Latest Odisha News

BREAKING NEWS

ମୋକ୍ଷ

ମୋକ୍ଷ

ସ୍ମୃତିପ୍ରଭା ସାହୁ

ବର୍ଷା । ଖୁବ ଜୋର ବର୍ଷା । କାଳି ଅନ୍ଧାରକୁ ଦେହରେ ମାଖି ଆକାଶରୁ ସେ ବର୍ଷା ମନଇଛା ବର୍ଷୁଥାଏ । ଛାତି ତଳର କୋହ ବା କାହା ଆଖିରେ ଶୁଖିଯାଇଥିବା ଲୁହ ଯେମିତି, ବର୍ଷୁଥାଏ ମନଇଚ୍ଛା । ଥମିବାର ନାଁ ଧରୁନଥାଏ ।

ଏହି ବର୍ଷାରେ ହଠାତ ମେନରୋଡରୁ ଗୋଟାଏ ବଡ଼ ଅଡ଼ି କାର ବସ୍ତି ଭିତରକୁ ପଶିଲା । ସେ ବସ୍ତିପାଇଁ ସୌଭାଗ୍ୟ ତ ନଥିଲା, ତଥାପି କାହା ଜୀବନର ପୁରୁଣା ଅଧ୍ୟାୟକୁ ସେ ଆଉଥରେ ଝଲକାଉଥିଲା ଯେମିତି ନିଜ ଦେହରେ ।

ଗାଡି ଭିତରେ ଥିଲେ ମିଷ୍ଟର ଅମୀୟ ସାମନ୍ତରାୟ । ବିଶିଷ୍ଟ ଶିଳ୍ପପତି । ସମ୍ବଲପୁର ସହରରେ ଭାରି ଜଣାଶୁଣା ବ୍ୟକ୍ତିତ୍ୱ । ବୟସ ପ୍ରାୟ ୪୫ ହେବ । କିନ୍ତୁ ହାବଭାବ ଓ ଚମକରେ ସେ ଚିରସବୁଜ । ସହରତଳି ଗୋଟାଏ ବସ୍ତିପାଖ ଜମିରେ ନୂଆ ପ୍ରୋଜେକ୍ଟ ପାଇଁ ସେ ବାହାରି ଯାଇଥିଲେ ଭୋରରୁ । ଡିଲ ଫାଇନାଲ ସରୁସରୁ ସନ୍ଧ୍ୟା ହୋଇଗଲା । ସାଙ୍ଗରେ ଥାଏ ଝିଅ ଷ୍ଟେପଲିନ । ବିଶିଷ୍ଟ ଶିଳ୍ପପତିଙ୍କ ଝିଅ ଭାବରେ ତା’ର ଚାଲିଚଳଣି, ହାବଭାବ, କଥାଭାଷା ।

ବାପଝିଅ ଦୁହେଁ ଫେରିବା ବାଟରେ ହଠାତ ଆକାଶଟାର ରଙ୍ଗ ବଦଳିଗଲା । ମେଘ ସହ ଆକାଶରେ ପବନ ବେଶ ବେଗଗାମୀ । ଚକମକ ବିଜୁଳିରେ ଦେହମନ ଝଲସି ଯାଉଥାଏ । ସହରର ମୁଖ୍ୟରାସ୍ତା ସବୁରେ ବଡ଼ବଡ଼ ଗଛ ପଡ଼ି ରାସ୍ତାରୋକ । ଖୁବ ଡେରି ହୋଇଗଲାଣି । ବିଜୁଳି ଚମକରେ ଯାହା କିଛି ଦିଶୁଥାଏ ଖାଲି ସାମ୍ନାର ବସ୍ତି ।

ପୁଣି ସେ ପୁରୁଣା ଫର୍ଦ୍ଧ ଅତୀତର । ଯାହା ଆଜି ସ୍ମୃତି । ସେ ସ୍ମୃତି ତ ଜହିଯାଇଛି କୋଉ ଅଚିହ୍ନା-ଅଜଣା ସ୍ରୋତରେ । ତଥାପି ସେଇ ପୁରୁଣା ଘା’କୁ ଉଖାରିବାରେ କ’ଣ ଥାଏ ଯେ? ଅତୀତକୁ ମନେ ପକାଇ ଖାଲି କଷ୍ଟ ଯାହା ମିଳେ ଖାଲି । ସତେଜ ହୋଇଯାଏ ଅତୀତ, ପୁରୁଣା ସେଇ ସବୁକିଛି ।

