Latest Odisha News

ବିବାହ ବିଛେଦ ବଢୁଛି, ପରିବାର ଭାଙ୍ଗୁଛି

ଅମ୍ବିକା ପ୍ରସାଦ କାନୁନଗୋ

ଦେଶରେ ଏବେ ବିବାହ ବିଛେଦ ବଢିଚାଲିଛି। ଉଚ୍ଚଶିକ୍ଷିତ, ମଧ୍ୟବିତ ପରିବାରରେ ଏହି ଦୁଃଖଦ ଘଟଣାର ହାର ପ୍ରାୟ ୧୭ ପ୍ରତିଶତରେ ରହିଥିବା ବେଳେ କ୍ରମେ ଏହି ହାର ବୃଦ୍ଧି ପାଇଚାଲିଛି। ଅନ୍ୟପକ୍ଷରେ ଅର୍ଥନୈତିକ ଅନଗ୍ରଶ୍ରେଣୀପରିବାର ମାନଙ୍କ ମଧ୍ୟରେ ଏହି ହାର ପ୍ରାୟ ୨ ଦଶମିକ ୮ ପ୍ରତିଶତ ରହିଥିବା ବେଳେ ଓ ଆଦିବାସୀ ପରିବାରରେ ଏହାର ହାର ପ୍ରାୟ ୧ ପ୍ରତିଶତରୁ କମ୍ ରହିଥିବା କଥା ଆସୁଥିବା ମାମଲାର ଗୁଡ଼ିକର ସମୀକ୍ଷାରୁ ଜଣାପଡ଼ିଛି।

ଭାରତୀୟ ସଂସ୍କୃତିକୁ ପାଶ୍ଚ୍ୟାତ ସଭ୍ୟତା, ସଂସ୍କୃତି ଓ ଚାଲିଚଳନର କୁପ୍ରଭାବ କ୍ରମେ ନଷ୍ଟ କରି ଚାଲିଛି। ଭାରତ ଭଳି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ବିଭିନ୍ନ ଧର୍ମର ବ୍ୟକ୍ତିମାନେ ଭଗବତଗୀତା, ପୁରାଣ, କୋରାନ୍, ବାଇବେଲ ଆଦି ଧର୍ମଗ୍ରନ୍ଥ ପାଠକରିବା ଦ୍ବାରା ମନ ସଞ୍ଜମ ଓ ନିୟତ୍ରଣ ରହୁଥିଲ ଏବଂ ସେହି ସବୁ ଧର୍ମଗ୍ରନ୍ଥ ଗୁଡିକ ପରିବାରର ସୁଖ ଶାନ୍ତି ପାଇଁ ମାର୍ଗ ପ୍ରଦର୍ଶନ କରିଆସୁଥିଲା। ମଝିରେ ମଝିରେ ମନ୍ଦିର, ମସଜିଦ୍ ,ଗୀର୍ଜ୍ଜ ଓ ଗୁରୁଦ୍ବାର ଇତ୍ୟାଦି ଧର୍ମପୀଠକୁ ଯାଇ ସାଧାରଣ ଜନତା ଅଧ୍ୟାତ୍ମିକ ମାର୍ଗରେ ନିଜ ମନକୁ ନିବେଶ କରୁଥିଲେ। ମାତ୍ର ଏବେ ବ୍ୟସ୍ତବହୁଳ ଜୀବନରେ ପରିବାରଗୁଡିକ ଏଥିପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ପାଶ୍ଚତ୍ୟ ମାନସିକତାରେ ପ୍ରସ୍ତୁତ ଚଳଚିତ୍ର, ଭାରତୀୟ ସଂସ୍କୃତିକୁ ବିଭ୍ରାନ୍ତ କଲାଭଳି ଅନେକ ଟେଲିଭିଜନ ସିରିଏଲ ଓ ସୋସିଆଲ ମିଡିଆ, ଇଣ୍ଟରନେଟରେ ଆସୁଥିବା କେତେକ ନଗ୍ନ ଚଳଚିତ୍ରର କୁପ୍ରଭାବ ଭାରତୀୟଙ୍କ ମାନସିକତାକୁ କ୍ରମେ ବିଭ୍ରାନ୍ତ କରୁଛି। ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବରେ ବହୁ ବ୍ୟକ୍ତି ପଥଭ୍ରଷ୍ଟ ହେବା ସହିତ ବିପଥଗାମୀ ମଧ୍ୟ ହୋଇ ଯାଉଛନ୍ତି।

ଆଗକାଳରେ ମୁଖ୍ୟତଃ ପିତା ମାତା ଓ ଗୁରୁଜନ ମାନେ ପୁଅ ହେଉ ବା ଝିଅ ହେଉ ସେମାନଙ୍କ ବିବାହ ସ୍ଥିର କରୁଥିଲେ ଏବଂ ଏ ସମ୍ପର୍କରେ ପିଲାମାନଙ୍କ‌ର ମତ ନିଆଯାଉଥିଲା। ଅଭିବାଭକ ମାନେ ପୁଅ ଓ ଝିଅଙ୍କ ଜନ୍ମ ପତ୍ରିକା (ଜାତକ) ପ୍ରଥମେ ଜ୍ୟୋତିଷ ପାଖରେ ଦେଖାଇ ଭଲ ପଡିବକି ନାହିଁ ପରଖୁଥିଲେ। ଭଲପଡିବ ବୋଲି ଜ୍ୟୋତି‌‌ଷ କହିଲାପରେ ବିଭାଘର ସମ୍ପର୍କରେ ଆଗାଉଥିଲେ। ଏବେ ସେଦିଗ ପ୍ରତି ଅନେକ ଧ୍ୟାନ ଦେଉନାହାନ୍ତି। ଝିଅଙ୍କ ‌ସୌନ୍ଦର୍ଯ୍ୟ ଓ ଆବେଗ (ଇମୋସନାଲ ଆଟାଚମେଣ୍ଟ) ଉପରେ ପିଲାମାନେ ବିଶେଷ ଗୁରୁତ୍ବ ଦେଉଥିବାର ଦେଖିବାକୁ ମିଳୁଛି। ସେଥିପାଇଁ ବୋଧେ ବିବାହ ବିଛେଦ ଅଧିକ ସଂଖ୍ୟାରେ ବୋଲି ଅନେକ ଜ୍ୟୋତିଷ ମତପ୍ରକାଶ କରୁଛନ୍ତି।

ପୂର୍ବେ ଆମ ଦେଶ ବିଶେଷ କରି ଓଡ଼ିଶାରେ ବିବାହ ବିଛେଦ କାଁ ଭାଁ ହେଉଥିବା ବେଳେ ଏବେ ବିବାହ ବିଛେଦ ବହୁ ସଂଖ୍ୟାରେ ବୃଦ୍ଧିପାଇବାରେ ଲାଗିଛି । ପିତା ମାତାଙ୍କ ଦ୍ବାରା ସ୍ତିର କରାଯାଇଥିବା ବିଭାଘର ହେଉ କିମ୍ବା ପ୍ରେମ ବିବାହ ହେଉ, ଉଭୟ କ୍ଷେତ୍ରରେ ବିଛେଦର ଭଟ୍ଟା ବହୁଳ ଭାବେ ଦେଖିବାକୁ ମିଳୁଛି। ଫଳରେ ଅନେକ ପରିବାରର ସୁଖ ଶାନ୍ତି ହଜିଯାଉଛି।

