ନୂଆଦିଲ୍ଲୀ: ଭାରତର ଯଶସ୍ୱୀ ଜୈସୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ଯଶସ୍ୱୀଙ୍କ ପ୍ରଶଂସା କରିବା ବଦଳରେ ଇଂଲଣ୍ଡର ବେନ ଡକେଟଙ୍କ ଏକ ବୟାନ ଏବେ ତାଙ୍କୁ ଅସୁବିଧାରେ ପକାଇ ଦେଇଛି । ଯଶସ୍ୱୀ ଆମଠାରୁ ଆକ୍ରମଣାତ୍ମକ ଶୈଳୀ ଖେଳ ଶିଖିଛନ୍ତି ବୋଲି ସେ କହିଛନ୍ତି । ଏହାକୁ ନେଇ ଅନ୍ୟ ପୂର୍ବତନ କ୍ରିକେଟର ଡକେଟଙ୍କୁ ସମାଲୋଚନା କରିଛନ୍ତି । ବୁଧବାର ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଆମ ଟିମରେ ରିଷଭ ପନ୍ତ ନାମକ ଜଣେ ଖେଳାଳି ଥିଲେ । ଡକେଟ ବୋଧହୁଏ ତାଙ୍କୁ ବ୍ୟାଟିଂ କରୁଥିବା ଦେଖି ନାହାନ୍ତି । ଟେଷ୍ଟ କ୍ରିକେଟରେ କିପରି ବିସ୍ଫୋରକ ବ୍ୟାଟିଂ କରାଯାଏ ତାହା ସେ ଦେଖାଇ ସାରିଛନ୍ତି ।
ରୋହିତଙ୍କ ଏହି ବୟାନ କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ ଆସିଛି । ନାସିର ହୁସେନ, ମାଇକେଲ ଭନଙ୍କ ପରି ଇଂଲଣ୍ଡ ଖେଳାଳି ଡକେଟଙ୍କ ବୟାନକୁ ପସନ୍ଦ କରି ନାହାନ୍ତି । ଯଶସ୍ୱୀ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଏ ଭଳି ପ୍ରଦର୍ଶନ କରୁଛନ୍ତି । ସେ କାହାର ଶୈଳୀକୁ ଆପଣାଇ ନାହାନ୍ତି । ଚଳିତ ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଧର୍ମାଶାଳାରେ ଖେଳାଯିବ । ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି ।
Comments are closed.