Latest Odisha News

ବୌଦ୍ଧ ହସ୍ପିଟାଲ ଆଧାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ ‘୫ଟି ସଚିବ’ ଭିକେ ପାଣ୍ଡିଆନ

ବୌଦ୍ଧ: ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିବା ପରେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଏବେ ବୌଦ୍ଧ ଗସ୍ତରେ ଅଛନ୍ତି ।

ଏହି ଅବସରରେ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ଅନ୍ତର୍ଗତ ଏକ ଡାକ୍ତରଖାନା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହମିଶି ଶ୍ରୀ ପାଣ୍ଡିଆନ ମଧ୍ୟାହ୍ନ ଭୋଜନ କରିଛନ୍ତି ।

ଅକ୍ଟୋବର ୨ ତାରିଖରୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିଥିବା ‘ମୋ ସରକାର’ ଅନ୍ତର୍ଗତ ‘୫ଟି’ ଯୋଜନାର ସଠିକ ରୂପାୟନର ତଦାରଖ କରିବା ସହ ଏ ସମ୍ପର୍କରେ ସ୍ଥାନୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପାଣ୍ଡିଆନ ।

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସମୀକ୍ଷା ଲାଗି ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ ଏକ ଦିନିକିଆ ବୌଦ୍ଧ ଗସ୍ତରେ ଆସି ଜିଲ୍ଲାର ସ୍ୱାସ୍ଥ୍ୟସେବା ସମୀକ୍ଷା କରିଛନ୍ତି ।

ବୌଦ୍ଧ କଚେରୀ ଖେଳପଡିଆ ଠାରେ ଅସ୍ଥାୟୀ ହେଲିପେଡରେ ଅବତରଣ କରିବାପରେ ଏହି ପ୍ରତିନିଧି ମଣ୍ଡଳୀ ସିଧାସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ଚିକିତ୍ସାଳୟରେ ଚାଲିଥିବା ଦେୟମୁକ୍ତ ସ୍ୱାସ୍ଥ୍ୟସେବା ନେଇ ଅନୁଧ୍ୟାନ କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୱାର୍ଡ ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ।
ଡାକ୍ତରମାନଙ୍କ ବ୍ୟବହାର,ଚିକିତ୍ସାଳୟରେ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଚକ୍ଷୁ ଚିକିତ୍ସାଳୟ ମଧ୍ୟ ବୁଲି ଦେଖିଥିଲେ । ପରେ ଡ଼ାକ୍ତରଖାନାର ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଏହି ପ୍ରତିନିଧି ମଣ୍ଡଳୀ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାଭାବ ରହିଥିବାରୁ ଅନେକ ବିଭାଗ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ବୌଦ୍ଧ ଜେଲ ପାଇଁ ନୂତନ କୋଠା ନିର୍ମାଣ ସମାପ୍ତ ହୋଇସାରିଥିବା ବେଳେ ତୁରନ୍ତ ଜେଲକୁ ସେଠିକୁ ସ୍ଥାନାନ୍ତର କରାଯାଇ ସେହି ସ୍ଥାନରେ ବହୁତଳ ଚିକିତ୍ସାଳୟ କୋଠା ନିର୍ମାଣ କରାଯିବା ସହିତ ଗୋଟିଏ ସ୍ଥାନରେ ରୋଗୀମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯିବ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିବା ଜଣାପଡିଛି ।

ଏ ସମ୍ପର୍କରେ ସରକାରୀ ସ୍ତରରେ ତୁରନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରତିଶୃତି ଦେଇଥିବା ଜଣାଯାଇଛି । ପରେ ପ୍ରତିନିଧି ମଣ୍ଡଳୀ ଚିକିତ୍ସାଳୟ ପରିସରରେ ଖୋଲାଯାଇଥିବା ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସେଠାରେ ସାଧାରଣଲୋକଙ୍କ ସହିତ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସେବା ସମ୍ପର୍କରେ ତଦାରଖ କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳୀଙ୍କ ସହିତ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଭି.ରଘୁନାଥ ରାଓ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲକ୍ଷ୍ମୀଧର ସାହୁ ପ୍ରମୁଖ ସାମିଲ ହୋଇ ଜିଲ୍ଳାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।

 

Comments are closed.