ଗାଡିର ଗତି ବସ୍ତି ଭିତରକୁ ଦେଖି ଗର୍ଜିଉଠିଲେ ଅମୀୟ ବାବୁ । ୟାଡେ କୁଆଡେ ଡ୍ରାଇଭର । ଗାଡିବୁଲା ।

ଡ୍ରାଇଭରର ଉତ୍ତର ଆସିଲା- ବାବୁ ସବୁ ତ ରାସ୍ତାବନ୍ଦ । ଏଇ ବସ୍ତି ରାସ୍ତାରେ ଟିକେ ଅଟକି ଯିବା, ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ।

ପରିସ୍ଥିତିର ମୁକାବିଲା କରିବାକୁ ଅମୀୟ ବାବୁ “ଆଃ’ ଟିଏ ମାରିଲେ । ହେଲେ ନିଶ୍ୱାସର ଗତି ବଢ଼ିଚାଲିଥାଏ ।

ନାଲି ରଙ୍ଗର ଆଣ୍ଠୁ ଯାଏ ପିନ୍ଧା ସ୍ଳିଭଲେସରେ ଝିଅ ଷ୍ଟେପଲିନ ବର୍ଷାକୁ ବଡ଼ କାର ଭିତରେ ବସି ଉପଭୋଗ କରୁଥାଏ । ଠିକ ଏଇ ସମୟରେ ଗାଡ଼ି ଲାଇଟ ଦେଖି କେଇଟା ମଇଳା ମଣିଷ ଦୌଡ଼ିଆସିଲେ ଗାଡ଼ିପାଖକୁ । ଏଡେ଼ ବଡ଼ ବର୍ଷାରେ କାଳେ କିଏ ଆଶ୍ରୟ ଖୋଜୁଥିବ । ନୁଆଣିଆ ଚାଖଣ୍ଡେ ଘରେ ବି ସେ ସ୍ନେହ ବାଣି୍ଟବାକୁ ସେମାନେ ପ୍ରସ୍ତୁତ । ମାନବିକତାର ଦୟାମୂର୍ତ୍ତି ଯେମିତି । ମଇଳା ଦେହ ହେଉପଛେ ମନରେ ମଇଳା ବିଲକୁଲ ନାହିଁ।

ବଡ଼ ଗାଡ଼ିର କାଚ ଖଟଖଟ କରି ମଇଳା ଲୋକ କେଇଟା ବାରମ୍ବାର ପ୍ରଶ୍ନ କରିବାକୁ ଲାଗିଲେ- କ’ଣ ଅସୁବିଧା? ଆଶ୍ରୟ ନେବେ କି?

ବର୍ଷା ତ ଛାଡ଼ିବାର ନାଁ ଧରୁନି । ପାଣି ଲହଡ଼ା ମାରୁଛି ପାଖ ନଈରେ । ବନ୍ଧ ଭିତରେ ।

ଡୋର ଖୋଲି ଅମୀୟବାବୁ କହିଲେ- ନାଁ ଆମେ ଠିକ ଅଛୁ । ବର୍ଷା ଛାଡ଼ିଲେ ଚାଲିଯିବୁ ।

ଡୋର ଖୋଲିବାରୁ ବାହାରର ଥଣ୍ଡା ଆଉ ପାଣି ଛିଟକାରେ ହାଲକା ବତୁରି ଯାଇଥିଲା ସ୍ୱଳ୍ପ ଭାବରେ ଷ୍ଟେପଲିନ କିଛିକ୍ଷଣ ପାଇଁ । ଶୀତରେ ସେ ମନେମନେ ଖୋଜୁଥିଲା ନିଜର ଉଷୁମ ରୁମ ଆଉ ବିଲାତି ଉଷୁମ ବ୍ଲାଙ୍କେଟ ।

ଠିକ ଏହି ସମୟରେ ଧୂଳିଧୂସରିଆ ନାଲି ରଙ୍ଗ ଡ୍ରେସପିନ୍ଧା ଝିଅଟିଏ ଆସି କାର କାଚକୁ ଖଟଖଟ କଲା । କାଚ ଖୋଲି ଷ୍ଟେପଲିନ ପଚାରିଲା- କ’ଣ?

