ତରୁଣ କୁମାର ମିଶ୍ର
ଆହା କି ସୁନ୍ଦର ସୁନାର ଫସଲ
ପବନରେ ଦୋଳାୟିତ ,
କାକର ଭିଜାରେ ପୂର୍ଣ୍ଣଗଭା ହୋଇ
ଖିଲି ଖିଲି ହସେ କ୍ଷେତ ।
ସବୁଜ ପତ୍ରର ସମ୍ଭାରରେ ଥାଇ
ସୁନେଲି ଧାନର କେଣ୍ଡା ,
କ୍ଷେତକୁ ହସାଏ ମନ ମୋହିନିଏ
ତା’ ର ରୂପକାନ୍ତି ଆଭା ।
ଧାନକ୍ଷେତ ପରେ ହିଡ଼ମୁଣ୍ଡେ ବସି
ଆନନ୍ଦରେ ଚଷାପୁଅ ,
ଧାନକେଣ୍ଡା ହାତେ ଆଉଁସି ପକାଏ
ଆଖିରେ ଆଖିଏ ଲୁହ ।
ଭକ୍ତିରେ ମାଆଙ୍କୁ କରି ସୁମରଣା
ଆଖି ପୋଛେ ଗାମୁଛାରେ ,
ତା ମନ କଥାକୁ କ୍ଷେତର ଫସଲ
ବୁଝୁଥାଏ ପବନରେ ।
ହାତ ପାଆନ୍ତାରେ ମଗୁଶିର ଆସି
ହିଡ଼ମୁଣ୍ଡେ ଅଛି ବସି ,
କାର୍ତ୍ତିକ ପୂର୍ଣ୍ଣମୀ ବାସି ତିଆସିକୁ
ଚାଷୀ ଅନିଶା କରିଛି ।
ଘରକୁ ଆସିବେ ମାଆ ସାଆନ୍ତାଣୀ
ଘରଣୀକୁ ନାହିଁ ତର ,
ଲିପା ପୋଛା କରି ପକାଇବ ଝୋଟି
ପୂଜିବ ମାଆଙ୍କୁ ତା’ ର ।
ପ୍ରକୃତ ଆନନ୍ଦ ଚାହୁଁଅଛ ଯଦି
ଆସ ଚାଷୀର କ୍ଷେତକୁ ,
ପ୍ରକୃତି ସାଥିରେ ମାଟିର ପୁଅଯେ
କଥାହୁଏ ଦେଖିବାକୁ ।
ନୈସର୍ଗିକ ଶୋଭା ପ୍ରକୃତିର ଆଭା
ଅଛି ଏ ଧାନକ୍ଷେତରେ ,
କୃଷି କୃଷକର ନିବିଡ଼ ସମ୍ପର୍କ
ଦେଖିଯାଅ ଆସିଥରେ ।
ଖଣ୍ଡଗିରି ,ଭୁବନେଶ୍ବର
Comments are closed.