Latest Odisha News

BREAKING NEWS

ବ୍ରିଜଭୂଷଣଙ୍କ ଘରୁ କାର୍ଯ୍ୟାଳୟ ଉଠାଇନେଲା ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ତାର କାର୍ଯ୍ୟାଳୟକୁ ପୂର୍ବ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଘରୁ ଉଠାଇ ନେଇଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କଡା ଆପତି ଦର୍ଶାଯାଇଥିଲା । ନୂଆଦିଲ୍ଲୀର ହରିନଗରରେ ସଂଘର ନୂତନ କାର୍ଯ୍ୟାଳୟରେ ଏଥର ସମସ୍ତ କାର୍ଯ୍ୟ ହେବ । କ୍ରୀଡା ମନ୍ତ୍ରଣାଳୟ ଡିସେମ୍ବର ୨୪ରେ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ନିଲମ୍ବିତ କରିଦେଇଥିଲେ । ସଞ୍ଜୟ ସିଂଙ୍କ ଚୟନ ନେଇ ରେସଲରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବ୍ରିଜଭୂଷଣ ଓ ସଞ୍ଜୟ ଅଧ୍ୟକ୍ଷ ହେବା ସମାନ କଥା ବୋଲି ସେମାନେ କହିଥିଲେ । ଏହା ପରେ କୁସ୍ତି ସଂଘର କାର୍ଯ୍ୟ ତଦାରଖ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି ।

ବ୍ରିଜଭୂଷଣଙ୍କ ବିରୋଧରେ ଦେଶର ନାମୀ ଦାମୀ ରେସଲରମାନେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଘଟଣା ଏବେ ବିଚାରଧୀନ ଅଛି । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲିକ ଅବସର ଘୋଷଣା କରିବା ସହ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ସେମାନଙ୍କ ପଦ୍ମଶ୍ରୀ ଓ ଖେଳରତ୍ନ ପୁରସ୍କାର ଫେରାଇଦେବେ ବୋଲି ଘୋଷଣା କରିଥିଲେ ।

Comments are closed.