Latest Odisha News

ବିଧାନସଭା ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଭୁବନେଶ୍ୱର: ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରସ୍ତାବ କ୍ରମେ ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ବିଜେପି ସଭ୍ୟମାନେ ଏହି ପ୍ରସ୍ତାବକୁ ବିରୋଧ କରି ଗୃହରୁ କକ୍ଷତ୍ୟାଗ କରିଥିଲେ ମଧ୍ୟ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଲତବୀ ଘୋଷଣା କରିଥିଲେ।

ଫେବ୍ରୁଆରି ୫ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ ୭ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ଖୁବଶୀଘ୍ର ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବାରୁ ଏହାକୁ କାଟି ଦିଆଯାଇଛି। ଚଳିତ ବିଧାନସଭାର ଏହା ଥିଲା ଶେଷ ଅଧିବେଶନ।

ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ୧.୧୮ ଲକ୍ଷ କୋଟି ଟଙ୍କାର ଭୋଟ୍ ଉପସ୍ଥାପନ କରିଛନ୍ତି। ଶୁକ୍ରବାର ବିଧାନସଭାରେ ବିନିଯୋଗ ବିଲ୍ ପାରିତ ହୋଇଛି।

ଶାସକ ବିଜେଡିର ନରସିଂହ ମିଶ୍ର ଓ ସୁରେଶ ରାଉତରାୟଙ୍କ ଭଳି ବହୁ ବରିଷ୍ଠ ନେତା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏମାନେ ରାଜନୀତିରୁ ଅବସର ନେଇ ବିଧାନସଭାକୁ ବିଦାୟ ନେଇଛନ୍ତି।

Comments are closed.