ଝିଅଟି ବଡ଼ ଲାଜରେ ନିଜେ ଢାଙ୍କିଥିବା ଓଢଣିଟିକୁ ଘୋଡାଇ ହେବାକୁ ଦେଇ ଚାଲିଗଲା ଷ୍ଟେପଲିନକୁ । ରାଗରେ ଗର୍ଜିଉଠିଲା ଷ୍ଟେପଲିନ ।

ଛି! କି ଅସନା, କେଡେ ଅସନା ଏ ମଣିଷଗୁଡା । କି ଅସନା ଏ ପରିବେଶ । ମୁଁ ପୁଣି ଏ ଅସନା ଓଢଣି ଘୋଡିହେବି । ଡାଡି ଜଲଦି ଚାଲ ଏ ଜାଗାରୁ । ପ୍ଲିଜ ।

ଚୁପ କର । କ’ଣ ଏମିତି କଥାବାର୍ତ୍ତା କରୁଛୁ? ଗର୍ଜିଉଠିଲେ ଅମୀୟବାବୁ ।

ଭୁଲିଯାଆନା ତୁ ଗୋଟେ ସେଇ…

ଷ୍ଟେପଲିନର ପ୍ରଶ୍ନ ଆସିଲା- କ’ଣ ଡାଡି! କ’ଣ ମୁଁ ସେଇ?

ଷ୍ଟେପଲିନ କ୍ରମଶଃ ଡାଡିଙ୍କର ଏଭଳି ରିଆକ୍ସନ ଦେଖି ଚୁପ ହୋଇଗଲା । ସେ କିଛି ବୁଝିପାରିନଥିଲା ।

ହେଲେ ନିଜକୁ ବୁଝାଇ ପାରୁନଥଲେ ଅମୀୟ ସାମନ୍ତରାୟ । ପୁରୁଣା ଘା’ ଛାତିରେ ଯେମିତି ପୁଣି ବିଗୁସୁଥାଏ । ଦେହରେ ମନରେ ଖାଲି ତାତି ଫୁଟୁଥାଏ । ଅସହାୟ ହୋଇପଡୁଥିଲେ ଅମୀୟ ।

ମଥାରେ ହାତ ଦେଇ, ଆଖିକୁ ଟିକେ ବିଶ୍ରାମ ଦେବାର ବାହାନା କରୁକରୁ, ମନେ ପଡ଼ିଯାଉଥିଲା ପିଲାଦିନ । ଫଗୁଖେଳ । ମଳିମୁଣ୍ଡିଆ ଦେହରେ ମା’ର ସେ ହାତସାଉଁଳା । ଚିରାକନାରେ ଦୁର୍ଭାଗ୍ୟକୁ ସୌଭାଗ୍ୟ ମାନିବାର କଳ୍ପନା । ବାପାଙ୍କର ସ୍ନେହଶ୍ରଦ୍ଧା ସବୁକିଛି ।

