ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି କ୍ରମରେ ଆସନ୍ତାକାଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତ କରିବେ। ପଶ୍ଚିମ କାମେଙ୍ଗ ଜିଲ୍ଲାର ବୈଶାଖିରେ ପ୍ରାୟ ୨୦ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେଲା ଟନେଲ ପ୍ରକଳ୍ପର ଦୁଇଟି ଟନେଲ ଏବଂ ୮.୭୮୦ କିଲୋମିଟର ଲମ୍ବା ରାସ୍ତାକୁ ନେଇ ଗଠିତ। ଟନେଲ ଏବଂ ଲିଙ୍କ୍ ସଡକ ସହିତ ପ୍ରକଳ୍ପର ମୋଟ ଲମ୍ବ ପ୍ରାୟ ୧୨ କିଲୋମିଟର ରହିଛି।
ସବୁ ସମୟରେ ଯାତାୟତ ପାଇଁ ଅନୁକୂଳ ରହିବ ଟନେଲ
ଦୁଇଟି ଟନେଲ ମଧ୍ୟରୁ ପ୍ରଥମଟି ହେଉଛି ୯୮୦ ମିଟର ଲମ୍ବା ଏକକ-ଟ୍ୟୁବ୍ ଟନେଲ୍ ରହିଛି। ଅନ୍ୟଟି ୧.୫ କିଲୋମିଟର ଲମ୍ବା ରହିଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଏସ୍କେପ୍ ଟ୍ୟୁବ୍ ରହିଛି। ଜଣେ ଅଧିକାରୀ କହିଛନ୍ତି, ସେଲା-ଚାରବେଲା ରିଜ୍ ଦେଇ ଯାଇଥିବା ଏବଂ ନ୍ୟୁ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତି (NATM) ବ୍ୟବହାର କରି ନିର୍ମିତ ଏହି ଟନେଲ୍ ୧୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ଏହି ଟନେଲ ଦୁନିଆର ଦୀର୍ଘତମ ଦୁଇ ଲେନ ବିଶିଷ୍ଟ ଟନେଲ ହେବ। ଅଧିକାରୀ କହିଛନ୍ତି ଯେ ଆସାମର ତେଜପୁରକୁ ଅରୁଣାଚଳ ପ୍ରଦେଶର ତାୱାଙ୍ଗକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏହି ଟନେଲ ତାୱାଙ୍ଗ ଅଞ୍ଚଳକୁ ସମସ୍ତ ପାଣିପାଗ ସମୟରେ ଯାତାୟତ ପାଇଁ ଅନୁକୂଳ ରହିବ।
ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ର ନିକଟତର ହେତୁ ସେଲା ଟନେଲ୍ ରଣନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତାୱାଙ୍ଗ ଜିଲ୍ଲାକୁ ଅରୁଣାଚଳ ପ୍ରଦେଶର ସଂଯୋଗ କରୁଥିବା ୧୩ ହଜାର ୮୦୦ଫୁଟ ସେଲା ପାସ୍ ତଳେ ଏହା ଖନନ କରାଯାଇଛି। ତୁଷାରପାତ ଏବଂ ଭୂସ୍ଖଳନ ହେତୁ ଏହା ପ୍ରାୟତଃ ବନ୍ଦ ରହିଥାଏ। ଏହି ଟନେଲ୍ ତାୱାଙ୍ଗ ଏବଂ ଚୀନ୍ ସୀମାବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳକୁ ବର୍ଷସାରା ପ୍ରବେଶ ଯୋଗାଇବ, ଯାହା ଭାରତୀୟ ସେନା ପାଇଁ ମଧ୍ୟ ବହୁତ ସହାୟକ ହେବ। ଅଧିକାରୀ କହିଛନ୍ତି ଯେ ଟନେଲ ଭିତରେ ଅନେକ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି। ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୦୧୯ରେ ଏହି ପ୍ରକଳ୍ପର ମୂଳଦୁଆ ପକାଇଥିଲେ।
Comments are closed.