ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ପ୍ରସଙ୍ଗ ଭିତରେ ବିଶେଷତଃ ଆଜିର ଦିନରେ “ଶ୍ରୀମଦଭାଗବତ “‘ଗ୍ରନ୍ଥର ସମ୍ୟକ ଆଲୋଚନା ପାଇଁ ମନ ବ୍ୟାକୁଳ ହେଉଛି । ଏହା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅନୁଗ୍ରହର ନିଦର୍ଶନ ମାତ୍ର । କାରଣ ଶ୍ରୀମଦଭାଗବତ ମଧ୍ୟ ପ୍ରଭୁଙ୍କ ପରି ଅପୌରୁଷେୟ ଗ୍ରନ୍ଥ । ବସ୍ତୁତଃ ଏହାର କେହି ମୂଳ ସ୍ରଷ୍ଟା ନାହାନ୍ତି ଏବଂ ଶ୍ରୀମଦଭାଗବତ କେବଳ ଗ୍ରନ୍ଥ ନୁହନ୍ତି । ଏହା ପ୍ରଭୁଙ୍କର ଗ୍ରନ୍ଥ ରୂପୀ ଅବତାର ବା “ଗ୍ରନ୍ଥାବତାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବତାରମାନେ ଯେପରି କାଳୋଚିତ ଆବଶ୍ୟକତା ଅନୁଯାୟୀ ଅବିର୍ଭୁତ ଓ ତିରୋହିତ ହୁଅନ୍ତି ।
ସେହିପରି ଏ କଳିଯୁଗର ଆବଶ୍ୟକତା ପ୍ରକାରେ “ଗ୍ରନ୍ଥାବତାର ” ଶ୍ରୀମଦଭାଗବତ ପ୍ରକଟ ହୋଇଛନ୍ତି ।
“ଏ କଳିଯୁଗେ ଯେତେ ନରେ,
ପଡିବେ ମାୟା ଅନ୍ଧକାରେ.
ତାହାଙ୍କୁ ତପନ ଉଦିତ,
ହୋଇବ ଭାବେ ଭାଗବତ।”
ଏହି ସରଳ ପଦରେ କବି ଜଗନ୍ନାଥ ଦାସ “ଜୀବଙ୍କୁ ମାୟା ରୂପୀ ଅନ୍ଧକାରରୁ ମୁକ୍ତି ଦେବାପାଇଁ ତଥା ସଦଗତି ପ୍ରଦାନ ନିମିତ୍ତ ଗ୍ରନ୍ଥାବତାର ରୂପୀ ତପନ ବା ସୂର୍ଯ୍ୟ ହିସାବରେ ବର୍ଣ୍ଣନା କରିଛନ୍ତି । ଏହି ପରମ ପାବନ ମୁକ୍ତି ପ୍ରଦାୟକ ଗ୍ରନ୍ଥ ଶ୍ରୀମଦଭାଗବତକୁ ପଦ୍ମପୁରlଣରେ ଶ୍ରୀକୃଷ୍ଣବାସୁଦେବଙ୍କର ଅଧୋକ୍ଷଜ ରୂପ ବୋଲି ମଧ୍ୟ ବର୍ଣନା ଅଛି । ଦ୍ୱାଦଶ ସ୍କନ୍ଦ ବିଶିଷ୍ଟ ଶ୍ରୀମଦଭାଗବତ, ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାଦଶ ଅଙ୍ଗ ରୂପେ କଳ୍ପନା କରାଯାଇଛି । ଯଥା ପ୍ରଥମ ଓ ଦ୍ଵିତୀୟ ସ୍କନ୍ଦ -ଯୁଗଳ ପାଦପଦ୍ମ, ତୃତୀୟ ଓ ଚତୃର୍ଥ – ଉରୁଦ୍ବୟ, ପଞ୍ଚମ ସ୍କନ୍ଦ -ନାଭି କମଳ, ଷଷ୍ଠ ସ୍କନ୍ଦ -ବକ୍ଷ ସ୍ଥଳ, ସପ୍ତମ ଓ ଅଷ୍ଟମ ସ୍କନ୍ଦ -ବlହୁଯୁଗଳ, ନବମ ସ୍କନ୍ଦ -କଣ୍ଠ ସ୍ଥଳ, ଦଶମ ସ୍କନ୍ଦ -ମୁଖରlବିନ୍ଦ, ଏକାଦଶ ସ୍କନ୍ଦ -ଲଲାଟ ପ୍ରଦେଶ, ଦ୍ୱାଦଶ ସ୍କନ୍ଦ-ମସ୍ତକ ।