ଅତୀତ ଭିଡିନେଇଥିଲା ତାଙ୍କୁ; ଝଲସି ଉଠୁଥିଲା ସେଇ ସବୁକିଛି ଯାହାସେ ଭୁଲିବାର ଛଳନା କରିଆସୁଥିଲେ ନିଜ ସହ । ସେ ବାରମ୍ବାର ଚେଷ୍ଟା କରିଛନ୍ତି ନଯିବାକୁ ସେ ଅନିଶ୍ଚିନ୍ତ ଇଲାକା । ସେ ପ୍ରଶ୍ନବାଚୀର ଦିଗବଳୟକୁ ଅବା ଚୋରାବାଲିରେ ଅସ୍ତିତ୍ୱକୁ ଖୋଜିବାକୁ ସେ ସର୍ବଦା ନିଜକୁ ଘୋଡାଇଛନ୍ତି ଖୋଳପାରେ । ସଭ୍ୟ ଭାବରେ । ଶିଳ୍ପପତି ଭାବରେ । …ତଥାପି! ତଥାପି, ସେସବୁ ବାରମ୍ବାର ଆସି ମୁଣ୍ଡପିଟୁଛି, ଢେଉଭାଙ୍ଗୁଛି ତାଙ୍କ ପାଦତଳେ । ପାଦ ତଳିପାଠାରୁ ମସ୍ତକ ପର୍ଯ୍ୟନ୍ତ ସବୁଠି ସେ ଅସହାୟତାର ଚିହ୍ନ । ମନେ ପଡିଗଲେ ଗମଗମ ଝାଳ ବୋହିପଡୁଛି ।

ଅମାନିଆ ହୋଇ ଆଧୁନିକ ରୋଗସବୁ ସଜବାଜ ହୋଇ ଛାତି ଉପରେ ବସିପଡନ୍ତି । ପୁଣି ମନେପଡେ ବାସୁଦେବପୁରର ରାଧାକାନ୍ତ ମନ୍ଦିର । ସେ ଯୁଗଳମୂର୍ତ୍ତି । ଫଗୁ ଖେଳ । ଦିଅଁ ଭୋଗଖିଆ । ମା’ର କାନିଟାଣି ଅମୁଣିଆ ଭୋଗରୁ ଖଜାଖଣ୍ଡେ ମାଗିବାର ଅଳି । ଆଖିଖୋଲି ଏମିତି ବର୍ଷାରେ ବି ସେ ରୁମାଲରେ ପୋଛି ପକାଉଥାଆନ୍ତି ବାରମ୍ବାର ଦେହର ଝାଳ ।

ନିଜକୁ ବୁଝାଉ ଦେଉଥାଆନ୍ତି ସେ ଆଜି ଶିଳ୍ପପତି ଅମୀୟ ସାମନ୍ତରାୟ । ପୁରୁଣା ସବୁକିଛି ଆଜି ବଦଳିଯାଇଛି । ନିଜ ଚାରିପାଖରେ ବନ୍ଧ ବାନ୍ଧି ଦେଇଛନ୍ତି ସେ । ସତେ ଯେମିତି ହୀରାକୁଦ ନଦୀବନ୍ଧ ଯୋଜନା ।

ତଥାପି ପୁଣି ସେଇ ଅଭୁଲା ଦରଦ । ଗୋଟାଏ ବିରାଟ ଝଡ଼ ତ କୋଉଦିନୁ ନିରବ ପଡ଼ିଯାଇଛି । ହେଲେ ଅଶାନ୍ତ ମନଟାକୁ ଯେତେ ଶାନ୍ତିଦେଲେ ସେ ଶାନ୍ତି ପାଏ ବା କୋଉଠୁ? ବସ୍ତିର ମଣିଷଗୁଡାଙ୍କ କଙ୍କାଳ ପାଲଟିଥିବା ନଈସୁଅ ଉପରେ ଆଜି ବଡ଼ବଡ଼ ବନ୍ଧ । ହୀରାକୁଦ ଡ୍ୟାମ ଆଜି ଯୋଉଠି ଠିଆ ହୋଇଛି, ସେଇଠି ଥିଲା ଦିନେ ବସ୍ତିଟିଏ । ସେ ବସ୍ତିରେ ଦଶ-ବାରଟି ପରିବାର ରହୁଥିଲେ । ଅମୀୟବାବୁଙ୍କ ଘରଥିଲା ତା’ ମଧ୍ୟରୁ ଗୋଟିଏ । ବାପା-ମାଆ, ଦି ଭାଇ ଅତି ଆନନ୍ଦରେ ରହୁଥିଲେ । ନୂଆଣିଆ ମାଟି ଘରେ ସପନରେ ତାରାଫୁଲ ଫୁଟୁଥିଲା । ହସୁଥିଲା ସୁନାର ସଂସାର ।

