ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସକାଳୁ ସଂଜ ଯାଏଁ ସୂର୍ଯ
କରେ ଆଲୋକଦାନ କାର୍ଯ
ତା’ପରେ ବାର ଘଂଟା ଛୁଟି
କରେନି ନିଜର ପାଇଟି
ଏଥିରେ ନାହିଁ ବ୍ୟତିକ୍ରମ
ତେଣୁ ତ ଲାଗେ ମନୋରମ
ସୂର୍ଯ ଅତ୍ୟଂତ ଶୃଂଖଳିତ
ହୁଏ ଉଦୟ, ପୁଣି ଅସ୍ତ
ଋତୁ-ଆଶ୍ରିତ ନାନା ଭାବ
ପ୍ରାଣୀଏ କରି ଅନୁଭବ
ସଂସାରେ ରହିଥାଂତି ଜିଇଁ
ସଦା ସୂର୍ଯାନୁଗତ ହୋଇ
ଅରୁଣ, ତପନ, ମିହିର
ପ୍ରଭାକର ଓ ଦିବାକର
ଅର୍କ, ରବି, ଭାନୁ, ଆଦିତ୍ୟ
ଅନେକ ନାମେ ପରିଚିତ
ବିଭିନ୍ନ ରୂପେ ହୋଇ ପୂଜ୍ୟ
ବିଶ୍ବକୁ କରଂତି ସାହାଯ୍ୟ
ତାଂକର ସର୍ବ ଉପକାର
ମଣିଷ କରଇ ସ୍ବୀକାର
ସୂର୍ଯତାପରେ ମହୌଷଧି
ଖଂଜିଦେଇଛି ଯେଣୁ ବିଧି
ତାହାଂକୁ କରିଲେ ସମ୍ମାନ
ଜୀବନ ହୁଏ ଶାଂତିପୂର୍ଣ
ହେଲେ ବି ଅତି ଶକ୍ତିଶାଳୀ
ମାର୍ତଂଡ ସତରେ କିପରି
ଶୁଖାଇ ପାରେନି ସମୁଦ୍ର
କାରଣ ସୂର୍ଯ ସ୍ବତଃ ଭଦ୍ର
କରିଲେ ସୂର୍ଯ ନମସ୍କାର
ମିଳେ ବିବିଧ ଉପକାର
ଅନେକେ କରଂତି ସ୍ବୀକାର
ସୂର୍ଯ ଜଳଂତା ଶକ୍ତି-ଘର
ସୂର୍ଯ ତ ଆକାଶର ଆଖି
ଭଲ ଓ ମଂଦ ପାରେ ଦେଖି
ହୁଏ ପାପ ପୁଣ୍ଯର ସାକ୍ଷୀ
ଶକ୍ତିଦାୟୀ ଜୀବନରକ୍ଷୀ
ବୈପରୀତ୍ୟର ସମାବେଶ
ଘନାଂଧକାର ଓ ପ୍ରକାଶ
ଉଭୟ ପାଇଁ ହୁଏ ଦାୟୀ
ବିଶ୍ବର ବିଧି ଅନୁଯାୟୀ
Comments are closed.