୍ୱର: କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲାରେ ଇଓଡବ୍ଲୁ ଏସଟିଏ ଇଣ୍ଡିଆର ଝାଡ଼ଖଣ୍ଡ ମୁଖ୍ୟ ତଥା ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ଟୁଡୁକୁ ଗିରଫ କରିଛି। ଅଭିଯୁକ୍ତ ସୁଶୀଲ ଝାରଖଣ୍ଡର ଧନବାଦ ଜିଲ୍ଲାର ନିବାସୀ। ତାକୁ ନିରସା ଥାନା ଅଞ୍ଚଳରୁ ଗିରଫ କରାଯାଇଛି।

ଅଭିଯୁକ୍ତକୁ ଗିରଫ କରାଯିବା ପରେ ଧାନବାଦର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ସୁଶୀଲ କୁମାର ଟୁଡୁଙ୍କ ବ୍ୟାଙ୍କ ଖାତାରେ ଥିବା ୧୫.୫୩ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ପୂର୍ବରୁ ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିଲା। ଏଥିପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା। ଏହାପରେ ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା।

ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଧରାପଡିନାହିଁ। କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ୱ ଠକେଇ ମାମଲାରେ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି ହୋଇଛି। ସେହିପରି ଡେଭିଡ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି କରିଛି ବ୍ୟୁରୋ ଅଫ୍ ଇମିଗ୍ରେସନ।

ଅନୁସନ୍ଧାନ ସମୟରେ ଜଣାପଡିଛି ଯେ ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ଟୁଡୁଙ୍କ ଅଧୀନରେ ଓଡିଶା ଏବଂ ଝାଡଖଣ୍ଡରେ ହଜାର ହଜାର ଡାଉନଲାଇନ ସଦସ୍ୟ ଅଛନ୍ତି ଏବଂ ସେ ଡାଉନଲାଇନ ସଦସ୍ୟଙ୍କଠାରୁ ସଂଗୃହୀତ ରାଶିରୁ ୪ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ଦୈନିକ ଆୟ ୮୦,୦୦୦ ଟଙ୍କା ଥିଲା। ଜାଲିଆତି ରାଶିରୁ ଚଳନଶୀଳ ସମ୍ପତ୍ତି ସମେତ ସେ ବୃହତ ଜମିଜମା ଅର୍ଜନ କରିଛନ୍ତି। ଏସଟିଏ ଟୋକେନ୍ ସଂସ୍ଥା କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ବୋଲି ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed.