Latest Odisha News

BREAKING NEWS

ସାହିତ୍ୟ ମୋ ପାଇଁ ଏକ ପ୍ରକାର ନିଶା : ସସ୍ମିତା ପ୍ରଧାନ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସସ୍ମିତା ପ୍ରଧାନ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ‘ନବ ପ୍ରତିଭା’ ସସ୍ମିତା ପ୍ରଧାନଙ୍କ ସହ ‘ସ୍ଵଳ୍ପ ଆଳାପ’

 

 

ମୁଁ କାହିଁକି ଲେଖେ ?

ଲେଖିବା ମୋର ଏକ ପ୍ରକାର ନିଶା । ମୁଁ ଲେଖିବା ବେଳେ ଏତେ ବିଭୋର ହୋଇଯାଏ ଯେ କେତେ ବେଳେ ସମୟ ଅତିବାହିତ ହୋଇଯାଏ ଜାଣି ପାରେନି । ଲେଖିବା ପାଇଁ ମୋର କୌଣସି ସମୟ ସୀମା ନଥାଏ ଯେତେବେଳେ ଇଚ୍ଛା ହୁଏ ମନ ଭିତରୁ ଏକ ପ୍ରକାର ଭାବ ବାହାରି ଆସେ ତାହା ମୁଁ କଲମରେ ସଜାଏ । ଏହା ମୋ ପାଇଁ ଈଶ୍ଵରଙ୍କ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଲେଖିବା ମୋର ଏମିତି ଅଭ୍ୟାସ ପଡ଼ିଯାଇଛି ଯେ ମୁଁ ଦୁଃଖରେ ଥିଲେ ବି ଲେଖେ ଖୁସିରେ ଥିଲେ ବି ଲେଖେ । ଲେଖାରେ ଏମିତି ମଜ୍ଜିଯାଏ ବେଳେ ବେଳେ ରାତି ପାହିଯାଏ ଜଣାପଡେନି । ଲେଖିବା ଦ୍ଵାରା ମୋତେ ମାନସିକ ଶାନ୍ତି ତଥା ହୃଦୟକୁ ଏକ ଅଦ୍ଭୁତ ଶାନ୍ତି ମିଳେ ଯେମିତି ମୋର ଅତି ଅନ୍ତରଙ୍ଗ ଲୋକ ର ଭଲ ପାଇବା ଭଳି ଲାଗେ । ଆଜିର ବ୍ୟସ୍ତ ବହୁଳ ଦୁନିଆରେ ନିଜର ଲୋକ ମାନେ ହୁଏତ ସମୟ ଅଭାବର ବାହାନା କରି ଆମ ଠାରୁ ଦୂରେଇ ରହିଥାନ୍ତି କିନ୍ତୁ ଲେଖା ଲେଖି କରିବା ଦ୍ଵାରା ମୁଁ ନିଜର ମନର ଭାଷା, ଉଦବେଗକୁ ନିଜ କଲମରେ ପରିପ୍ରକାଶ କରିଥାଏ । ଲେଖା ଲେଖି କରିବା ଦ୍ଵାରା ମୁଁ କେବେ ନିଜକୁ ଏକଲା ପଣର ଅନୁଭବ କରିବାକୁ ଦିଏ ନାହିଁ । ଲେଖା ହିଁ ମୋର ପ୍ରେମ, ପ୍ରେମିକ,ବନ୍ଧୁ, ସବୁ ସମ୍ପର୍କର ଅନୁଭବ କରେଇଥାଏ ।ଆପଣାର ଲୋକେମାନେ ଆମକୁ କଟୁ ତିକ୍ତ ଭାଷା କହିଥାନ୍ତି, ପରିହାସ କରିଥାନ୍ତି ଅନ୍ୟ ମାନଙ୍କ ଆଗରେ ହେଲେ ସାହିତ୍ୟ ଏମିତି ଏକ ମାଧ୍ୟମ ଯିଏ ଥରେ ସାହିତ୍ୟ ପ୍ରେମରେ ପଡିଛି ସେ ହିଁ ବୁଝିଛି ସାହିତ୍ୟର ମୂଲ୍ୟବୋଧ । ସାହିତ୍ୟ ଦ୍ବାରା ମନର ଅକୁହା କଥାକୁ ଅତି ସହଜ ସାବଲୀଳ ଭାବରେ ପରିପ୍ରକାଶ କରିହୁଏ । ସାହିତ୍ୟ ଭାଷା ଆଦାନ ପ୍ରଦାନ ଦ୍ବାରା ଅନେକ ଅପରିଚିତ ବି ଆମର ଅତି ନିଜର ହୋଇପାରିଥାନ୍ତି । ସମ୍ପର୍କର ସେତୁ ବାନ୍ଧି ଦିଏ ସାହିତ୍ୟ…ମୋ ଜୀବନ ହିଁ ସାହିତ୍ୟ… ଲେଖା ଲେଖି ନକଲେ ମୋତେ କିଛି ବି ଭଲ ଲାଗେନା… ଲେଖା ଲେଖି ବିନା ମୁଁ ବଞ୍ଚି ପାରିବିନି… ମୋର ଶେଷ ନିଃଶ୍ୱାସ ଥିବା ଯାଏ ଏମିତି ଲେଖୁଥିବି….।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ମୁଁ ତ ଆରମ୍ଭରୁ ହିଁ ସାହିତ୍ୟକୁ ଭଲପାଏ। ମୁଁ ସବୁବେଳେ ଭାବେ ମାତୃଭାଷା ହେଉଛି ଆମର ମୂଳପିଣ୍ଡ । ମଣିଷର ସମାଜରେ ବଞ୍ଚିବାର ଏକ ରାସ୍ତା ସାହିତ୍ୟ ବିନା ମଣିଷଟି ଏକ ସୁସ୍ଥ ସମାଜ ଗଢି ପାରିବନି । କଥାରେ ଅଛି… ପରିଷ୍କାର ଜାଣିବ ବେଶ ଭୁଷାରୁ, ସଂସ୍କାର ଜାଣିବ ଭାଷା କଥା ବାର୍ତ୍ତାରୁ ।ଆମ ଓଡ଼ିଶାରୁ ଧିରେଧିରେ ଓଡ଼ିଆ ସାହିତ୍ୟ ବିଲୁପ୍ତ ହେବାକୁ ଲାଗିଲାଣି ଲୋକମାନେ ପାଶ୍ଚାତ୍ୟ ଭାଷାକୁ ଗୁରୁତ୍ବ ଦେଇ ନିଜ ମାତୃଭାଷାର ଅଗ୍ରଗତି ନିମନ୍ତେ କୁଣ୍ଠାବୋଧ କରୁଛନ୍ତି । ନୂଆ ପିଢ଼ିର ପିଲାମାନେ ତ ନିଜର ମାତୃଭାଷା କହିବାକୁ ବି ଲଜ୍ଜାବୋଧ କରୁଛନ୍ତି । ସେମାନେ ଭୁଲି ଯାଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କଥା…ଉଚ୍ଚ ହେବା ପାଇଁ କର ଯେବେ ଆଶା…ଉଚ୍ଚ କର ତେବେ ନିଜ ମାତୃଭାଷା…। ଆମ ମାତୃଭାଷାର ଯେବେ ଅଗ୍ରଗତି ହେବ ଜାଣିବା ଆମେ ସେତେବେଳେ ସବୁଠାରୁ ଆଗରେ ଅଛନ୍ତି ବୋଲି । ମୋର ସବୁବେଳେ ପ୍ରୟାସ ଆମ ମାତୃଭାଷାର ସମ୍ମାନ, ଅଗ୍ରଗତି । ସେଥିପାଇଁ ଗଳ୍ପ, କବିତା, ପ୍ରବନ୍ଧ ମାଧ୍ୟମରେ ଲୋକମାନଙ୍କୁ ପାଶ୍ଚାତ୍ୟ ସଭ୍ୟତାରୁ ଦୂରେଇବା ପାଇଁ ମୋର ପ୍ରୟାସ ଜାରି ରଖିଛି ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ମୁଁ ସ୍କୁଲରେ ପଢୁଥିଲା ସମୟରେ ପଟ୍ଟାମୁଣ୍ଡାଇ ବ୍ଲକ ତରଫରୁ ଗୋଟେ ଫଙ୍କସନ୍ ହେଉଥିଲା । ସେଥିପାଇଁ ଆମେ ବଡ଼ ଜରିଆ ସ୍କୁଲ କୁ ଯାଇଥିଲୁ ।