Latest Odisha News

BREAKING NEWS

ରାତିରେ ୨ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା; ୧୭ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର, କଟକ ସମେତ ୯ଟି ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୮ ଡିଗ୍ରୀ ଅଧିକ ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଏବଂ ରାଜ୍ୟର ବାକି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ।

ଅନ୍ୟପଟେ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର।

ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହିଛି। ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀ ମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ  ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ ପରିବହନ ବିଭାଗ ଦ୍ୱାରା କିଛି ପରାମର୍ଶ ଜାରି କରାଯାଇଅଛି।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ପ୍ରାଥମିକତା ଦେଇ ନାଗରିକମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗ ଅନୁରୋଧ କରୁଅଛି:

୧. ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ ପଛେ ଗାଡି ଧୀରେ ଚଳାନ୍ତୁ ।

୨. ରାସ୍ତାରେ ଗାଡିଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ ଯାହା ଦ୍ୱାରା ଠିକ ସମୟରେ ଗାଡିରେ ବ୍ରେକ ର ଉପଯୋଗ କରାଯାଇପାରିବ ।

୩. କୁହୁଡିରେ ଗାଡି ଚଳାଇବା ସମୟରେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖନ୍ତୁ । କୁହୁଡି ସମୟରେ ରାସ୍ତା ର ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଫୋଗ ଲ୍ୟାମ୍ପ ବ୍ୟବହାର କରନ୍ତୁ ।

୪. କୁହୁଡିରେ ଗାଡି ଚଳାଇବା ସମୟରେ ସଡକ ଚିହ୍ନ ତଥା ଅନ୍ୟ ସଡକ ସଂକେତ ଉପରେ ନଜର ରଖନ୍ତୁ | ରାସ୍ତାର ମୋଡ ଗୁଡିକରେ ସାବଧାନତା ଅବଲମ୍ବନ କରନ୍ତୁ ।

୫. କୁହୁଡି ସମୟରେ ଏକାଗ୍ରତା ସହ ଗାଡି ଚଳାନ୍ତୁ ଏବଂ ମୋବାଇଲ, ଇୟରଫୋନ୍ ତଥା ଉଚ୍ଚ ସ୍ୱରରେ ସଙ୍ଗୀତ ଠୁ ଦୁରେଇ ରୁହନ୍ତୁ ।

ରାଜ୍ୟ ପରିବହନ ପ୍ରାଧିକରଣ ଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ | ନାଗରିକମାନଙ୍କୁ ଅନୁରୋଧ, ରାଜ୍ୟ ପରିବହନ ପ୍ରାଧିକରଣ ଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ କରନ୍ତୁ ଓ ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ନିର୍ଦ୍ଧାରଣ କରନ୍ତୁ।

Leave A Reply

Your email address will not be published.