Latest Odisha News

BREAKING NEWS

ସରିଲା ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥ ସମ୍ପୂର୍ଣ୍ଣ ଲେଜର୍ ସ୍କାନିଂ, ରିପୋର୍ଟକୁ ଅପେକ୍ଷା

ପୁରୀ: ଶେଷହେଲା ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ସମ୍ପୂର୍ଣ୍ଣ ଲେଜର୍ ସ୍କାନିଂ । ଏଏସଆଇ ପକ୍ଷରୁ ଦୁଇ ଦିନ ଧରି ୧୫ ଜଣିଆ ଟିମ୍ ଦ୍ଵାରା ଚାଲିଥିଲା ଏହି ସ୍କାନିଂ ପ୍ରକ୍ରିୟା । ପ୍ରଥମ ଦିନରେ ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଓ ଦ୍ଵିତୀୟ ଦିନରେ ଉତ୍ତର ଭାଗର ୮ଟି ପଏଣ୍ଟ ମିଶାଇ ୨ ଦିନରେ ମୋଟ ୪୫ ଟି ପଏଣ୍ଟ ସହ ଯୋଡେଇ ସ୍ଥାନରେ ଲେଜର୍ ସ୍କାନିଂ ସରିଛି । ବର୍ତ୍ତମାନ ତଥ୍ୟ ସଂଗ୍ରହ ପରେ ଏହାର ଅନୁଧ୍ୟାନ କରାଯିବ । ଏହାର ରିପୋର୍ଟ ଆସିବା ପରେ ପାର୍ଶ୍ଵ ଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ କରାଯିବ । ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାର ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କ ଚିଠି ଲେଖାଯିବ ।

ଅନ୍ୟପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇ ସୁପରିଟେଣ୍ଡେଟଙ୍କ ବୈଠକ ହୋଇଥିଲା । ବୈଠକରେ ଲେଜର ସ୍କାନିଂ ଡକୁମେଣ୍ଟେସନ୍, କିଭଳି ଏହି କାର୍ଯ୍ୟ କରାଯାଉଛି, ରିପୋର୍ଟ କିଭଳି ଓ କେବେ ପ୍ରସ୍ତୁତ ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଡାଟା ଟ୍ରାନସଫର୍ ପରେ ବର୍ତ୍ତମାନ ଆନାଲିସିସ୍ କରାଯିବ ।

ଲେଜର୍ ସ୍କାନିଂ ସହ ନାଟମଣ୍ଡପ ଵିମ୍ ମରାମତି କାର୍ଯ୍ୟ କିଭଳି ଦୃତ ଗତିରେ ହେବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯାଇଛି । କାର୍ତ୍ତିକ ମାସ ଗହଳି ଯୋଗୁଁ କେବଳ ଅଳ୍ପ ଭାରା ବନ୍ଧା ହୋଇଥିଲା । ଏବେ କାର୍ତ୍ତିକ ମାସ ଶେଷ ହେବା ପରେ ନାଟମଣ୍ଡପ ଵିମ୍ ମରାମତି କାର୍ଯ୍ୟ ତ୍ବରାନ୍ବିତ କରାଯିବ ।

ତେବେ ଭିତର ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ବେଳେ ଏହାର ଏଯାବତ୍ ଲେଜର୍ ସ୍କାନିଂ ହୋଇନାହିଁ । ଫଳରେ ପ୍ରକୃତରେ ଭିତର ରତ୍ନଭଣ୍ଡାରର ସ୍ଥିତି କିଭଳି ରହିଛି ଓ ତାହା ଭିତରେ ଥିବା ସ୍ଵର୍ଣ୍ଣ ଅଳଙ୍କାର ସ୍ଥିତି କିଭଳି ରହିଛି ତାହା ଏବେ ମଧ୍ୟ ଦ୍ୱନ୍ଦ୍ୱରେ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ସେବାୟତ ମାନେ ଭିତର ରତ୍ନଭଣ୍ଡାରର ଯାଞ୍ଚ ତଥା ସ୍ଵର୍ଣ୍ଣ ଅଳଙ୍କାର ଗଣତି କରି ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।

ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥ ସମ୍ପୂର୍ଣ୍ଣ ଲେଜର ସ୍କାନିଂ ଶେଷ ହୋଇଛି । ଏହି ରିପୋର୍ଟ ଆସିବା ପରେ ଯଦି କିଛି ଫାଟ ଥିବା ଜଣା ପଡ଼େ ତେବେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କ ଚିଠି ଲେଖାଯିବ ବୋଲି ଏଏସ୍ଆଇ ସୁପରିଟେଡେଣ୍ଟ କହିଛନ୍ତି ।

 

Leave A Reply

Your email address will not be published.