Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷରେ ଐତିହାସିକ ସିରିଜ ବିଜୟ ପରେ ଡବ୍ଲ୍ୟୁଟିସିରେ ଶୀର୍ଷକୁ ଉଠିଲା ଭାରତ

ଧର୍ମଶାଳା: ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୪-୧ରେ ସିରିଜ ବିଜୟୀ ହୋଇଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୧୮ ରନ କରିଥିଲା । ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମା (୧୦୩)ଓ ଶୁଭମନ ଗିଲ(୧୧୦)ଙ୍କ ଶତକ ସହାୟତାରେ ୪୭୭ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ସ୍ପିନରଙ୍କ ଉଚିତ ମୁକାବିଲା କରି ନ ପାରି ଇଂଲଣ୍ଡ ୧୯୫ ରନରେ ଅଲଆଉଟ ହୋଇ ଯାଇଥିଲା । ଜୋ ରୁଟ ସର୍ବାଧିକ ୮୪ ରନ କରିଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ନେଇଥିଲେ । କୁଲଦୀପ ଯାଦବ ମ୍ୟାନ ଅଫ ଦି ମ୍ୟାଚ ଓ ଯଶସ୍ୱୀ ଜୈସୱାଲ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ ।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏହି ସିରିଜ ବିଜୟ ଯୋଗୁ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତ ଆଗକୁ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ଘରୋଇ ପରିବେଶରେ ଟିମ କ୍ରମାଗତ ୧୭ତମ ସିରିଜ ବିଜୟ ହାସଲ କରି ଟିମ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୧୦ ବିଜୟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛି ।

ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ସର୍ବାଧିକ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ସେ ଅନୀଲ କୁମ୍ବଲେଙ୍କ ରେକର୍ଡ ଭଙ୍ଗ କରିଛନ୍ତି । କୁମ୍ବଲେ ୩୫ ଓ ଅଶ୍ୱୀନ ଏବେ ୩୬ ଥର ଏହି ସଫଳତା ହାସଲ କରିଛନ୍ତି ।

ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ପୂରଣ କରିଛନ୍ତି । ପେସ ବୋଲର ଭାବେ ସେ ବିଶ୍ୱ କ୍ରିକେଟରେ ସର୍ବାଧିକ ୱିକେଟ ନେଇଛନ୍ତି । ମୁଥୟା ମୁରଲୀଧରନ ୮୦୦ ଓ ଶେନ ୱର୍ଣ୍ଣ ୭୦୮ ୱିକେଟ ସହ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।

Comments are closed.