ସେ ଫଙ୍କସନରେ ତ ବହୁତ ବିଭାଗ ଥିଲା ମୁଁ ଭାଗ ନେଇଥିଲି କବିତା ଲିଖନରେ । କାହିଁକି ନା ମୋତେ ଗୀତ ଗାଇବାକୁ ଭଲ ଲାଗେ ତା ସହିତ ଛୋଟ ଛୋଟ କବିତା ଲେଖିବାକୁ ଭଲ ଲାଗୁଥିଲା । ପ୍ରତିଯୋଗିତା ଆରମ୍ଭର କିଛି ସମୟ ପୂର୍ବରୁ ଆମକୁ କବିତାର ଶୀର୍ଷକ ଦିଆଯାଇଥିଲା। ଶୀର୍ଷକ ଥିଲା “ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ”। ଧାର୍ଯ୍ୟ ସମୟ ସୀମା ପାର ହେବା ପରେ ଆମଠାରୁ ଲିଖିତ କବିତା ନିଆଯାଇଥିଲା ।ଆମେ ସାଙ୍ଗମାନେ ଏକ ଠାବରେ ବସି ପ୍ରତିଯୋଗିତା ବିଷୟରେ କଥାବାର୍ତ୍ତା ହେଉ ଥାଉ । ଏହି ସମୟରେ ଜଣେ ସାର୍ ମୋତେ ଖୋଜି ଖୋଜି ଆସି ମୋ ପାଖରେ ପହଞ୍ଚିଲେ ।ମୋ ଠାରୁ ମୋର ନାମ, ସ୍କୁଲ ନାମ ବୁଝି କହିଲେ…”ଧନ୍ୟବାଦ, ତୁମେ ବହୁତ ସୁନ୍ଦର ଭାବରେ କବିତା ଲେଖିଛ । ସେ ବି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ।ତୁମର ଶବ୍ଦ ସଜାଡ଼ିବା ଶୈଳୀ,ପଦକୁ ପଦ ଯୋଡିବା ବହୁତ ସୁନ୍ଦର ହୋଇଛି । ସବୁ ଠାରୁ ବଡ କଥା ହେଲା ତୁମେ କବିତା ଲିଖନ ରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଛ ।”ମୁଁ ପଚାରିଲି ଆପଣ ଏକଥା କେମିତି ଜାଣିଲେ, ମୁଁ ପ୍ରଥମ ସ୍ଥାନରେ ଅଛି ବୋଲି ?ସେ ସାର୍ ଜଣକ କହିଲେ, ମୁଁ ହିଁ କବିତା ଲିଖନ ଖାତା ମୂଲ୍ୟାଙ୍କନ କରୁଥିଲି, ତୁମ କବିତା ପଢ଼ି ଏତେ ଖୁସି ଲାଗିଲା ଯେ ତୁମକୁ ଦେଖା କରିବାକୁ ଚାଲି ଆସିଲି । ମୁଁ ସେ ସାର୍ ଙ୍କର ପାଦ ଛୁଇଁ ପ୍ରଣାମ କଲି । ସେ ମୋତେ କହିଲେ,ମାଆରେ ମୋର ଗୋଟିଏ କଥା ମନେରଖିବୁ, ସାହିତ୍ୟ ହେଉଛି ଆମର ମୂଳଦୁଆ । ସବୁ ବେଳେ ଚେଷ୍ଟା କରିବୁ ଆମ ମୂଳଦୁଆକୁ ସୁଦୃଢ କରିବାକୁ ।ସେ ଦାୟିତ୍ଵ ମୁଁ ତୋତେ ଦେଉଛି । ଏମିତି ଆଗକୁ ଆଗକୁ ଭାଷା ସାହିତ୍ୟ ର ବିଜୟ ଧ୍ୱଜା ଉଡେଇ ଚାଲ ।ମୋ ଆଶୀର୍ବାଦ ତୋର ସାଥିରେ ଅଛି ।ପତ୍ର ପତ୍ରିକା, ଖବରକାଗଜ ପଢାପଢିରେ ଆଗ୍ରହ ଦେବୁ ବହୁତ କିଛି ଜାଣିପାରିବୁ । ସେହି ସାର୍ ଙ୍କ ଆଶୀର୍ବାଦ ହିଁ ମୋତେ ଆଗକୁ ଯିବାକୁ ପ୍ରେରଣା ଯୋଗାଇଥିଲା । ସେ ସାରଙ୍କୁ ତ ମୁଁ ଆଉ ଦ୍ଵିତୀୟ ଥର ଦେଖିନି ହେଲେ ବହୁତ ଥର ତାଙ୍କ ଆଶୀର୍ବାଦ ପାଇଁ ହୃଦୟରୁ ଧନ୍ୟବାଦ ଜଣାଇଛି ।