ପରିବାର ଭିତରେ ଥିବା ସୁଖ ଶାନ୍ତି, ହସ ଖୁସି, ସ୍ନେହ ମମତାର ପରିବେଶ ମଧ୍ୟରେ ଭବିଷ୍ୟତ ବଂଶଧର ମାନେ ବଡ ହୋଇ ସମାଜରେ ପାଦ ଦେଉଥିଲେ। ଏବେ ତାହା କମି କମି ଯାଉଛି। ବିବାହ ବିଛେଦ ଫଳରେ ପରିବାରରେ ଲାଗିରହୁଥିବା ଅଶାନ୍ତି, ମନସ୍ଥାପ, ହତାଶାର ପରିବେଶ ମଧ୍ୟରେ ଯେଉଁ ପିଲାମାନେ ବଢୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ମନରେ ହିଂସା, ଦ୍ବେଷ, ପ୍ରତିଶୋଧ ପରାୟଣତାର ମନୋଭାବ ସୃଷ୍ଟି ହେଉଛି, ଯାହାକି ସମାଜ ପାଇଁ ଅହିତ କାରକ । ସେହିଭଳି ପିଲାମାନେ ସ୍ନେହ, ମମତା ଓ ଶ୍ରଦ୍ଧାରୁ ବଂଚିତ ହୋଇ ଅଧିକାଂଶ କ୍ଷେତ୍ରରେ ଅପରାଧ ଜଗତ ପ୍ରତି ଆକୃଷ୍ଟ ହୋଇ ପଡୁଥିବାର ଦେଖାଯାଉଛି। ବିବାହ ବିଛେଦ ଏବେ ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇ ଯାଇଛି। ଏହି ବ୍ୟାଧି କର୍କଟ ରୋଗଭଳି ବ୍ୟାପି ଚାଲିଛି। ଏହାର ନିରାକରଣ ନହେଲେ ସମାଜ ପାଇଁ କ୍ଷତିକାରକ ହେବ।

ଓଡ଼ିଶାର କେତୋଟି କେଶ୍ ଷ୍ଟଡି ପତି-ପତ୍ନୀ ମଧ୍ୟରେ ସହନ ଶକ୍ତିର ଅଭାବ।

ଭୁବନେଶ୍ବରର ଏକ ସମ୍ଭ୍ରାନ୍ତ ପରିବାରର ଏକ ମାତ୍ର ପୁଅ । ସେ ବି ଇଂଜିନିୟର। ରାଜ୍ୟରେ ପ୍ରତିଷ୍ଠିତ ଏକ ଇସ୍ପାତ କାରଖାନାରେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ପରିବାର ପକ୍ଷରୁ ପୁଅର ବିଭାଘର ଧୁମ୍ ଧାମରେ ଅନୁଷ୍ଟିତ ହୁଏ ଅନ୍ୟ ଏକ ସମ୍ଭ୍ରାନ୍ତ ପରିବାରର ଉଚ ଶିକ୍ଷିତ ଝିଅ ସହିତ। ବିଭାଘର ପରେ ପତି ପତ୍ନୀ ବେଶ୍ ହସ ଖୁସିରେ ଆରମ୍ଭ କରନ୍ତି ସେମାନଙ୍କ ନୂତନ ସଂସାର। ଥଟ୍ଟାମଜା ଚାଲେ ଉଭୟଙ୍କ ମଧ୍ୟରେ। ପତି ବାରମ୍ବାର ପତ୍ନୀଙ୍କୁ ଥଟ୍ଟାରେ କହନ୍ତି ବରଯାତ୍ରୀଙ୍କୁ ତୁମ ଘର ଲୋକେ ଭଲକରି ଖାଇବାକୁ ଦେଇ ପାରିଲେ ନାହିଁ। ଏହିଭଳି ଏକ ଛୋଟ ଘଟଣାକୁ କେନ୍ଦ୍ରକରି ନବଦମ୍ପତିଙ୍କ ମଧ୍ୟରେ ବେଳେ ଆରମ୍ଭ ହୁଏ ବିବାଦ। କ୍ରମେ କ୍ରମେ ଏହି ବିବାଦ ବଢିଚାଲେ। ଉଭୟଙ୍କ ମଧ୍ୟରେ ସହନ ଶକ୍ତିର ଅଭାବରୁ ଏହି ବିବାଦକୁ କେନ୍ଦ୍ରକରି ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟିହୁଏ ମହାଭାରତ। ପରିଣାମ ସ୍ବରୂପ ବିବାହର ମାତ୍ର କେଇଦିନ ମଧ୍ୟରେ ପବିତ୍ର ବିବାହ ବନ୍ଧନ ହୋଇପଡେ ଯନ୍ତ୍ରଣା ଦାୟକ । ଶେଷରେ ଏହା ବିଛେଦରେ ପରିଣତହୁଏ।

