Latest Odisha News

BREAKING NEWS

ଜନଜାତିଙ୍କ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଜନଜାତିଙ୍କ ଜୀବନ ଓ ଅନନ୍ୟ କଳା ସଂସ୍କୃତିର ଏକ ବିଶେଷ ଆକର୍ଷଣ ରହିଛି । ବର୍ତ୍ତମାନ ସମୟରେ ଜନଜାତି ବର୍ଗର ଯୁବପିଢ଼ି, ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜନଜାତିଙ୍କ ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା ପାଇଁ ଗବେଷକମାନଙ୍କ ଭିତରେ ଉତ୍ସାହ ବଢ଼ିଛି । ଓଡ଼ିଶାରେ ଏଭଳି ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ ହେବା ଫଳରେ ବିଭିନ୍ନ ରାଜ୍ୟର ଜନଜାତି ଗୋଟିଏ ଜାଗାରେ ଏକାଠି ହୋଇପାରିଛନ୍ତି । ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ଆଗକୁ ଯିବାରେ ପ୍ରେରଣା ଦେବ ବୋଲି କହିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା । ଭୁବନେଶ୍ୱରସ୍ଥିତ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଜାତୀୟ ଜନଜାତି ଶିଳ୍ପ ମେଳା ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ଜନଜାତି ଶିଳ୍ପୀ ଓ କଳାକାରମାନେ ଭାଗ ନେଇଛନ୍ତି ।

ଏଥିରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ରୂପାରୋଶନ ସାହୁ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଜନଜାତି ଶିଳ୍ପୀ ଓ କଳାକାରଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ । ଏଥିରେ ୧୨ଟି ରାଜ୍ୟର ୨୦୦ରୁ ଅଧିକ ଜନଜାତି କାରିଗର ସେମାନଙ୍କ ହାତ ତିଆରି ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି । ୭୦ରୁ ଅଧିକ ଷ୍ଟଲରେ ଜନଜାତି ଅଳଙ୍କାର, ଆକର୍ଷଣୀୟ ପୋଷାକ, ବାଉଁଶ ଓ ଲୌହ ସାମଗ୍ରୀ ସହିତ ଢୋକ୍ରା, ଟେରାକୋଟା ଏବଂ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆଦି ଆକର୍ଷଣ ପାଲଟିଛି ।

ସେହିପରି ଶିଳ୍ପ ମେଳାରେ ଓଡ଼ିଶାର ୧୬ଟି ଜନଜାତି କଳାକୃତିର ଲାଇଭ୍ ଡେମନଷ୍ଟ୍ରେସନ କରାଯାଉଛି । ଏହାକୁ ଲୋକମାନେ ଆଗ୍ରହର ସହିତ ଦେଖିବା ସହ ଜନଜାତି ଜୀବନ, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି । ଏହି ମେଳା ଆସନ୍ତା ୧୧ ତାରିଖ ଯାଏଁ ଚାଲିବ । ଏହି ପରିପ୍ରେକ୍ଷୀରେ ଜନଜାତି ବର୍ଗଙ୍କ ସମୃଦ୍ଧ କଳା ଓ ସଂସ୍କୃତିର ପ୍ରସାର ପାଇଁ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ ହୋଇଛି । ଏଥିରେ ଓଡ଼ିଶା ସହିତ ୧୩ଟି ରାଜ୍ୟରୁ ଆସିଥିବା ଜନଜାତି କଳାକାରମାନେ ସେମାନଙ୍କ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ପ୍ରଥମ ଦିନରେ ଅରୁଣାଚଳପ୍ରଦେଶର ମିସିମି ଜନଜାତିଙ୍କ ପକ୍ଷରୁ ଲୋକନୃତ୍ୟ, ଗୁଜରାଟର କୁନ୍ ଜନଜାତିଙ୍କ କାହାଡ଼ିଆ ନୃତ୍ୟ, ତ୍ରିପୁରୀ ଜନଜାତିଙ୍କ ଲେବାଙ୍ଗ ବୁମାନି ନୃତ୍ୟ, ମହାରାଷ୍ଟ୍ରର ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କ ଢ଼େମ୍‌ସା ନୃତ୍ୟ ଆଦି ଦର୍ଶକଙ୍କ ମନ ମୁଗ୍ଧ କରିଥିଲା ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଏକ କଫିଟେବୁଲ ବୁକ୍ ଉନ୍ମୋଚନ କରାଯାଇଥିଲା । ଏଥିରେ ଆଦିବାସୀଙ୍କ ଜୀବନ, ସଂସ୍କୃତି ଓ ପରମ୍ପରାକୁ ନେଇ ଜନଜାତି ଯୁବଶିଳ୍ପୀମାନେ ଆଙ୍କିଥିବା ବିଭିନ୍ନ ଆକର୍ଷଣୀୟ ଚିତ୍ରକଳା ସ୍ଥାନ ପାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଭିତରେ ଏସଏସଟିଆରଟିଆଇ ଉପନିର୍ଦ୍ଦେଶକ ସନ୍ତୋଷ ରଥ ଏବଂ ଓଏସଡି ସମରେନ୍ଦ୍ର ଭୁତିଆ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.