ଗଳ୍ପ ବା କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଗଳ୍ପ/କବିତା ମାଧ୍ୟମରେ ମୁଁ ସବୁବେଳେ ମାତୃଭାଷାର ଅଗ୍ରଗତି ସହ ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରିଥାଏ । ଗଳ୍ପ, କବିତା ମାଧ୍ୟମରେ ବହୁତ ଶିକ୍ଷଣୀୟ କଥା ଉଦାହରଣ ଦେଇ ଉପସ୍ଥାପନା କରିଥାଏ । ପିଲାମାନଙ୍କର ଯେପରି ବୁଝିବାରେ ସହଜ ସାବଲୀଳ ହେବ ସେଥିପ୍ରତି ଧ୍ୟାନ ଦେଇଥାଏ । ମୋର ସବୁବେଳେ ପ୍ରୟାସ ଆମ ମାତୃଭାଷାର ଶୁଦ୍ଧ ବନାନ ଆଉ ଶୁଦ୍ଧ ଉଚ୍ଚାରଣ ମୁଁ ଏଥିପ୍ରତି ସବୁବେଳେ ସଚେତନ ହୋଇଥାଏ ।

ତାଙ୍କ ରଚନାରୁ କବିତା : କେବଳ ତୁମ ପାଇଁ….

‌ଏତେ ବ୍ୟସ୍ତତା ଭିତରେ
କିଛି ସମୟ ବାହାର କରୁଛ ମୋ ପାଇଁ..
ସେଥିପାଇଁ ମୁଁ ବହୁତ ଖୁସି…
ତୁମ ସହ କଥା ହେଲେ..
ମୁଁ ଗୋଟେ ଅଲଗା ଦୁନିଆରେ ହଜିଯାଏ
ସେଠି ଖାଲି ତୁମକୁ ପାଏ ଆଉ ତୁମ ଭଲ ପାଇବା..

ଜାଣିଛ ନା…ଯାହା ମୁଁ ପରୋକ୍ଷରେ କହିବାକୁ
ବାହାନା ଖୋଜୁଥିଲି ତୁମେ ତାହା
ପ୍ରତ୍ୟକ୍ଷରେ ମୋତେ କହିଦେଲ….।

ତମେ ନା ବହୁତ ଚାଲାକ୍
ସବୁ ବୁଝି ବି ନ ବୁଝିବାର ବାହାନା କରି
ଦୂରେଇ ରହୁଛ ମୋ ଠାରୁ…
ମୁଁ କିନ୍ତୁ ତୁମ ଅପେକ୍ଷାରେ ରହିବି…
ସବୁବେଳେ…ତୁମ ଫେରିବା ପଥକୁ ଚାହିଁ
କାହିଁକି ନା ମୋତେ ତୁମ ଭଲ ପାଇବା ଦରକାର…
ତୁମର ହୋଇ ରହିବାକୁ ଚାହେଁ…
“କେବଳ ତୁମ ପରିଚୟ”ରେ ନିଜକୁ
ଦୁନିଆ ଆଗରେ ପରିଚିତ କରିବାକୁ ଚାହେଁ..।

ସେଥିପାଇଁ ମୋତେ ଯେତେ କଷ୍ଟ ହେଲେ ବି ସହିଯିବି
“କେବଳ ତୁମ ପାଇଁ”….
ମନ ପ୍ରାଣ ହୃଦୟରେ ତୁମକୁ ନିଜର ଭାବି ସାରିଛି
ତୁମ ବିନା ଜୀଇଁବା ଅସମ୍ଭବ….।

Comments are closed.