ପଞ୍ଚାନନ ମିଶ୍ର
ଜଦୀର୍ଘ ସୁଡ଼ଙ୍ଗର ଏପଟେ ମୁଁ
କିଏ ଜଣେ ଅପେକ୍ଷା କରିଥାଏ
ସୁଡ଼ଙ୍ଗ ଯେଉଁଠି ଶେଷ ହୋଇଯାଏ ।
ସୁଡ଼ଙ୍ଗ ଭିତରେ କେବଳ
ଶବ୍ଦ ପରେ ଶବ୍ଦ
ଛନ୍ଦାଛନ୍ଦି ପରସ୍ତରେ
ଟିକିଏ ବି ଶୂନ୍ୟସ୍ଥାନ
ନଥାଏ ସେଠାରେ ।
ସୁଡ଼ଙ୍ଗ ଭିତରେ
ବିଚ୍ଛୁରିତ ଆଲୋକର ରେଖା
ଆଲୋକ କ’ଣ କରୁଥାଏ ସୁଡ଼ଙ୍ଗ ଭିତରେ ?
ଶବ୍ଦ ଉପରେ ଶବ୍ଦ ଲଦି ହେବା ବେଳେ
ହୋରି ଖେଳ ଚାଲିଥାଏ ।
ଭିନ୍ନ ଭିନ୍ନ ରଙ୍ଗର ।
ଥରେ ପ୍ରବେଶ କଲେ ସୁଡ଼ଙ୍ଗ ଭିତରେ
ମୁଁ ପଡ଼ୁଥାଏ ଉଠୁଥାଏ
ଏକ ଲକ୍ଷ୍ୟ ରଖି ସାକ୍ଷାତ ହେବ
ଦିନେ ନା ଦିନେ
ସୁଡ଼ଙ୍ଗର ଆରପଟେ
ଅପେକ୍ଷା କରିଥିବା ଲୋକସହ,
ଯିଏ ସବୁ ହରାଇଲା ପରେ ବି
ଗୀତଟିଏ ଗାଉଥିବ
ଉନ୍ମାଦରେ ପ୍ରମତ୍ତ ହୋଇ ନାଚୁଥିବ
କିଛି ମହାର୍ଘ ବସ୍ତୁ ପାଇଗଲା ପରି
ଯାହା ସେ ଖୋଜୁଥିଲା
ସବୁକିଛି ବାଜିରେ ଲଗାଇ ।
Comments are closed.