Latest Odisha News

ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ ବୈଠକରେ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ମହାନ୍ତି ବିଭିନ୍ନ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଥିଲେ।

ପୁରୀ, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଅଭାସୀ ମାଧ୍ୟମରେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସବିଶେଷ ତଥ୍ୟ ରଖିଥିଲେ। ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାସ୍ତରରେ ଟ୍ରେନିଂ, ପୋଷ୍ଟାଲ ବାଲାଟର ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା ।

ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ ଯେପରି ଇଭିଏମ୍‌ ସମ୍ବନ୍ଧୀୟ ସମସ୍ତ ଟ୍ରେନିଂ ପାଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଟ୍ରେନିଂ ପରେ ସମସ୍ତଙ୍କ ସନ୍ଦେହ ମୋଚନ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯିବ । ପରେ ସେମାନେ ଏକ ସ୍ୱତନ୍ତ୍ର ପରୀକ୍ଷା ଦେବେ । ଏହା ଦ୍ୱାରା ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସେମାନେ ସବିଶେଷ ଜ୍ଞାନ ପାଇପାରିବେ ଓ ଉଚିତ ରୂପରେ ଦାୟିତ୍ୱ ନିର୍ବାହ କରିପାରିବେ । ବିଭିନ୍ନ ଜିଲ୍ଲା ପକ୍ଷରୁ ଏହି
ସମସ୍ତ ବିଷୟ ଉପରେ ଅଧିକାରୀମାନେ ତଥ୍ୟ ରଖିଥିଲେ ।

ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ ଓ ଅବାଧ କରିବା ନିମନ୍ତେ ଜିଲ୍ଲାସ୍ତରରୁ ନିର୍ବାଚନର ସୁପରିଚାଳନା ଏବଂ ପ୍ରତିଟି ବୁଥ୍‌ରେ ଯେପରି ଭୋଟରମାନେ ଉପଯୁକ୍ତ ଭାବେ ମତଦାନ କରିପାରିବେ ସେ ଉପରେ ଧ୍ୟାନକେନ୍ଦି୍ରତ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଲଗାତାର ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

Comments are closed.