Latest Odisha News

କବିତା : ସ୍ମୃତି

ସୁଷମା ପରିଜା 

ଏମିତିକା କଥା ତ ନଥିଲା,  ଚାଲୁ ଚାଲୁ
ବାଟଭାଙ୍ଗି ଚାଲିଯିବ ବୋଲି ।
ବାହା ବେଦୀରେ ସାତ ଦୀପ ,ଷୋହଳ କଳସ ସହ
ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ପରା
ତୁମେ ସାତ ବଚନ ଦେଇଥିଲ
ସାଥୀ ମୋର ହେବ ବୋଲି ସାତ ଜନ୍ମ ଯାଏଁ।

ହେଲେ ଇଏ କ’ଣ କଲ ?
ଗୋଟିଏ ଜନ୍ମ ବି ସାଥୀ ହୋଇ ରହି ପାରିଲନି,
ଆଖି ପିଛୁଳାକେ ହାତରୂ ହାତ ଖସେଇ ଉଭାନ୍ ହେଇଗଲ
ଥରଟିଏ ବି ଭାବିଲନି କେମିତି ରହିବୁ ଆମେ ତୁମ ବିନା !
ଟିକିଏ ହେଲେ ବି ଭାବିଲନି ମୋ କଥା
ତମର ନଅ ବର୍ଷର ମାମା ଆଉ ଚାରି ବର୍ଷର ବାବାଙ୍କ କଥା,
ତମ ଘରକରଣାର କଥା,
ଯାହାକୁ ସମ୍ଭାଳିବାକୁ ତମେ
ବାହାଘରର ଦଶ ବର୍ଷ ଯାଏ
ଘରୁ ଗୋଡକାଢି ଯାଇ ନଥିଲ ମୋ ସାଥିରେ
ମୋର ଶତ ଅନୁରୋଧ ସତ୍ତ୍ୱେ ମଧ୍ୟ ।।

ସବୁ ତ ସେଇମିତି ଅଛି,
ଡ୍ରେସିଂ ଟେବୁଲ ଉପରେ ତମ ରୂପାର ସିନ୍ଦୂର ଫରୁଆ,
ମାଳ ମାଳ ଚୁଡି, ଭଳିକିଭଳି ଆର୍ଟିଫିସିଆଲ୍ ଜୁଏଲାରୀ,
ଆଲ୍ ମୀରାରେ ଥାକ ଥାକ ଶାଢୀ ଆଉ ଡ୍ରେସ୍ ମାନ,
ହଳକୁ ହଳ ଡିଜାଇନର ଚପଲ ସବୁ ଥାକରେ ସେମିତି ପଡି ରହିଛି ।
ଖାଲି ତମେ ନାହଁ , ଚାଲି ଯାଇଛ ସବୁଦିନ ପାଇଁ
ମତେ ନିଃସଙ୍ଗ କରି, ନିର୍ବାକ୍ କରି ।

ଲକ୍ଷ ଲକ୍ଷ ଶତୃମାନଙ୍କ ସହିତ ଲଢି
ଫେରିଥିବା ବୀର ସୈନିକଟିଏ ମୁଁ
ଆଜି ନିଜ ଅନ୍ତରାତ୍ମା ସହ ଲଢେଇ କରି
ହାରି ଯାଉଛି, ଥକି ଯାଉଛି,
କେମିତି କାଟିବି ଏତେ ଲମ୍ବା ଜୀବନ?
କେମିତି ମଣିଷ କରିବି ପିଲାମାନଙ୍କୁ??
କେମିତି ଭୁଲିବି ତମକୁ ? ??
ସଂସାର ପ୍ରତି ଚିରଦିନ ଉଦାସୀନ ଏଇ ମଣିଷଟାକୁ
ସତର ବର୍ଷ କାଳ ତମେ ହିଁ ସମ୍ଭାଳି ଥିଲ
ତମ ପାରିବାପଣିଆରେ
ଆଉ ଏବେ ମୁଁ ଉବୁଟୁବୁ ହୋଇ
ଅଣନିଃଶ୍ବାସୀ ହୋଇ ଯାଉଛି ,ଥଳକୂଳ ପାଉନି ,
ତମେ ଦୂର ଆକାଶରେ ତାରାଙ୍କ ମେଳରେ ହସୁଛ ,
ମୋ ନିପାରିଲା ପଣିଆକୁ ଦେଖି ।।

ଅକାଳରେ ଝରି ପଡିଥିବା ଶେଫାଳି ମୋ’ର !
ଥରଟିଏ ତ ଆସ। ମତେ ବଞ୍ଚିବାର ରାହା ବତେଇ ଯାଅ।
ମୋ ବିନିଦ୍ର ଆଖିରେ ବହଳ ନିଦ ଟିକେ ଦିଅ ଆଉ
ମତେ ତମ ବିନା ଜିଇଁବାର କଳା ଟି ଶିଖାଅ ।।

 ଶାରଳା ଭବନ  ପୋତାପୋଖରୀ  ନୂଆବଜାର  କଟକ

Comments are closed.