ବିବାହ ପରେ ଅନ୍ୟ ସହିତ ଶାରିରିକ ସମ୍ପର୍କ ରଖିବା

ରାଷ୍ଟ୍ରାୟତ ବ୍ୟାଙ୍କର ଜ‌ଣେ ଅବସର ପ୍ରାପ୍ତ ମ୍ୟାନେଜର। ପତ୍ନୀ ମଧ୍ୟ ଜଣେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ । ଏକ ମାତ୍ର ପୁଅ ସେ ଏମ୍ ବି ବି ଏସ୍ ପଢୁଥିବା ବେଳେ ଜଣେ ସହପାଠିନୀଙ୍କୁ ଭଲପାଇ ବସନ୍ତି। ଅନେକ ସମୟରେ ସେହି ସହପାଠିନୀ ଜଣକ ପୁଅ ଘରକୁ ମଝିରେ ମଝିରେ ଯାଆ ଆସ ବି କରନ୍ତି। କିଛିଦିନ ପରେ ଉଭୟ ପରିବାରର ସ୍ବୀକୃତୀରେ ହୁଏ ବିଭାଘର। ଆରମ୍ଭ ହୁଏ ନୂତନ ଘର ସଂସାର। ଏମିତି କିଛିଦିନ ଭଲରେ ବିତିଯାଏ। ହଠାତ୍ ଦିନେ ଜଣାପଡିଲା ଯେ ଡାକ୍ତରୀ ପତ୍ନୀ, ଆଉଜଣେ ପୁରୁଷ ବନ୍ଧୁଙ୍କ ସହିତ ସର୍ମ୍ପକ ରଖିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ପ୍ରଥମେ ବିବାଦ ଓ ପରେ ବିବାଦ ବିଚ୍ଛେଦର ରୂପନିଏ । ଏହି ଘଟଣା ଘଟିବାର କିଛିଦିନ ପରେ ଡାକ୍ତରାଣୀ ଜଣଙ୍କ ଛାଡପତ୍ର ନେଇ ବିବାହ କରନ୍ତି ଆଉଜଣେ ଡାକ୍ତରଙ୍କୁ। ବିବାହ ବିଛେଦ ପରେ ଏବେବି ମ୍ୟାନେଜରଙ୍କ ପୁଅ ଦ୍ବିତୀୟ ବିଭା କରିନାହାନ୍ତି ଏବଂ ଖୋଜୁଛନ୍ତି ଭୁଲ ରହିଲା କେଉଁଠି?

