Latest Odisha News

BREAKING NEWS

ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ: ପ୍ରଥମେ ଲିଙ୍ଗରାଜ ମନ୍ଦିର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ ନିମନ୍ତ୍ରଣ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ବହୁ ପ୍ରତୀକ୍ଷିତ ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ସମର୍ପଣ କରାଯିବା ପରେ ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ କେଉଁ ସେବାୟତ କେଉଁ ତୀର୍ଥସ୍ଥଳୀ ମନ୍ଦିରକୁ ଯିବେ ତାର ତାଲିକା ପ୍ରସ୍ତୁତ କରାଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ସମର୍ପଣ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ସେହିଦିନ ଠାରୁ ରାଜ୍ୟ ଭିତରେ ୧୪ ଟି ଓ ରାଜ୍ୟ ବାହାରକୁ ୧୭ ଟି ଟିମ୍ ଯାତ୍ରା କରିବ । ରାଜ୍ୟ ବାହାରକୁ ଯାତ୍ରା କରିବାକୁ ଥିବା ପ୍ରତି ସେବାୟତ ଟିମ୍ ସହ ଜଣେ ବରିଷ୍ଠ ଅଧିକାରୀ ରହିବେ ।

ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟପ୍ରଦେଶ ଉଜ୍ଜୈନ ଯାଇ ପୁରୀ ଗୋବର୍ଦ୍ଧନ ପୀଠ ର ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିବେ । ଏହା ବ୍ୟତୀତ ଦେଶ ବାହାରେ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ୧୭ ତାରିଖ ରେ ଲୋକାର୍ପଣ ଉତ୍ସବ ଦିନ ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ଟି ମନ୍ଦିରର କର୍ମକର୍ତ୍ତା, ପୂଜକ ଉପସ୍ଥିତ ରହିବେ । ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରାଜ୍ୟ ଭିତରର ମନ୍ଦିରର କର୍ମକର୍ତ୍ତା ଲୋକାର୍ପଣ ଉତ୍ସବରେ ଯୋଗଦେବେ । ୧୫ ତାରିଖରେ ହେବାକୁ ଥିବା ଅଙ୍କୁରାରୋପଣ ପାଇଁ ଆଜି ଶ୍ରୀନହରରେ ଗଜପତିଙ୍କ ଅଧ୍ୟକ୍ଷତାରେ ଯଜ୍ଞ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।

Comments are closed.