ନୂଆଦିଲ୍ଲୀ: ବିସିସିଆଇ ରାହୁଲ ଡ୍ରାଭିଡ ଏବଂ ସପୋର୍ଟିଂ କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି । ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି ପଛରେ ରୋହିତ ଶର୍ମା ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ଏକା ଜିଦ ଧରିଥିଲେ କୋଚ ଭାବେ ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉ । ଅପରପକ୍ଷରେ ରିପୋର୍ଟ ଅନୁସାରେ ଆଶୀଷ ନେହେରାଙ୍କୁ ଟି୨୦ କୋଚ କରିବା ପାଇଁ ବିସିସିଆଇ ଆଗ୍ରହୀ ଥିଲା । ଏଥିନେଇ ତାଙ୍କ ସହିତ ଯୋଗାଯୋଗ ମଧ୍ୟ କରାଯାଇଥିଲା । ତେବେ ଗୁଜରାଟ ଟାଇଟାନ୍ସ କୋଚ ଏଥିନେଇ ରାଜି ହୋଇ ନ ଥିଲେ । ସୂଚନାଯୋଗ୍ୟ, ନେହେରାଙ୍କ ପ୍ରଶିକ୍ଷଣରେ ଗୁଜରାଟ ଟାଇଟାନ୍ସ କ୍ରମାଗତ ୨ଟି ସଂସ୍କରଣର ଫାଇନାଲରେ ପ୍ରବେଶ କରିଥିଲା ।
ଡ୍ରାଭିଡଙ୍କ ଦୁଇ ପୁଅ ଘରୋଇ କ୍ରିକେଟରେ କର୍ଣ୍ଣାଟକ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନଙ୍କ ସହ ଅଧିକ ସମୟ କାଟିବା ପାଇଁ ଡ୍ରାଭିଡ ଚାହୁଁଥିଲେ । ଏବେ ସମସ୍ତଙ୍କ ଅନୁରୋଧ ପରେ ସେ କୋଚ ଭାବେ ରହିବା ପାଇଁ ରାଜି ହୋଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଟିମ ଇଣ୍ଡିଆ ୩ଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ଦିନିକିଆ ବିଶ୍ୱକପରେ ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ।
Comments are closed.