ନୂଆଦିଲ୍ଲୀ : ବଦଳୁଛି ରାମ ନଗରୀ ଅଯୋଧ୍ୟାର ରୂପ । ପୁରା ସହରର ନବ କଳେବର କରାଯିବା ସହ ପୌରାଣିକ କଥା ବସ୍ତୁ ଆଧାରରେ ସଜ୍ଜିତ କରାଯାଉଛି । କେଉଁଠି ବୀଣା ତ କେଉଁଠି ଧନୁତୀର , ଦେବାଦେବୀ । ବିଭିନ୍ନ ଉପକରଣ ର ପ୍ରତିକୃତି ଛକ ଓ ଗୁରୁତ୍ବପୂର୍ଣ୍ଣ ଜାଗାରେ ସ୍ଥାନିତ କରାଯାଉଛି । ସହରର କୋଠାବାଡିର ନବୀକରଣ କରାଯିବା ସହ , ଏଥିରେ ପୌଣାଣିକ କଥାବସ୍ତୁ ଓ ପରିପାଟୀର ଛିଟା ଦେଖିବାକୁ ମିଳୁଛି । ଯାତ୍ରୀଙ୍କ ସୁବିଧା ଓ ଯାନବାହନ ଚଳାଚଳ ସୁଗମ କରିବା ଲାଗି ଜବରଦଖଲ ଉଚ୍ଛେଦ ସହ ରାସ୍ତା ଗୁଡିକର ପ୍ରଶସ୍ତିକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କାନ୍ଥ ବାଡରେ ଶୋଭାପାଉଛି ରାମାୟଣ ଓ ପୁରାଣ କଥା ସମ୍ବନ୍ଧୀୟ ଓ୍ବାଲ ପେଣ୍ଟିଙ୍ଗ ।
ବିଦ୍ୟୁତ୍ ଖୁଣ୍ଟ ଗୁଡିକରେ ସୁନ୍ଦର ଡିଜାଇନର ଆଲୋକ ମାଳା ଖଞ୍ଜାଯାଉଛି । ସହରର ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ରାମ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ଅତି ଚମତ୍କାର ଭାବେ ସଜ୍ଜିତ କରାଯାଉଛି । ସେପଟେ ନୂଆ ଏୟାରପୋର୍ଟ, ନୂଆ ଷ୍ଟେସନ୍ , ନୂଆ ବସଷ୍ଟାଣ୍ଡ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଚାଲିଛି କେତେ କଣ ଆୟୋଜନ । ମର୍ଯ୍ୟାଦା ପୁରୁଷୋତ୍ତମ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ନିର୍ମାଣ କାମ ପ୍ରାୟତଃ ଶେଷ ହୋଇଥିବାବେଳେ ନୂଆ ରେଳଷ୍ଟେସନ୍ ବି ପୂର୍ଣ୍ଣତା ନିକଟବର୍ତ୍ତୀ ହୋଇଛି । ଷ୍ଟେସନ ବାହାରୁ ଏକ ସୁରମ୍ୟ ମନ୍ଦିର ଭଳି ଦୃଶ୍ୟମାନ ହେଉଥିବାବେଳେ ଭିତରେ ରହିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ।
ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଯାତ୍ରୀଙ୍କୁ ଏହା ଏକ ସୁଖଦ ଯାତ୍ରାର ଅନୁଭୂତି ଦେବ । ତେଣେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମାସେରୁ କମ୍ ସମୟ ଥିବାରୁ ଦିନ ରାତି ଏକ କରି ଲାଗି ପଡିଛନ୍ତି ଶିଳ୍ପୀ । ମନୋଯୋଗ ସହକାରେ ଶିଳ୍ପୀ ମାନେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରୁଛନ୍ତି । ମୁଖ୍ୟ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ଏକ ଅତ୍ୟାଧୁନିକ ସହର ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି ଭଗବାନ ରାମ ଙ୍କ ନଗରୀ ଅଯୋଧ୍ୟା । ଏଥିଲାଗି ପୁରା ତତ୍ପର ରହିଛି ପ୍ରଶାସନ ଓ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ସରି ଆସୁଛି ଅପେକ୍ଷା , ଆଉ ବଢିଚାଲିଛି ଉତ୍କଣ୍ଠା ।
Comments are closed.