ସେ ଦିନ ଥାଏ ଫଗୁଦଶମୀ । ଦିଅଁ ଆସିବେ ପାଖ ଗାଁରୁ । ରାଧାକୃଷ୍ଣ ମୂର୍ତ୍ତି ଦୋଳରେ ଦର୍ଶନ ଦେବେ ବସ୍ତିବାସିନ୍ଦାଙ୍କୁ । ଏଡେ଼ ବଡ଼ ଦିନ । ସମସ୍ତେ ରଙ୍ଗ ବୋଳାବୋଳି ହେବେ । ମନରେ କେତେ ଆଶାଆନନ୍ଦ । ସାରା ବସ୍ତିଟା ଭାରି ମହକୁଥାଏ । ବାସ୍ନା ଥାଏ କର୍ପୁରର । ଚୁଆ-ଚନ୍ଦନର । ଫୁଲ-ଧୂପର । ନୈବେଦ୍ୟ ଓ ଦୀପଦାନ ଉଦେ୍ଧଶ୍ୟରେ ବସ୍ତିବାସିନ୍ଦା ଚାହିଁ ରହିଥାନ୍ତି ଦୋଳକୁ । ଘଣ୍ଟଘଣ୍ଟାକୁ । ସେ ଯୁଗଳମୂର୍ତ୍ତିକୁ ।

ହେଲେ କ୍ଷଣକରେ ମିଳେଇ ଯାଇଥିଲା ସବୁକିଛି । ହୀରାକୁଦ ନଦୀବନ୍ଧ ପ୍ରୋଜେକ୍ଟ / ଯୋଜନା ପାଇଁ ପୂର୍ବରୁ ବାରମ୍ବାର ସୂଚନା ମିଳିଥିଲା, ଭୂମି ଛାଡ଼ିବାକୁ । ମାତ୍ର ଅମୀର ବାପା ବସ୍ତି ପ୍ରତିନିଧି ଭାବରେ ଭୂମି ଛାଡିବାକୁ ମନାକରି ଦେଇଥିଲେ । ଫଳତଃ ସେଦିନ ସନ୍ଧ୍ୟାରେ ଦୋଳ ଆସିବା ପୂର୍ବରୁ ମାଡ଼ିଆସିଥିଲା ପାଣିର ସ୍ରୋତ ଖୁବ ଜୋରରେ । ଭାସିଯାଇଥିଲା ବସ୍ତିବାସିନ୍ଦାଙ୍କର ଘଣ୍ଟମର୍ଦ୍ଧଳର ଧ୍ୱନି ପାଣିର ସୁଅରେ । କେତେଗୁଡାଏ ଜୀବନ ଲଭିଯାଇଥିଲା ସେ ପାଣିର ଭଉଁରୀରେ । କିଛି ମଳିମୁଣ୍ଡିଆ ନିଜର ମଇଳା ଦେହ ଅବଶ୍ୟ ବଂଚାଇ ଦେଇଥିଲେ । ତା’ ଭିତରେ ଜଣେ ଥିଲା ଅମୀ । ଉପରେ ଠିଆହୋଇ ଦେଖୁଥିଲା ନୂଆନଈର ପ୍ରବାହ । ନିଜ ନୁଆଣିଆ ଝାଟିମାଟି ଘରର ସର୍ବନାସ । ସାରା ବସ୍ତିର ଜୀର୍ଣ୍ଣକାୟ ରୂପ ଲିଭିଯାଇଥିଲା ଅମୀ ମା’ର ଘିଅବତୁରା ସଳିତା । ଝୋଟିପକା ଲିପାପୋଛା ଦୁଆର ମୁହଁରୁ ଝୋଟିଚିତା । ଏସବୁକୁ ଦେଖୁଦେଖୁ ଦୋଳଦିଅଁଙ୍କୁ ଖୋଜୁଖୋଜୁ ପାଣିସୁଅରେ ଭାସିଗଲେ ଅମୀର ବାପା । ଅମୀ ପାଖରେ ଖାଲି ରହିଯାଇଥିଲା ଆତ୍ମ ଚିତ୍କାର । ସେ ଲୁହ ଗୁଡା ପିଇପିଇ ନିଜକୁ ବୁଝାଇଲା ।

