Latest Odisha News

ମାହାଙ୍ଗା ଡବଲ ମର୍ଡର ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ । ଏବେ ମାମଲାର ଶୁଣାଣି କରିବେ ଅନ୍ୟ ଜଣେ ବିଚାରପତି । ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି ଓହରି ଯାଇଛନ୍ତି, ତାହା ଜଣାପଡ଼ିନାହିଁ । ସେପଟେ ଏହି ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି ହୋଇଛି । ଏହି ଅବଧି ମଧ୍ୟରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ପୋଲିସ ।

ସୂଚନା ଅନୁସାରେ, ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସି କୋର୍ଟରେ ଏହି ମାମଲା ଚାଲିଛି ।

ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ଧମକ ଦେବା ଅଭିଯୋଗରେ ମାମଲା ଚାଲିବା ନେଇ ସାଲେପୁର ଜେଏମଏଫସି କୋର୍ଟରେ ନିଷ୍ପତ୍ତି ନିଆଯାଇଥିଲା । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ଜେନା । ବର୍ତ୍ତମାନ ସେହି ମାମଲାରେ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ ଲଗାଇଛନ୍ତି ।

Comments are closed.