Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଯଦି ଏହି ଦୁଇ ପ୍ରାର୍ଥୀଙ୍କ ଉପରେ ନଜର ପକାଇବା ତେବେ ଦେବାଶିଷ ଓ ଶୁଭାଶିଷ ଉଭୟ ବିଜେଡିର ଟାଣୁଆ ନେତା ଅଟନ୍ତି । ଦେବାଶିଷ ସାମନ୍ତରାୟ ୨୦୦୦ ମସିହାରେ ପ୍ରଥମେ ତିର୍ତ୍ତୋଲରୁ ଜିତିଥିଲେ । ଏହାପରେ ସେ ବାରବାଟୀ-କଟକରୁ ୨ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ଗତ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ଲଢୁଥିବା ମହମ୍ମଦ ମୋକିମଙ୍କ ଠାରୁ ପରାସ୍ତ ହୋଇଥିଲେ ।

ସେହିପରି, ଶୁଭାଶିଷ ଖୁଣ୍ଟିଆ ହେଉଛନ୍ତି ପୁରୀର ଜଣେ ଟାଣୁଆ ଯୁବନେତା । ସେ ବର୍ତ୍ତମାନ ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି ।

ରାଜ୍ୟସଭାକୁ ଏଥର ୩ ଜଣ ପ୍ରାର୍ଥୀ ଯାଉଥିବା ବେଳେ, ବିଜେଡି ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ନାଁ ଘୋଷଣା କରିଛି । ତେବେ ତୃତୀୟ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ଖାତାକୁ ଆସିବ ବୋଲି ସ୍ପଷ୍ଟ ରହିଛି ।

ତେବେ ଆସନ୍ତା ୨୭ ତାରିଖରେ ଓଡ଼ିଶାର ୩ ଟି ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ । ଆସନ୍ତା ଏପ୍ରିଲ ୩ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି ।

Comments are closed.