ସମୟ ଦେଇ ନପାରିବାରୁ ପରିବାର ଭାଙ୍ଗିଗଲା

ମଧ୍ୟବିତ୍ତ ପରିବାରର ଆଉ ଏକ ଘଟଣା। ପୁଅଟି ଇଞ୍ଜିୟର ବୋହୁ ବି ଏମ୍ ବିଏ। ଭଲପାଇ ଉଭୟ ବିବାହ କରିଥିଲେ। ଉଭୟ ଭିନ୍ନ ଭିନ୍ନ କମ୍ପାନୀରେ ପୃଥକ ପୃଥକ ସ୍ଥାନରେ କାର୍ଯ୍ୟ କରନ୍ତି। ମଝିରେ ମଝିରେ ଛୁଟିନେଇ କିଛିଦିନ ପାଇଁ ଏକାଠି ବି ରୁହନ୍ତି। ବିବାହପରେ ଦୁହେଁ ନିଜ ନିଜ ଚାକିର ସ୍ଥାନରେ ରହିଲେ। ପରସ୍ପର ପ୍ରତି ପତି ପତ୍ନୀ ଭାବେ ସ୍ନେହ, ମମତା ଯେପରି ବଢିବାକଥା ତାହା ହେଲାନାହିଁ। ସ୍ବାମୀଙ୍କ ଅନୁପସ୍ଥିତିରେ ଦୀର୍ଘ ଦିନଧରି ଏକୁଟିଆ ରହୁଥିବା ବିବାହିତା ମହିଳା ତାଙ୍କ ଅଫିସରେ କାର୍ଯ୍ୟକରୁଥିବା ଅନ୍ୟ ଜ‌ଣେ ପୁରୁଷ ସହକର୍ମ୍ମୀଙ୍କ ପ୍ରତି ତାଙ୍କର ଆକର୍ଷଣ ବଢିଚାଲିଲା । ପରବର୍ତ୍ତି କାଳରେ ପତି ପତ୍ନୀ ଏକାଠି ରହିଲେ ବି ମହିଳା ଜଣଙ୍କ ପୁରୁଣା ସମ୍ପର୍କକୁ ଭୁଲି ପାରିଲେ ନାହିଁ। ସମ୍ପର୍କ ଜଣାପଡିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଲା। ଶେଷରେ ଦୁହେଁ ଅଲଗା ହୋଇଗଲେ।

ତିକ୍ତତା ହିଁ ବିଛେଦର ଅନ୍ୟତମ କାରଣ ପୂର୍ବେ ପରିବାରରେ ପୁରୁଷ (ସ୍ବାମୀ) ମାନେ ହିଁ ‌କେବଳ ରୋଜଗାର କରୁଥିଲେ। ପତ୍ନୀ ଘରେ ରହି ଘରର ସମସ୍ତ କାମ କରିବାକୁ ପଡୁଥିଲା। ଶାଶୁ ଶ୍ବଶୁର, ପିଲାମାନଙ୍କ ଯତ୍ନ ନେଉଥିଲେ। ବେଳେ ବେଳେ ପରିବାର ଆର୍ଥିକ ସଙ୍କଟରେ ରହୁଥିଲେ ମଧ୍ୟ ହସ ଖୁସିରେ ପରିବାର ଚାଲୁଥିଲା। ଏବେ ପାଶ୍ଚାତ ସଂସ୍କୃତିର ପ୍ରଭାବରେ ପତି ଓ ପତ୍ନୀ ଉଭୟ ଚାକିରି କରି ଉପାର୍ଜନ କରିବାକୁ ଲାଗିଲେ। ଲକ୍ଷହେଲା ଘରକୁ ଅଧିକ ଦୁଇପଇସା ଆସିଲେ ପରିବାର ଭଲରେ ଚଳିବ। ଦେଖାଗଲା ଯେ ଉଭୟ ଅଫିସରେ କାମ କରି କରି କ୍ଲାନ୍ତ। ଘରେ ପହଞ୍ଚିବା ପରେ ‌କେହି କାହାକଥାକୁ ସହିବାକୁ ପ୍ରସ୍ତୁତ ନୁହନ୍ତି। ସାମାନ୍ୟ କଥାକୁ ନେଇ ବେଳେ ବେଳେ ପତି ପତ୍ନୀଙ୍କ ମଧ୍ୟରେ ଆରମ୍ଭହୁଏ ଯୁକ୍ତି ତର୍କ। ସାଧାରଣତଃ ମଧ୍ୟବିତ ପରିବାରରେ ପତ୍ନୀ ଅଫିସରେ କାମ କରି ଆସିବା ପରେ ଘରେ ରୋଷାଇ ଆଦି କାମ କରିବାକୁ ପଡିଥାଏ। କାମର ଚାପ ପତ୍ନୀଙ୍କ ଉପରେ ସାଧାରଣତଃ ଅଧିକ। ତେଣୁ ବିରକ୍ତ ହେବା ସ୍ବାଭାବିକ। ବେଳେ ବେଳେ ପତି, ପତ୍ନୀଙ୍କ ମନୋଭାବ ନଜାଣି କିଛି କହିଦେଲେ ପତ୍ନୀ ରାଗିଯିବା ସ୍ବାଭାବିକ। ଏହିଥିରୁ ଆରମ୍ଭ ହୁଏ ପତି ପତ୍ନୀ ମଧ୍ୟରେ ମନମାଳିନ୍ୟ। ପରେ ଏହା ପାଟିତୁଣ୍ଡ କ୍ରମଶଃ ବଢି ବଢି ଚାଲେ। କିଛିଦିନ ଧରି ଏହିପରି ରାଗରୁଷା ଚାଲିବା ପରେ ଦିନେ ଏକ ରାଗମୂହୁର୍ତ୍ତରେ ବିଛେଦ ପାଇଁ ଉଭୟ ନିଅନ୍ତି ନିଷ୍ପତ୍ତି। ହସ ଖୁସିର ସଂସାର ଭାଙ୍ଗି ଯାଏ। ଶେଷରେ ପତି ପତ୍ନିଙ୍କ ମଧ୍ୟରେ ବିଛେଦ ‌ଘ‌ଟେ।