ଏହି ରୂପେ ସକଳ ଇନ୍ଦ୍ରିୟ ବୃତ୍ତିର ଅତିକ୍ରାନ୍ତ ପୁରୁଷ ବା ପୁରୁଷୋତମ ସ୍ୱରୂପ କୁ ଅଧୋକ୍ଷଜ ବିଗ୍ରହ କୁହାଯାଏ । ଶ୍ରୀମଦ ଭାଗବତ ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର ସାକ୍ଷତ “ଅଧୋକ୍ଷଜ ବିଗ୍ରହ” କେବଳ ସେତିକି ନୁହେଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରି ଏହା ମଧ୍ୟ ଅଚିନ୍ତ୍ୟ ମହାଗ୍ରନ୍ଥ
ସେଥିପାଇଁ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ବର୍ଣ୍ଣନା କରିଛନ୍ତି
ଭାଗବତେ ଅଚିନ୍ତ୍ୟ ବୁଦ୍ଧିଯାର, ସେ ଜlନୟ ଭାଗବତ ଅର୍ଥ ଭକ୍ତିସାର।”
ଏଭଳି ମହିମାବନ୍ତ ଗ୍ରନ୍ଥ ଶ୍ରୀମଦ ଭାଗବତ, ହିନ୍ଦୁମାନଙ୍କର କେବଳ ଏକ ପ୍ରମୁଖ ଗ୍ରନ୍ଥ ନୁହେଁ, ଏହା ଗୀତ ଗୋବିନ୍ଦ ପରି ପ୍ରଭୁ ଜଗନ୍ନାଥ ଙ୍କର ଅତ୍ୟନ୍ତ ପ୍ରିୟ, ଓଡିଶା ର ପୂରପଲ୍ଲୀରେ ଏହା ଘରେ ଘରେ ପୂଜିତ ମଧ୍ୟ ।
ଏଭଳି ଏକ ପୁଣ୍ୟମୟ ଗ୍ରନ୍ଥର ଜନ୍ମ ଦିବସରେ କେବଳ ଏତିକି କୁହାଯାଏ
“ସର୍ବଦେବାନ ପରିତ୍ୟଜ୍ୟ ନିତ୍ୟଂ ଭଗବଦାଶ୍ରୟ, ଋତସ୍ତଦିୟ ସେବାୟାଂସ ଭାଗବତ ଉଚ୍ୟତେ ।
(ପଦ୍ମଉତ୍ତର ପୁରାଣ )ଅର୍ଥାତ ସବୁ ଦେବତାଙ୍କ ସେବା ପରିତ୍ୟାଗ କରି ପ୍ରତ୍ୟହ ଭାଗବତ ଆଶ୍ରୟ କଲେ ବା କରୁଥିବା ବ୍ୟକ୍ତି ବିଶେଷ ହିଁ ପରମ ଭକ୍ତ ରୂପେ ପରିଗଣିତ ହୁଅନ୍ତି । କେବଳ ପରମ ଭକ୍ତ ନୁହନ୍ତି ସେମାନେ “ବ୍ରହ୍ମଜ୍ଞାନୀ “ମଧ୍ୟ ହୋଇଥାନ୍ତି। ଜଗନ୍ନାଥ ଦାସ ବର୍ଣ୍ଣନା କଲେ “ସର୍ବବେଦାନ୍ତର ଏ ସାର, ଶ୍ରୀଭାଗବତର ବିସ୍ତାର ।
ଯେ ରସାମୃତ ପାନକରେ, ମୁକ୍ତି ଲଭଇ ଏ ସଂସାରେ । ପୁନଶ୍ଚ କହନ୍ତି ଆଶ୍ରୟ ନାମ ସେ ବୋଲାଇ, ପରଂବ୍ରହ୍ମ ୟାକୁ କହି । ଆସନ୍ତୁ ସେହି ପରଂବ୍ରହ୍ମ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ଗ୍ରନ୍ଥ ଅବତାର “ଶ୍ରୀମଦଭାଗବତ” ଙ୍କୁ ପ୍ରଣିପାତ କରି, ଏ ଜଗତ ଉଦ୍ଧାର ପାଇଁ ନିବେଦନ କରିବା ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.