Latest Odisha News

ମେଣ୍ଟ ହେଲେ ବିଜେଡିର ଲାଭ କେତେ କ୍ଷତି କେତେ ?

ଭୁବନେଶ୍ଵର: ମେଣ୍ଟ ହେବ ନା ହେବନି ? କେବେ ହଁ କେବେ ନା । ଉଠୁଛି ପଡୁଛି ରାଜ୍ୟ ରାଜନୀତି । ପଲିଟିକାଲ ଗୋଲ୍ ସ୍କୋର ଭିତରେ ଚାଲିଛି ଲାଭ କ୍ଷତିର ହିସାବ ନିକାଶ । ମେଣ୍ଟ କାହାକୁ ଦେବ କେତେ ? ବିଜେଡି ପାଇବ କେତେ ହରାଇବ କେତେ ? ୨୦୦୦ ମସିହାରୁ ଶାସନ କ୍ଷମତାରେ ରହିଥିବା ବିଜେଡିକୁ କାହିଁକି ଆବଶ୍ୟକ ପଡିଲା ବିଜେପିର ସାହାରା ? ଆବଶ୍ୟକତା ନା ଉଚ୍ଚାଭିଳାଷ?

କାହିଁକି ବିଜେଡିକୁ ଆବଶ୍ୟକ ବିଜେପି ?

ବିଜେଡି ଏଜେଣ୍ଡାର ସବୁଠୁ ଟପରେ ରହିଛି ଷଷ୍ଠ ଥର ରାଜ୍ୟ ଶାସନ କ୍ଷମତାକୁ ଆସିବା । ବିଜେପି ସହ ମେଣ୍ଟ ହେଲେ ଏହି ଟାର୍ଗେଟ୍ ହାସଲ ଆହୁରି ସହଜ ଓ ନିଷ୍କଂଟକ ହେବ । ଏପ୍ରିଲ ମାସ ଖରାରେ ନବୀନ ପଟ୍ଟନାୟକଙ୍କୁ ସାରା ରାଜ୍ୟରେ ବୁଲିବାକୁ ପଡିବନି । ବିନା ପରିଶ୍ରମରେ କ୍ଷମତାର ଛକା ମାରି ବେଶ୍ ଆରାମରେ ରେକର୍ଡ କରିପାରିବ ବିଜେଡି ।

କେନ୍ଦ୍ର କ୍ୟାବିନେଟ ବର୍ଥ

ଦେଶର ରାଜନୈତିକ ବିଶେଷଜ୍ଞଙ୍କ ଆକଳନ, ପୁଣି କେନ୍ଦ୍ରରେ କ୍ଷମତାକୁ ଆସିପାରେ ଏନଡିଏ । ବିଜେପି ସହ ମେଣ୍ଟ ହେଲେ ବିଜେଡି ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିବା ସମ୍ଭାବନା ଉଜ୍ୱଳ । ଫଳରେ ବିଜେଡିର ଟପ୍ ନେତା ଏଥିରୁ ଲାଭ ପାଇପାରନ୍ତି । ସେହିପରି ମନ୍ତ୍ରୀପଦ ପାଇଁ ଆଗ୍ରହୀ ବିଜେପି ନେତାଙ୍କ ଆକାଂକ୍ଷା ଉପରେ ଲାଗିବ ବ୍ରେକ୍ ।

ଦୂରରେ ରହିବେ କେନ୍ଦ୍ରୀୟ ଏଜେନ୍ସି

ଏନଡିଏରେ ରହିବା ସହ ସିବିଆଇ, ଇଡି ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଦୂରେଇ ରଖିବ ବିଜେଡି । ଖଣି ଦୁର୍ନୀତି, ଚିଟଫଣ୍ଡ ସ୍କାମ ଭଳି ମାମଲାରେ ବିଜେଡିର କିଛି ନେତା ଛନ୍ଦି ହୋଇଥିବା ବେଳେ ସେମାନଙ୍କ ପାଇଁ ମେଣ୍ଟ ସାଜିବ ସୁରକ୍ଷା କବଚ । ଆପ୍‌, ଟିଏମସି, ଜେଏମଏମ୍ ପରି ଅଣ-ଏନଡିଏ ଦଳ ପ୍ରତି କେନ୍ଦ୍ରୀୟ ଏଜେନ୍ସିର ଆଗ୍ରେସିଭ୍ ଆକ୍ସନ୍ ଆଶଙ୍କା ଓଡିଶାରେ ରହିବନି ।

