Latest Odisha News

ଦେଶରେ ପ୍ରତି ୫ଝିଅଙ୍କ ମଧ୍ୟରୁ ଜଣେ ଓ ପ୍ରତି ୬ ପୁଅଙ୍କ ମଧ୍ୟରୁ ଜଣେ ବାଲ୍ୟ ବିବାହର ଶିକାର: ରିପୋର୍ଟ

ନୂଆଦିଲ୍ଲୀ: ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା ।ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପାର କଲାଣି । ତଥାପି ବାଲ୍ୟ ବିବାହ ପରି କୁପ୍ରଥାର ଅନ୍ତ ଘଟିନି । ବାଲ୍ୟ ବିବାହ ବିରୁଦ୍ଧରେ କଠୋର ନିୟମ ରହିଥିଲେ ମଧ୍ୟ କେତେକ ରାଜ୍ୟରେ ଏହି ପ୍ରଥା ଏଯାବତ ଚାଲିଛି । ଗତ ଦଶନ୍ଧି ତୁଳନାରେ ଏହି ବାଲ୍ୟ ବିବାହ ସାରା ଦେଶରେ ହ୍ରାସ ପାଇଛି, କିନ୍ତୁ କେତେକ ରାଜ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଲାନସେଟ୍ ଗ୍ଲୋବାଲ୍ ହେଲଥ ଜର୍ଣ୍ଣାଲ ପକ୍ଷରୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ୧୯୯୩ ରୁ ୨୦୨୧ ମଧ୍ୟରେ ବାଲ୍ୟ ବିବାହ ସଂଖ୍ୟା ୫୦ ଲକ୍ଷ ହ୍ରାସ ପାଇଛି। କିନ୍ତୁ ୪ଟି ରାଜ୍ୟରେ ମୋଟ ବାଲ୍ୟ ବିବାହର ୫୦ପ୍ରତିଶତ ମାମଲା ରହିଛି । ଦେଶରେ ପ୍ରତି ୫ଝିଅଙ୍କ ମଧ୍ୟରୁ ଜଣେ ଓ ପ୍ରତି ୬ ପୁଅଙ୍କ ମଧ୍ୟରୁ ଜଣେ ବାଲ୍ୟ ବିବାହର ଶିକାର ହେଉଛନ୍ତି।

୧୯୯୩ ରୁ ୨୦୨୧ ପର୍ଯ୍ୟନ୍ତ ୫ଥର କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS)ର ତଥ୍ୟକୁ ଆଧାର କରି ଲାନସେଟ୍ ଗ୍ଲୋବାଲ୍ ହେଲଥ ଜର୍ଣ୍ଣାଲ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ୨୦୨୧ ମସିହାରେ, ବିହାରରେ ଝିଅମାନଙ୍କର ବାଲ୍ୟ ବିବାହ ସର୍ବାଧିକ ୧୬.୭ପ୍ରତିଶତ ରହିଥିଲା। ପଶ୍ଚିମବଙ୍ଗରେ ୧୫.୨ ପ୍ରତିଶତ, ଉତ୍ତରପ୍ରଦେଶରେ ୧୨.୫ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୮.୨ ପ୍ରତିଶତ ରହିଥିଲା। ଗୁଜୁରାଟର ସର୍ବାଧିକ ୨୯ ପ୍ରତିଶତ ପୁଅମାନଙ୍କର ବାଲ୍ୟ ବିବାହ କରାଯାଇଛି । ଏହା ପରେ ବିହାରରେ ୧୬.୫ ପ୍ରତିଶତ, ପଶ୍ଚିମବଙ୍ଗର ୧୨.୯ ପ୍ରତିଶତ ଏବଂ ଉତ୍ତରପ୍ରଦେଶର ୮.୨ ପ୍ରତିଶତ ବାଲ୍ୟ ବିବାହ ହୋଇଛି ।

ରିପୋର୍ଟ ଅନୁଯାୟୀ, ୧୯୯୩ରେ ୪୯.୪ ପ୍ରତିଶତ ଝିଅ ବାଲ୍ୟ ବିବାହ କରିଥିଲେ, ୨୦୨୧ରେ ଏହି ସଂଖ୍ୟା ୨୨.୩ ପ୍ରତିଶତକୁ ଖସି ଆସିଥିଲା। ସେହିପରି ପୁଅମାନଙ୍କର ବାଲ୍ୟ ବିବାହରେ ମଧ୍ୟ ହ୍ରାସ ଘଟିଛି। ୨୦୦୬ରେ ପୁଅମାନଙ୍କର ବାଲ୍ୟ ବିବାହ ୭.୧ ପ୍ରତିଶତ ଥିବା ବେଳେ ଏହା ୨୦୨୧ରେ ୨.୨ ପ୍ରତିଶତକୁ ହ୍ରାସ ପାଇଛି। ଆକଳନ କରାଯାଇଛି ଯେ ୨୦୨୧ ମସିହାରେ ଝିଅଙ୍କ ମୋଟ ବାଲ୍ୟ ବିବାହ ସଂଖ୍ୟା ୧ କୋଟି ୩୪ ଲକ୍ଷ ୬୪ ହଜାର ୪୫୦ ଓ ପୁଅମାନଙ୍କର ବାଲ୍ୟ ବିବାହ ସଂଖ୍ୟା ୧୪ ଲକ୍ଷ ୫୪ ହଜାର ୮୯୪ ଥିଲା ।

୧୯୯୩ ମସିହା ତୁଳନାରେ, ୨୦୨୧ ମସିହାରେ ୫୦ ଲକ୍ଷ ୧୯ ହଜାର ବା ୨୭.୨ ପ୍ରତିଶତ କମ୍ ବାଲ୍ୟ ବିବାହ ହୋଇଛି । ମାତ୍ର ୭ଟି ରାଜ୍ୟ-ଝାଡଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ଗୋଆ, ଆସାମ, ମଣିପୁର ଏବଂ ବିହାରରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ପଶ୍ଚିମବଙ୍ଗରେ ୧୯୯୩ରେ ୧୫.୫୦ ଲକ୍ଷ ଝିଅ ବାଲ୍ୟ ବିବାହ କରିଥିବା ଅନୁମାନ କରାଯାଉଥିବା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୨୦.୫୦ ଲକ୍ଷକୁ ବୃଦ୍ଧି ପାଇଛି।

ଝାଡଖଣ୍ଡରେ ୩.୫୨ ଲକ୍ଷ ଝିଅଙ୍କର ବାଲ୍ୟ ବିବାହ କରାଯାଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫.୩୯ ଲକ୍ଷକୁ ବୃଦ୍ଧି ପାଇଛି। ମଣିପୁର ଏକମାତ୍ର ରାଜ୍ୟ ଯେଉଁଠାରେ ୨୮ ବର୍ଷ ପରେ ବାଲ୍ୟବିବାହ ସଂଖ୍ୟା ବୃଦ୍ଧି ପାଇଛି । ତେବେ ହିମାଚଳ ପ୍ରଦେଶ, କେରଳ, ନାଗାଲାଣ୍ଡ, ଛତିଶଗଡ, ହରିୟାଣା, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ଏହା ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି। ମଣିପୁର ବ୍ୟତୀତ ୧୯୯୩ ରୁ ୨୦୨୧ ମଧ୍ୟରେ ସମସ୍ତ ରାଜ୍ୟରେ ଝିଅମାନଙ୍କ ବାଲ୍ୟ ବିବାହରେ ଶତକଡ଼ା ହ୍ରାସ ଘଟିଛି।

 

Comments are closed.