ଭୁବନେଶ୍ୱର: ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 5T ଉପକ୍ରମରେ ବିଭନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍ ମଡେଲ୍ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ‘ସୁସ୍ଥ ଓଡିଶା ସୁଖୀ ଓଡିଶା’। ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି। ନୂଆ ନୂଆ ମେଡିକାଲ କଲେଜ୍ ଖୋଲୁଛି। ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି। ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମଚାରୀ ପଦବୀ ପୂରଣ ହେଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ୍- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ’। ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି ଚାଲିବୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Comments are closed.