ମାତ୍ର ଆଠ ବର୍ଷ ବୟସରେ ସବୁ ଦୁଃଖକୁ ଛାତିରେ ଚାପିରଖି ଦେଖୁଥିଲା ସମ୍ବଲପୁର ସହରକୁ । ତାତିକୁ ଆପଣେଇ ଧକ୍କା ଖାଇଖାଇ ସେ ପାଇଛି ନୂଆ ପରିଚୟ । ନୂଆ ଜୀବନ । ସେ ପାଲଟି ଯାଇଛନ୍ତି ଶିଳ୍ପପତି ଅମୀୟ ସାମନ୍ତରାୟ ।

ପୁରୁଣା ସ୍ମୃତିସବୁକୁ ସାଉଁଟୁ ସାଉଁଟୁ ବର୍ଷା ଥମି ଆସିଥାଏ । ରାସ୍ତା କ୍ରମଶଃ ସଫା ସରିଥାଏ । ପୁଣି ଅମୀ ନିଜକୁ ସଜାଡି ଅମୀୟ ସାମନ୍ତରାୟ ଭାବେ ଫେରିଆସିଲେ ବାସ୍ତବ ଦୁନିଆକୁ । ନିଜର ବଡ କାରରେ ସହର ମଝିରେ ଥିବା ନିଜ ବ୍ଲୁ ଭିଲ୍ଲାକୁ ଫେରିଆସିଲେ ।

ଘରେ ପହଂଚିବା ପରେ ନିଜକୁ ସଜାଡିନେଇ ବିଶ୍ରାମ ନେଲେ ନରମ ଶେଯରେ, ଗରମ ଚାଦରରେ ।

ଅଧରାତି । ଅନ୍ଧାରରେ ମୁହଁକୁ ମୁହଁ ଦିଶୁନଥାଏ । କୁକୁରଗୁଡା ଯେମିତି ଅଧା ନିଦରେ ବିଳିବିଳି ହେଉଥାଆନ୍ତି । ରାତି ପାହିଲେ ଭାତ ଦେଉଥିବା ମାଲିକକୁ ହରାଇବାର ଆଭାସରେ କାନ୍ଦୁଥାଆନ୍ତି । ପାଖରେ ସ୍ତ୍ରୀ ବସୁନ୍ଧରା କୁକୁରମାନଙ୍କ ଆବାଜରେ ଭାରି ବିରକ୍ତ ହୋଇ ଏ କଡ଼ ସେ କଡ଼ ହେଉଥାଆନ୍ତି । ଆଖିରେ ହାଲକା ନିଦ ଅମୀୟଙ୍କୁ ଶୋଇବାକୁ ଦେଉନଥିଲା । ଛାତି ଉପରେ ବସିପଡିଥିଲା ଅତୀତ, ହାତ ମୁଠାରେ ଧରିଥିଲା ଅମୀୟବାବୁଙ୍କ ହୃତପିଣ୍ଡଟାକୁ । ହଠାତ ବିଳିବିଳି ହୋଇ ଉଠିପଡ଼ିଲେ ଅମୀୟ । ଦେହରୁ ବୋହି ପଡିଲା ଗମଗମ ଝାଳ । ମୁଣ୍ଡ ଉପରେ ଗୋଟାଏ ବିରାଟ ବୋଝ ଧରି ଯେମିତି ସେ ବାଉଳି ହେଉଥିଲେ । ଯେମିତି ସେ ରାତି ରାଣ ଦେଉଥିଲା ମାଆ ହୋଇ; ଅମୀକୁ ବାଧ୍ୟ କରୁଥିଲା ଫେରିଯିବାକୁ ନିଜ ପୁରୁଣା ଦୁନିଆକୁ । ପଛରୁ ଅତୀତ ଧକ୍କା ମାରୁଥିଲା । ଘରୁ ନିଜ କାରଟିକୁ କାଢିଲେ, ଗାଡ଼ିର ଷ୍ଟାଟ ହେବା ଶବ୍ଦ ସହ ତାଙ୍କ ହୃତପିଣ୍ଡର କମ୍ପନ ମିଶି ଯେମିତି ମୋକ୍ଷ ଖୋଜୁଥିଲା ।