ବିବାହିତ ପୁରୁଷ ଅନେକ ମହିଳାଙ୍କ ସହ ‌ସମ୍ପର୍କ

ଅନେକ ସମୟରେ କେତେକ ବିଭାହୀତ ପୁରୁଷ ଅନେକ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଧରାପଡିବା ପରେ ପତ୍ନୀଙ୍କ ମନରେ ଅସନ୍ତୋଷ ସୃଷ୍ଟିକରେ। ଏହି ଘଟଣା, ପତି ପତ୍ନୀଙ୍କ ମଧ୍ୟରେ ଅବିଶ୍ବାସର କାରଣ ହୋଇଯାଏ। ଅବିଶ୍ବାସର ବାତାବରଣ ଶେଷରେ ଭୟଙ୍କର ରୂପ ନିଏ। କେହି କାହାକୁ ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହନ୍ତି। ଶେଷରେ ପତ୍ନୀଙ୍କ ପକ୍ଷରୁ ବିଛେଦ ପାଇଁ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୁଏ।

କଟକ ସହରରେ ଜଣେ ଉଚ୍ଚ ଶିକ୍ଷିତା ଚାକିରି କରୁଥିବା ମହିଳାଙ୍କ କ୍ଷେତ୍ରରେ ଏପରି ଦୁଖଃଦ ଘଟଣା ଘଟିଛି। ‌ଭଲ ପରିବାରର ସୁନ୍ଦର ଝିଅଟିଏ ଘର ସଂସାର ଗଢିବାର ସୁନେଲି ସ୍ବପ୍ନ ଦେଖି ବିବାହ କରିଥିଲା। ବିବାହ ପରେ ତାଙ୍କ ପତି ଅନେକ ଯୁବତୀଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିବା ଘଟଣା ଧରାପଡିବା ପରେ ବିଚ୍ଛେଦ ଘଟିଥିଲା। ଆଜିକାଲି ସମାଜରେ ଏହିପରି ଅନେକ ଘଟଣା ଘଟୁଥିବା ଦେଖାଯାଉଛି।

ଓଡ଼ିଶାରେରେ ବିବାହ ବିଛେଦ ବୃଦ୍ଧି

ପ୍ରାୟ ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବରୁ ପିତା ମାତା ଓ ଗୁରୁଜନମାନେ ପୁଅ ଓ ଝିଅଙ୍କ ବିଭାଘର ପାଇଁ ମନଲାଖି ପାତ୍ର ଓ ପାତ୍ରୀ ଦେଖିବା ପରେ ପୁଅ ଓ ଝିଅଙ୍କ ମତ ନେଉଥିଲେ। ଆବଶ୍ୟକ ହେଲେ ସେମାନେ ଦେଖିବାକୁ ଯାଉଥିଲେ। ସେ ସମୟରେ ବିବାହ ବିଛେଦ କ୍ବଚିତ ଦେଖିବାକୁ ମିଳୁଥିଲା।

