Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୂର୍ଣ୍ଣ ବ୍ରହ୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୂର୍ଣ୍ଣ ବ୍ରହ୍ମ ଶ୍ରୀଜଗନ୍ନାଥ କେଉଁ ଅନାଦି କାଳରୁ, ଏ ଜଗତର ସୃଷ୍ଟି ପୂର୍ବରୁ ନିଜକୁ ନିଜେ ସୃଷ୍ଟି କରିଛନ୍ତି । ଅନ୍ୟ ଭାବରେ କହିଲେ ସାରା ଜଗତ ତାଙ୍କ ଠାରୁ ସୃଷ୍ଟି ହୋଇଛି। ଏହାର ପ୍ରମାଣ ଯଜୁର୍ବେଦ ରତୈତରୀୟ ଉପନିଷଦରେ ମିଳେ ।

“ଏତସ୍ମାତ ଆତ୍ମନହଃ ଆକଶ ଶମ୍ଭୁତଃ ଆକାଶାଦ ବାୟୁ ବୟୋରଗ୍ନୀ ଆଗ୍ନେରାପହଃ ଅଦଭ୍ୟାମ ପୃଥିବୀ । “

ଅର୍ଥାତ ଆତ୍ମା ରୂପୀ ଜଗନ୍ନାଥଙ୍କ ଠାରୁ ଆକାଶ ଉତ୍ପନ୍ନ ହେଲା, ଆକାଶ ରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ, ଓ ଜଳରୁ ପୃଥିବୀ ସୃଷ୍ଟି ହୋଇଛି । ଏହି ପାଞ୍ଚ ତତ୍ତ୍ୱରୁ ଜୀବମାନଙ୍କ ଶରୀର ବି ଗଢ଼ା ହୋଇଛି । ତେଣୁ କେବଳ ଆତ୍ମା ହିଁ ପରଂବ୍ରହ୍ମ ସ୍ୱରୂପ (ଶ୍ରୀଜଗନ୍ନାଥ )ବୋଲି ବିବେଚନା କରାଯାଏ।

ଏସାରା ବିଶ୍ୱର ସୁକ୍ଷ୍ମାତି ସୁକ୍ଷ୍ମ ସତ୍ତା ହେଲା ଆତ୍ମା ବା ବ୍ରହ୍ମ । ପଞ୍ଚ ଭୁତର ଅନୁଶୀଳନ କଲେ ତାହାହିଁ ଜଣାପଡେ। ପୃଥିବୀ ସବୁଠୁ ସ୍ଥୁଳ, ତାଠାରୁ କମ ସ୍ଥୁଳ ଜଳ, ଏହି ଦୁଇ ତତ୍ତ୍ୱକୁ ଦେଖିହୁଏ, ଛୁଇଁହୁଏ, ଜାଣିହୁଏ, ଅନୁଭବ ବି କରିହୁଏ। ଜଳଠାରୁ କମ ସ୍ଥୁଳ ଅଗ୍ନି, ଯାହାକୁ କେବଳ ଦେଖିହୁଏ ଓ ଅନୁଭବ କରିହୁଏ । ଅଗ୍ନିଠାରୁ ଆହୁରି କମ ସ୍ଥୁଳ ହେଲା ବାୟୁ ଯାହାକୁ ଦେଖିହୁଏନି, ଅନୁଭବ କରି ହୁଏ । ସବୁଠାରୁ ସୁକ୍ଷ୍ମ ହେଲା ଆକାଶ । ଯାହା କେବଳ ଶୂନ୍ୟ ଶୂନ୍ୟ ମହାଶୂନ୍ୟ। ସେହି ମହାଶୂନ୍ୟରେ ସର୍ବତ ବିରାଜିତ ଶକ୍ତି ହିଁ ବ୍ରହ୍ମ (ଆତ୍ମା ) । ଯାହାକୁ ଦେଖି ହୁଏନି, ଛୁଇଁ ହୁଏନି, ଜାଣି ହୁଏନି, କେବଳ ଅନୁଭବ କରିହୁଏ ।

ଅବଶ୍ୟ ଏହି ଅନୁଭବ ପାଇଁ ଜ୍ଞାନର ଆବଶ୍ୟକତା ନିତ୍ୟାନ୍ତ ପ୍ରୟୋଜନ । ସେହି ବ୍ରହ୍ମ ଜ୍ଞାନ ପାଇଁ ତ ଆମର ଏ ପ୍ରୟାସ. ।
ଏଠାରେ ମନେ ପଡନ୍ତି ସନ୍ଥ ଭୀମଭୋଇ ଯଥା : “ଘଟରେ ବ୍ରହ୍ମ କୁ ନଚିହ୍ନି ବାହାରେ ଭ୍ରମୁଥାନ୍ତି ପ୍ରାଣୀ, ଏ ଘଟରେ ଜଗନ୍ନାଥ ଅଛି, ପ୍ରତିମା ମିଛରେ ପୂଜୁଛି ।” ସନ୍ଥ ଭୀମଭୋଇ ଶୂନ୍ୟବାଦୀ ଥିବାରୁ ପ୍ରତିମା ପୂଜାର ବିରୋଧ କରିଛନ୍ତି, କିନ୍ତୁ ତାଙ୍କ ବାଣୀର ମୂଳ ତତ୍ତ୍ୱ ହେଲା ଆତ୍ମା ହିଁ ବ୍ରହ୍ମ ଓ ପରଂବ୍ରହ୍ମଶ୍ରୀଜଗନ୍ନାଥଙ୍କ ଅଂଶ ।

ଏହାକୁ ଓଡ଼ିଆ ଭାଗବତରେ କବି ଜଗନ୍ନାଥ ଦାସ ଅନ୍ୟ ଭାବରେ କହିଲେ “ଏ ଆତ୍ମା ଦାତା ହର୍ତ୍ତା କର୍ତ୍ତା ଆତ୍ମା ଈଶ୍ୱର ପିତା ମାତା । ପୁନଶ୍ଚ
ସକଳ ଦେହେ ନାରାୟଣ
ବସନ୍ତି ଅନାଦି କାରଣ ।”

ଏବିଷୟରେ ଆଲୋଚନା ଆଗକୁ ଜାରି ରଖିବା । ଏବେ ଆତ୍ମା ରୂପୀ ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରିବା କବି ରତ୍ନ ଦାସଙ୍କ ନବାକ୍ଷରୀ ଗୀତା ଅନୁସାରେ
“ବନ୍ଦଇ ଆତ୍ମା ନରସିଂହ
ପରମ ସିଦ୍ଧ ବ୍ରହ୍ମ ଲିଙ୍ଗ ।”

ଜୟ ଜଗନ୍ନାଥ

Leave A Reply

Your email address will not be published.