ଜୀବନରେ ସବୁସୁଖକୁ ଛାଡି ସେ ଦୌଡିଚାଲିଲେ ସେଇ ସୀମାହୀନ ଇଲାକାକୁ । ହଜିଯାଇଥିବା ପରିଚୟ ଆଉ ନିଜ ମାଟିର ବାସ୍ନା ଖୋଜିବାକୁ । ମନରେ ସେ ମିଳେଇ ଯାଇଥିବା ଫଗୁକୁ ପୁଣି ଦେହରେ ମାଖି ହୋଇ ମୋକ୍ଷ ପାଇବାକୁ । କୋଉ ପିଲାଦିନରେ ଦେଖିଥିବା ସେ ନୂଆ ନଈଟା ଆଜି ଖୁବ ପୁରୁଣା ହୋଇଗଲାଣି ।

ଗାଡ଼ି ଖୁବ ଜୋରରେ ଚାଲିଥାଏ । କିଛି ସମୟ ପରେ ଗାଡ଼ି ଯାଇ ପହଂଚିଲା ହୀରାକୁଦ ଡ୍ୟାମର ପଛ ଭାଗରେ । ଦୌଡ଼ିଚାଲିଲେ ଅମୀୟ ସାମନ୍ତରାୟ ସେ ନଦୀପାଖକୁ । ତାଙ୍କ ଦେହଟାକୁ ମୋକ୍ଷ ଦେବାକୁ ସେ ନଦୀ ଯେମିତି ହାତ ଠାରି ଡାକୁଥାଏ । ଆଖି ଆଗରେ ଦିଶିଯାଉଥାଏ ସବୁ କିଛି । ସୁଅଭରା ନଦୀର ପ୍ରବାହକୁ ସ୍ଥିର ଭାବେ ଦେଖୁଦେଖୁ ଅମୀୟ ବାବୁ ପାଲଟିଗଲେ ସେଇ ପୁରୁଣା ଦିନର ଅମୀ । ଯେମିତି ମିଳେଇ ଯାଉଥିଲା ମନ ସେ ନଦୀରେ । ଧୀରେଧୀରେ ଦେଖାଯାଉଥିଲା ରାଧାକୃଷ୍ଣ ଯୁଗଳମୂର୍ତ୍ତି । ଦୋଳ ଦିଅଁ । ମା’ କୋଳ ଆଉ ବାପାଙ୍କର ସ୍ନେହବୋଳା ଆଖି, ସାନ ଭାଇ ସୋନୁର ଜୀର୍ଣ୍ଣକାୟ ଦେହ । ସାହିପଡ଼ିଶା ସାଙ୍ଗସାଥି । ସଭିଙ୍କୁ ଆପଣେଇବାକୁ ଧୀରେଧୀରେ ସେ ଚାଲିଲେ ନଦୀ ଭିତରକୁ । ସବୁ ଖୁସି ଏକାଦିନରେ ସାଉଁଟିବାକୁ ନଦୀ ସୁଅରେ, ଭଉଁରୀରେ ସେ ହଜିବାକୁ ଲାଗିଲେ ।

ନଦୀର ସ୍ରୋତ ଯେମିତି, ସେମିତି । କାଳକାଳ ପାଇଁ ମାପିଦେଇ ଚାଲିଗଲେ ଅମୀୟ ବାବୁ ନିଜ ଜୀବନକୁ । ବିନା ଶ୍ରାଦ୍ଧରେ ସେ ପାଇସାରିଥିଲେ ମୋକ୍ଷ । ତା’ପରଦିନ ଦେହଟା ପାଣିରେ ଫୁଲି ଭାସୁଥିଲା ନଦୀ କୂଳରେ । ଖବର କାଗଜର ବଡ଼ ହେଡିଙ୍ଗରେ ଥିଲେ ଶିଳ୍ପପତି ଅମୀୟ ସାମନ୍ତରାୟ ।

Comments are closed.