ଭାରତୀୟ ମାନେ ଏକ ପତ୍ନୀକ ଏବଂ ସ୍ତ୍ରୀ, ସ୍ବାମୀ ଅନୁରକ୍ତା ବୋଲି ପାଶ୍ଚାତ୍ୟ ରାଷ୍ଟ୍ରରେ ଯେଉଁ ସୁନାମ ଥିଲା ଏବେ ତାହା କ୍ରମେ ହଜିଯାଉଛି। ବିଭାହ ବିଛେଦ ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ବିଛେଦ ଯୋଗୁ ବାପ ମା ଅଲଗା ହୋଇଯିବା ଫଳରେ ଏହାର କୁ ପ୍ରଭାବ ବିଶେଷ କରି ସନ୍ତାନ ସନ୍ତତି ଉପରେ ପଡୁଛି । କେବଳ ହିନ୍ଦୁ ପରିବାରରେ ଏହା ସୀମିତ ହୋଇ ରହିନାହିଁ। ମୁସଲିମ ମହିଳାଙ୍କୁ ତିନି ତଲାକ୍ ଦିଆଯାଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ସେ କ୍ଷେତ୍ରରେ ମଧ୍ୟ ପିଲାମା‌ନେ ମଧ୍ୟ ଦୁଃଖ ଓ ଯନ୍ତ୍ରଣାର ଶିକାର ହେଉଥିବାର ଦେଖିବାକୁ ମିଳୁଛି।

ତିନି ତଲାକ ଆଇନ୍ ମଧ୍ୟ କାମ ଦେଉନି

ବିବାହିତ ମୁସଲମାନ ମହିଳାଙ୍କ ଅଧିକାରର ସୁରକ୍ଷା ବିଧେୟକ ୨୦୧୯କୁ ଅଧ୍ୟାଦେଶ ବଳରେ ଆଇନରେ ପରିଣତ କରାଯାଇଥିଲେ ମଧ୍ୟ ମୁସଲମାନ ମହିଳାଙ୍କ କ୍ଷେତ୍ରରେ ତିନି ତଲକ୍ ଶବ୍ଦ ଉଚ୍ଚାରଣ କରି ଛାଡପତ୍ର ଦେବା ପ୍ରଥା ବନ୍ଦ ହେଉନାହିଁ। କେତେକ ମୁସଲମାନ ତିନି ତଲାକ ଶବ୍ଦ ତିନି ଥର ଉଚ୍ଚାରଣ କରି ପତ୍ନୀମାନଙ୍କୁ ଛାଡପତ୍ର ଦେଉଥିବାର ଅଭିଯୋଗ ହେଉଛି। ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲାରେ ଏହିପରି ଦୁଇଟି ଘଟଣା ନେଇ ନିକଟରେ ଥାନାରେ ଅଭିଯୋଗ ହୋଇଛି।

ଓଡିଶାରେ ୩୫୫୭୧ ବିବାହ ବିଛେଦ ମାମଲା

ରାଜ୍ୟରେ କାର୍ଯ୍ୟ କରୁଥିବା ୨୬ ଟି ଫାମିଲି କୋର୍ଟର ତଥ୍ୟ ଅନୁଯାଇ ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମୋଟ ୩୫୫୭୧ ଟି ବିଭାହ ବିଚ୍ଛେଦ ମାମଲା ବିଚାର ପାଇଁ ରହିଛି। ଏହି ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଭୁବନେଶ୍ବର ଫାମିଲ କୋର୍ଟରେ ସର୍ବାଧିକ ୫୪୮୩ ଟି ବିବାହ ବିଛେଦ ମାମଲା ବିଚାର ପାଇଁ ରହିଥିବା ବେଳେ ବାଲେଶ୍ବର କୋର୍ଟରେ ୩୫୮୬ ମାମଲା ବିଚାର ପାଇଁ ଥାଇ ସଖ୍ୟା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନରେ ରହିଛି। କଟକ‌ କୋର୍ଟରେ ୩୩୬୨ ମାମଲା ଥାଇ ତୃତୀୟ ସ୍ଥାନରେ ରହିଛି। ରାୟଗଡା କୋର୍ଟରେ ରାଜ୍ୟର ସର୍ବନିମ୍ନ ୧୫୦ ବିଚାର ପାଇଁ ଥିବାର ଜଣାଯାଇଛି।

