ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିତ୍ୟ ଲିଖନ କରେଁ ମୁହିଁ
କିଏ ପଢ଼ଂତି ଜାଣେନାହିଁ
କାମ କରି ରହିଛିଁ ସୁଖେ
ଯାଏଁନି ଗୋଷ୍ଠୀର ସମ୍ମୁଖେ
ସଭାକୁ ଯାଇ ଅଭିନୟ
କରିବା ପାଇଁ ମନେ ଭୟ
କରିଛି ଯେଣୁ ସ୍ଥାୟୀ ଘର
ହୋଇଛିଁ ନିଜେ ହିଁ ନିଜର
ସ୍ବୀକୃତି ଅବା ଅସ୍ବୀକୃତି
ହ୍ରାସ, ବୃଦ୍ଧି କରେନି କୃତି
କୃତି-ସର୍ବସ୍ବ ହୋଇଯାଇ
ବ୍ୟକ୍ତି ସହିତ ଲାଗେଁନାହିଁ
ଲୋଡ଼େଁ ମୁଁ ପୂର୍ଣ ସ୍ବାଧୀନତା
ତାହା ହିଁ ମୋର ମୂଳ ସତ୍ତା
ସେ ସତ୍ତା ସହ ପ୍ରତାରଣା
କରିବା କୌଶଳ ଅଜଣା
ମୋ ଦ୍ବାରା ହୋଇପାରେ ଯାହା
ସ୍ବେଚ୍ଛାରେ କରୁଥାଏଁ ତାହା
ଯେତେ ବି ମିଳିଛି ଆୟୁଷ
ଭାଷା କାମରେ ହେଉ ଶେଷ
ଏହା ମୋ ହୃଦର ଭାବନା
କରିପାରିନି କେବେ ମନା
ଭାବନା ହୋଇଲେ ଉଦୟ
ଲେଖିରଖେଁ ଲଗାଇ ଲୟ
ଭାଷା ସାଧନା କରୁଥାଏଁ
କିଛି ବି ପାଏଁ କି ନ ପାଏଁ
ଯୋଗାଇଚାଲେଁ ଭାଷା-ସେବା
ଏ ନୁହେ କେବେ ଦେବା-ନେବା
ପାଇନି କୌଣସି ନିଯୁକ୍ତି
ନିଜ ସହିତ କରି ଚୁକ୍ତି
ମୁଁ ଜଣେ ସାଧାରଣ ବ୍ୟକ୍ତି
ଜଣାଏଁ ମୋର ଭାଷା-ଭକ୍ତି
କାହା ବ୍ୟକ୍ତିତ୍ବ ନିରୂପଣ
ନିମଂତେ ଲୋଡ଼ା ଅଧ୍ୟୟନ
ତାହା ତ କରିପାରିନାହିଁ
ନିର୍ଣୟ କରିବି କିପାଇଁ ?
ପ୍ରତ୍ୟେକ ବ୍ୟକ୍ତିଂକର ମତ
ମୋ ଦ୍ବାରା ହେଲେ ହେଁ ସ୍ବୀକୃତ
ମୁଁ ନିଜ ମତ ଅନୁଯାୟୀ
କରେଁ କାମ ଓ ହୁଏଁ ଦାୟୀ
କେହି ନୁହଂତି ଶତ୍ରୁ, ମିତ୍ର
ସଭିଏଁ ସ୍ବଭାଷାର ଛାତ୍ର
ହୋଇ କରିଲେ ଅଧ୍ୟୟନ
ପାଇବା ସଦ୍ୟତମ ଜ୍ଞାନ
ସେ ସବୁ କରିଲେ ପ୍ରୟୋଗ
ମିଳିବ ଅଧିକ ସୁଯୋଗ
ଘଟିବ ଭାଷାର ବିକାଶ
କରେଁ ମୁଁ ଏପରି ବିଶ୍ବାସ
Comments are closed.