ଓଡିଶାରେ ରହିବେନି ବିରୋଧୀ

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ସହ ମେଣ୍ଟ ସହ ରାଜ୍ୟରେ ସରକାର ବିରୋଧୀ ସ୍ୱର ନରମିବ । ବିଜେପି ମେଣ୍ଟ ବନ୍ଧୁ, ଫାଇଦା ନେବା ପାଇଁ କଂଗ୍ରେସ ସେତେ ଶକ୍ତିଶାଳୀ ନୁହେଁ, ଯାହା ପରୋକ୍ଷରେ ବିଜେଡି ସପକ୍ଷରେ ଯିବ ।

ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ

ବିଜେଡିରୁ ଅସନ୍ତୁଷ୍ଟ ହୋଇ ବିଜେପି ଯାଇଥିବା ନେତାଙ୍କ ମୁହଁରେ ତାଲା ଲଗାଇବ ମେଣ୍ଟ । ଯେଉଁମାନେ ଟିକେଟ୍ ନମିଳିଲେ ବିଜେପି ଯିବା କଥା ଭାବୁଥିଲେ, ମେଣ୍ଟ ହେଲେ ଚୁପ୍ ରହିବୋ ଦଳ ଭିତରେ ଥିବା ଅସନ୍ତୋଷରେ ବି ଲଗାମ ଲଗାଇପାରିବ ବିଜେଡି ।

ନୂଆ ପିଢିକୁ ସୁଇଚ୍ ଓଭର ସହଜ

ବିଜେଡିରେ ଏବେ ଟ୍ରାଞ୍ଜିସନ ଫେଜ୍ । ପୁରୁଣା ନେତାଙ୍କ ଜାଗା ନେଉଛନ୍ତି ନୂଆ । ବିଜେପି ସାଙ୍ଗରେ ଥିଲେ ବିନା ଟେନସନରେ ନୂଆ ପିଢିକୁ ସୁଇଚ୍ ଓଭର କରିପାରିବ ବିଜେଡି ।

ମେଣ୍ଟ ହେଲେ ବିଜେଡିର କଣ କ୍ଷତି ?

ମେଣ୍ଟ ଗୋଲାପରେ ବି ଅନେକ କଂଟା । ଗୋଲାପୀ ସ୍ୱପ୍ନ ସାଙ୍ଗକୁ ବିଜେଡିକୁ ସହିବାକୁ ପଡିବ କ୍ଷତି । ବିଜେପି ସହ ମେଣ୍ଟ ହେଲେ ରାଜ୍ୟର ୧୪୭ ବିଧାନସଭା ଆସନରେ ବିଜେଡିର ଥିବା ମଜବୁତ ସଂଗଠନ ଦୁର୍ବଳ ହେବ । ଯେଉଁ ଆସନରେ ବିଜେଡି ଲଢିବନି ସେଠି ସଂଗଠନ ଦୁର୍ବଳ ହେବା ଆଶଙ୍କା ରହିଛି । ଫଳରେ ଦଳର କିଛି ନେତା ଓ କର୍ମୀ ବିକଳ୍ପ ରାଜନୈତିକ ବାଟ ଖୋଜିପାରନ୍ତି । ଆଂଚଳିକ ଦଳ ଭାବେ ବିଶ୍ୱାସନୀୟତା ହରାଇପାରେ ବିଜେଡି । କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଂଚିଥିବା ବିଜେଡି ଉପରୁ ଲୋକଙ୍କ ଭରସା କମିପାରେ । ବିଜେପି ଓ କଂଗ୍ରେସ ସହ ସମଦୂରତା କଥା କହୁଥିବା ବିଜେଡି ପାଇଁ ମେଣ୍ଟ ସୁବିଧାବାଦର ସମାଲୋଚନା ଆଣିପାରେ । ମେଣ୍ଟ ଦ୍ୱାରା ଉଭୟ ବିଜେପି ଓ ବିଜେଡିରୁ ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବ । ଯାବା ପରବର୍ତୀ ସମୟରେ ଜଙ୍ଗଲ ନିଆଁ ସାଜି ଦଳକୁ ଦୁର୍ବଳ କରିବା ଆଶଙ୍କା ବି ରହିଛି ।

Leave A Reply

Your email address will not be published.