ଉଚ୍ଚ ଶିକ୍ଷିତ ଓ ମଧ୍ୟବିତ ପରିବାରରେ ବିବାହ ବିଛେଦ ଅଧିକ

ଦେଖାଯାଉଛି ଯେ, କେତେକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ବଡ ବଡ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ସମେତ ସହରାଞ୍ଚଳର ବାସ କରୁଥିବା ଶିକ୍ଷିତ, ସଂଭ୍ରାନ୍ତ ଓ ଅଧିକ ଆଥିିକ ସ୍ବଚ୍ଛଳ ଓ ମଧ୍ୟବିତ ବର୍ଗର ପରିବାରରେ ବିବାହ ବିଛେଦ ଅଧିକ। ଶ୍ରମିକ, କୃଷକ ଓ ଆଦିବାସୀ ପରିବାର ଗୁଡିକରେ ବିବାହ ବିଚ୍ଛେଦ କ୍ବଚିତ ଦେଖାଯାଏ।

ବିବାହ ବିଛେଦର ପ୍ରମୁଖ କାରଣ

ବିବାହ ବିଛେଦର ପ୍ରମୁଖ କାରଣ ଗୁଡିକ ମଧ୍ୟରେ ପତି ପତ୍ନୀଙ୍କ ମଧ୍ୟରେ ସହନ ଶୀଳତାର ଅଭାବ, ଅହଂ ମନୋଭାବ, ବିବାହପରେ ଦୀର୍ଘ ଦିନଧରୀ ପରସ୍ପରଠାରୁ ଅଲଗା ରହିବା, ପତ୍ନୀଙ୍କ ପାଇଁ ପତି ସମୟ ନଦେବା, ସେହିପରି ପତିଙ୍କୁ ପତ୍ନୀ ଗୁରୁତ୍ବ ନଦେବା, ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା, ସେହିପରି ବିବାହିତ ମହିଳା ଅନ୍ୟ ପୁରୁଷ ସହ ଶାରିରୀକ ସମ୍ପର୍କ ରଖିବା, ପତ୍ନୀଙ୍କୁ ସ୍ବାମୀ କିମ୍ବା ତାଙ୍କ ପରିବାରର ସଦସ୍ୟ ମାନେ ମାନସିକ ଓ ଶାରିରୀକ ନିର୍ଯ୍ୟତନା ଦେବା, ଶାରିରୀକ ଅକ୍ଷମତା ଭଳି ଅନେକ କାରଣ ରହିଛି। କମ୍ ବୟସର ପତି ପତ୍ନୀଙ୍କ ମଧ୍ୟରେ ବିଶେଷ କରି ୨୮ରୁ ୪୦ ବର୍ଷ ବୟସଙ୍କ ମଧ୍ୟରେ ବିବାହ ବିଛେଦ ବିଶେ‌ଷ ଭାରେ ଦେଖାଯାଉଛି। ସମାଜ ବିଜ୍ଞାନୀ ଓ ପିତା ମାତା ଏହି ସାମାଜିକ ବ୍ୟାଧିର ନିରାକରଣ ଦିଗରେ ଧ୍ୟାନ ନଦେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ।

ବରିଷ୍ଟ ସାମ୍ବାଦିକ, ଭୁବନେଶ୍ବର, ମୋ-୭୯୭୮୮୭୫୯୦୭

Comments are closed.